କନକ ବ୍ୟୁରୋ : ମହଙ୍ଗା ଉପରେ ମହଙ୍ଗା ମାଡ । ପେଟ୍ରୋଲ, ଡିଜେଲ, ଏଲପିଜି ଖାଇବା ତେଲ ଆଦି ପରେ ଏବେ ମହଙ୍ଗା ହେବାକୁ ଯାଉଛି ଔଷଧ । ଏପ୍ରିଲ ପହିଲାରୁ ୮ଶହ ଅତ୍ୟାବଶ୍ୟକ ଔଷଧର ଦାମ୍ ପ୍ରାୟ ୧୦.୭ ପ୍ରତିଶତ ବଢିବ । ଏନପିପିଏ ପକ୍ଷରୁ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଅତ୍ୟାବଶ୍ୟକ ଔଷଧ ତାଲିକାରେ ଥିବା ୮ଶହ ତାଲିକାଭୁକ୍ତ ଔଷଧର ଦାମ୍ ବଢିଯିବ । ତେବେ ଆସନ୍ତୁ ଜାଣିବା ତାଲିକାରେ ଥିବା କିଛି ଅତ୍ୟାବଶ୍ୟକିୟ ଔଷଧ ବାବଦରେ, ଯାହାର ମୂଲ୍ୟ ବଢିବାକୁ ଯାଉଛି ।
ଖାସ କରି ଜର, ସଂକ୍ରମଣ, ଉଚ୍ଚ ରକ୍ତଚାପ, ହୃଦରୋଗ, ଚର୍ମ ରୋଗ ଏବଂ ରକ୍ତହିନତା ଭଳି ରୋଗର ଚିକିତ୍ସାରେ ଉପଯୋଗ ହେଉଥିବା ଅନେକ ଔଷଧର ଦାମ୍ ବଢିଯିବ । ସେହି ଔଷଧଗୁଡିକ ମଧ୍ୟରେ ପାରାସିଟାମଲ, ଫେନୋବାରବିଟୋନ୍, ଫେନିଟୋଇନ୍ ସୋଡିୟମ୍, ଆଜିଥ୍ରୋମାଇସିନ୍, ସିପ୍ରୋଫ୍ଲୋକ୍ସେସିନ୍, ହାଇଡ୍ରୋକ୍ଲୋରାଇଡ୍, ମେଟ୍ରୋନାଇଡେଜୋଲ ଆଦି ଔଷଧ ରହିଛି । ପଇକାରୀ ମୂଲ୍ୟ ସୂଚୀ ତଥ୍ୟ ଆଧାରରେ ଔଷଧ ମୂଲ୍ୟରେ ଏହି ବୃଦ୍ଧି ଘୋଷଣା କରାଯାଇଛି । ସରକାରଙ୍କ ପକ୍ଷରୁ ୨୦୨୦ ମସିହା ତୁଳନାରେ ୨୦୨୧ ମସିହାରେ ପାଇକାରୀ ମୁଦ୍ରାସ୍ପୀତିରେ ହୋଇଥିବା ବୃଦ୍ଧି ଆଧାରରେ ଔଷଧଗୁଡିକର ମୂଲ୍ୟ ବଢାଯାଇଛି ବୋଲି ଏନପିପିଏ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।
ଉଲ୍ଲେଖଯୋଗ୍ୟ, ଡ୍ରଗ୍ସ ପ୍ରାଇସ କଣ୍ଟ୍ରୋଲ ଅର୍ଡର ୨୦୧୩ର କ୍ଲଜ୍ ୧୬ ଅନୁଯାୟୀ, ବାର୍ଷିକ ପାଇକାରୀ ମୂଲ୍ୟସୂଚୀ ଆଧାରରେ ଔଷଧର ମୂଲ୍ୟବୃଦ୍ଧି କରାଯାଇଛି । ଫାର୍ମା ଶିଳ୍ପ ପକ୍ଷରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରାଯାଇଛି । ବର୍ଷବର୍ଷ ପରେ ତାଲିକାଭୁକ୍ତ ଔଷଧ ମୂଲ୍ୟରେ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି । ଭାରତୀୟ ଔଷଧ ନିର୍ମାତା ସଂଘର ମହାସଚିବ କହିଛନ୍ତି ତାଲିକାଭୁକ୍ତ ଔଷଧ ପାଇଁ ଏହା କରାଯାଇଛି ଏବଂ ଏସବୁ ଦର ପୂର୍ବରୁ ସରକାରଙ୍କ ନିୟନ୍ତ୍ରଣରେ ରହିଛି ।
ତେବେ ପେଟ୍ରୋଲ ଡିଜେଲ୍, ରୋଷେଇ ଗ୍ୟାସ୍, ଖାଇବା ତେଲ ଆଦିର ଦର ବୃଦ୍ଧିକୁ ନେଇ ସାଧାରଣ ଜନତା ଚିନ୍ତାରେ ପଡିଥିବା ବେଳେ ଔଷଧର ମୂଲ୍ୟବୃଦ୍ଧି ଲୋକଙ୍କ ପକେଟ୍ ଉପରେ ଜୋରଦାର ପ୍ରଭାବ ପକାଇବ ନିଶ୍ଚୟ । କାରଣ ଜଣେ ବ୍ୟକ୍ତି ପେଟ୍ରୋଲ-ଡିଜେଲ, ଗ୍ୟାସ୍ ଏବଂ ଖାଇବା ତେଲ ବ୍ୟବହାରରେ ସାମାନ୍ୟ ନିୟନ୍ତ୍ରଣ ଆଣିପାରିବ କିନ୍ତୁ ନିତିଦିନିଆ ଜୀବନରେ ବ୍ୟବହାର ହେଉଥିବା ଔସଧରେ ନୁହେଁ । ତେଣୁ ଔଷଧର ମୂଲ୍ୟ ବୃଦ୍ଧି ଗରିବ ଏବଂ ମଧ୍ୟବିତ ପରିବାରର ଲୋକଙ୍କ ଇପରେ ପ୍ରଭାବ ପକାଇବ ବୋଲି ଆଂଶକା ସୃଷ୍ଟି ହୋଇଛି ।