ନିରାମୟ କେନ୍ଦ୍ରରେ ରୋଗୀଙ୍କ ଲମ୍ବା ଲାଇନ୍, ହେଲେ ମିଳୁନି ଔଷଧ । ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଆସିଲା ଅଭାବନୀୟ ଚିତ୍ର ।

317

କନକ ବ୍ୟୁରୋ : ସ୍ୱାସ୍ଥ୍ୟସେବା ଉପରେ ଏବେ ଅଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର । ଏପରିକି ପ୍ରଥମେ ସ୍ୱାସ୍ଥ୍ୟସେବା କେନ୍ଦ୍ରରେ ହିଁ ୫-ଟି କାର୍ଯକାରୀ ହୋଇଛି । ୫-ଟି ଯୋଜନା ପରେ ହସ୍ପିଟାଲରେ ରୋଗୀ ସୁବିଧା ପାଇବା ପରିବର୍ତ୍ତେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାର ଝଲକ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ।

ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ନିରାମୟ କେନ୍ଦ୍ର କାଉଣ୍ଟରରେ ଶହ ଶହ ଲୋକଙ୍କ ଲମ୍ବା ଲାଇନ୍ । ଔଷଧ ପାଇଁ ଘଣ୍ଟା ଘଣ୍ଟା ଲାଇନରେ ଛିଡାହେଉଛନ୍ତି ରୋଗୀ ଓ ତାଙ୍କର ସମ୍ପର୍କୀୟ । ଡାକ୍ତରଖାନା ଓ ଥାନାରେ ୫ ଟି ମୋ ସରକାର ଯୋଜନା କାର୍ୟ୍ୟକାରୀ ହେବାକୁ ମାସେ ପୁରିଲାଣି । ତେବେ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏଭଳି ଅବସ୍ଥାକୁ ଦେଖି ସରକାରଙ୍କ ଏହି ଯୋଜନାର ତ୍ରୁଟି ବିଚ୍ୟୁତି ବାରିହୋଇପଡୁଛି । ମାଗଣାରେ ପରୀକ୍ଷା ଓ ମାଗଣାରେ ଔଷଧ ବିତରଣ କରାଯାଉଛି ହେଲେ ଯେତେ ସଂଖ୍ୟାରେ ରୋଗୀ ମେଡିକାଲକୁ ଆସୁଛନ୍ତି ସେତିକି ସଂଖ୍ୟାରେ ଡାକ୍ତର ନାହାନ୍ତି ଏବଂ ସେହି ପରିମାଣରେ ଔଷଧ ନିରାମୟରେ ମିଳୁନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରୋଗୀ ଓ ସମ୍ପର୍କୀୟ ।

ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ରାଜନଗରର ୨୯ ପଞ୍ଚାୟତ ପଟ୍ଟାମୁଣ୍ଡାଇର ୫ ଟି ଓ ମହାକାଳପଡା ବ୍ଲକର ୮ ଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି । ପ୍ରତିଦିନ ୨୦୦୦ ରୁ ଅଧିକ ଲୋକେ ଏହି ମେଡିକାଲକୁ ଆସିଥାନ୍ତି । ତେବେ ଏତେ ସଂଖ୍ୟକ ରୋଗୀଙ୍କ ପାଇଁ ରହିଛି ଗୋଟିଏ ମାତ୍ର ନିରାମୟ କେନ୍ଦ୍ର । ସରକାରଙ୍କ ୫ଟି ଯୋଜନା ପରେ ଡାକ୍ତରମାନେ ବାହାରେ ହୋଇଥିବା ପରୀକ୍ଷା ରିପୋର୍ଟକୁ ଗ୍ରହଣ କରୁନଥିବା ବେଳେ ନିରାମୟ କେନ୍ଦ୍ରରେ ମିଳୁଥିବା ଔଷଧ ଲେଖୁଛନ୍ତି । ଯେଉଁଥିପାଇଁ ଲୋକ ନିରାମୟ କେନ୍ଦ୍ରରୁ ଔଷଧ କିଣୁଛନ୍ତି ।

କିନ୍ତୁ ସବୁଠୁ ବଡ ସମସ୍ୟା ହେଉଛି ଡାକ୍ତର ଲେଖୁଥିବା ଔଷଧ ନିରାମୟ କେନ୍ଦ୍ରରେ ମହଜୁଦ୍ ରହୁନାହିଁ । ଯେଉଁଥିପାଇଁ ଘଣ୍ଟା ଘଣ୍ଟା ଲମ୍ବା ଲାଇନରେ ଛିଡା ହେବା ପରେ ମଧ୍ୟ ଔଷଧ ବିନା ରୋଗୀଙ୍କୁ ଖାଲି ହାତରେ ଫେରିବାକୁ ପଡୁଛି । ଏପରିକି ଅନେକ ସମୟରେ ଗୋଟିଏ ପ୍ରକାର ଔଷଧ ବିଭିନ୍ନ ରୋଗ ପାଇଁ ଡାକ୍ତର ଲେଖୁଥିବାର ଅଭିଯୋଗ ସାମ୍ନାକୁ ଆସିଛି । ତେଣୁ ସହଜରେ ରୋଗ ଭଲ ହେଉନାହିଁ । ଏଭଳି ଅଭିଯୋଗ ଆସିବା ପରେ କେନ୍ଦ୍ରାପଡା ଜିଲ୍ଲାପାଳ ସ୍ୱାସ୍ଥ୍ୟକେନ୍ଦ୍ର ଗସ୍ତ କରିବା ସହ ନିରାମୟ କେନ୍ଦ୍ରରେ କାହିଁକି ଔଷଧ ମିଳୁନାହିଁ ତାହାର ଯାଞ୍ଚ କରିଛନ୍ତି । ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ।