ଏଣିକି ଆପଣଙ୍କ ଘରେ ଆଣି ଔଷଧ ଦେବ ଡ୍ରୋନ୍ । ଭାରତରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଏହି ସ୍ୱତନ୍ତ୍ର ସେବା ।

255

କନକ ବ୍ୟୁରୋ : ଏଣିକି ଡ୍ରୋନ୍ ମାଧ୍ୟମରେ ଘରେ ପହଞ୍ଚିବ ଔଷଧ । ରାସ୍ତା ଜାମ ଥାଉ କିମ୍ବା ଔଷଧ ଆଣିବା ପାଇଁ ପାଖରେ କେହି ନଥାନ୍ତୁ, ଏଣିକି ମେଡ଼ିସିନ ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ମିଳିଥିବା ସୂଚନା ମୁତାବକ ଶନିବାର ଦିନ ତେଲେଙ୍ଗାନାରେ ‘ମେଡ଼ିସିନ ଫ୍ରମ ଦି ସ୍କାଏ’ ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହି ସମୟରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ । ସିନ୍ଧିଆ କହିଛନ୍ତି ଯେ ଏହି ପ୍ରକଳ୍ପ ଅଧୀନରେ ଡ୍ରୋନ୍ ବ୍ୟବହାର କରି ଔଷଧ ଏବଂ ଟିକା ବିତରଣ କରାଯିବ । କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପାଇଲଟ ପ୍ରକଳ୍ପ ଭାବରେ ତେଲେଙ୍ଗାନାର ୧୬ଟି ଗ୍ରୀନ୍ ଜୋନରେ ଏହା ଆରମ୍ଭ ହୋଇଛି । ପରେ ତଥ୍ୟ ଆଧାରରେ ଏହା ସମଗ୍ର ଦେଶରେ ଆରମ୍ଭ ହେବ ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ତେଲେଙ୍ଗାନାର ୧୬ଟି ଗ୍ରୀନ ଜୋନରେ ‘ମେଡ଼ିସିନ ଫ୍ରମ ଦି ସ୍କାଏ’ ପ୍ରକଳ୍ପ ଆରମ୍ଭ ହୋଇଛି । ଏହାର ତଥ୍ୟ ତିନି ମାସ ପରେ ବିଶ୍ଳେଷଣ କରାଯିବ । ଏହା ପରେ ବିମାନ ଚଳାଚଳ ମନ୍ତ୍ରାଳୟ, ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ଆଇଟି ମନ୍ତ୍ରାଳୟ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ମିଳିତ ଭାବେ ସମଗ୍ର ଦେଶ ପାଇଁ ଏକ ମଡେଲ ପ୍ରସ୍ତୁତ କରିବେ । ସିନ୍ଧିଆ କହିଛନ୍ତି ଯେ କେବଳ ତେଲେଙ୍ଗାନା ପାଇଁ ନୁହେଁ ସମଗ୍ର ଦେଶ ପାଇଁ ଆଜି ଏକ ଗର୍ବର ଦିନ । ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଡ୍ରୋନ୍ ନୀତି ପ୍ରସ୍ତୁତ ଏବଂ କାର୍ଯ୍ୟକାରୀ କରାଯାଇଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏକ ଇଣ୍ଟରାକ୍ଟିଭ୍ ଏରୋସ୍ପେସ୍ ମାନଚିତ୍ର ପ୍ରସ୍ତୁତ କରାଯାଉଛି । ଏହି ମାନଚିତ୍ର ଏବଂ ରାଜ୍ୟଗୁଡିକର ସାହାଯ୍ୟରେ ବିଭିନ୍ନ ଜୋନ୍ ଚିହ୍ନଟ କରାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ ଅର୍ଥନୈତିକ ଫୋରମ୍, ନୀତି ଆୟୋଗ ଏବଂ ହେଲଥନେଟ୍ ଗ୍ଲୋବାଲ୍ ମାଧ୍ୟମରେ ତେଲେଙ୍ଗାନାରେ ‘ମେଡ଼ିସିନ ଫ୍ରମ ଦି ସ୍କାଏ’ ପ୍ରକଳ୍ପ ଆରମ୍ଭ ହୋଇଛି । ତେଲେଙ୍ଗାନାର ବିକାରାବାଦ ଜିଲ୍ଲାର ଚିହ୍ନିତ ଏୟାରସ୍ପେସରେ ଡ୍ରୋନ୍ ମାଧ୍ୟମରେ ଟିକା ବିତରଣ କରାଯାଉଛି । ଏହି ସମୟରେ ତେଲେଙ୍ଗାନାର ଆଇଟି ଏବଂ ଶିଳ୍ପ ମନ୍ତ୍ରୀ ରାମା ରାଓ ମଧ୍ୟ ଉପସ୍ଥିତ ଥିଲେ । ସେ ହାଇଦ୍ରାବାଦର ବେଗୁମପେଟ ବିମାନବନ୍ଦରରେ ବିମାନ ଚଳାଚଳ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଦାବି କରିଥିଲେ ।