ଚାପରେ ରହୁଛନ୍ତି ମେଡିକାଲ ଛାତ୍ରଛାତ୍ରୀ। ଚାପ ସହିନପାରି କରୁଛନ୍ତି ଆତ୍ମହତ୍ୟା।

291

କନକ ବ୍ୟୁରୋ: ସାମ୍ନାକୁ ଆସିଛି ଚମକାଇ ଦେବା ଭଳି ତଥ୍ୟ । ଏନଏମସି ବା ଜାତୀୟ ମେଡିକାଲ କମିସନରୁ ମିଳିଥିବା ଆରଟିଆଇ ତଥ୍ୟ ଅନୁସାରେ, ଗତ ୫ବର୍ଷ ଭିତରେ ୬୪ ଏମବିବିଏସ୍ ଏବଂ ୫୫ ପୋଷ୍ଟଗ୍ରାଜୁଏଟ୍ ମେଡିକାଲ ଛାତ୍ର ଆତ୍ମହତ୍ୟା କରିଛନ୍ତି । ୧୧ ଶହ ୬୬ ମେଡିକାଲ ଛାତ୍ର ଅଧାରୁ ପାଠ ଛାଡି ଦେଇଛନ୍ତି । ଡାକ୍ତରୀ ପାଠ ଛାଡିଥିବା ପିଲାଙ୍କ ମଧ୍ୟରେ, ୧୬୦ ଜଣ ଏମବିବିଏସ୍ ପଢୁଥିଲେ ଏବଂ ୧ ହଜାର ୬ ଜଣ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ର ଥିଲେ । ସାମନାକୁ ଆସିଥିବା ରିପୋର୍ଟକୁ ଡାକ୍ତର ଓ ଡାକ୍ତରୀ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି । ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଉପରେ ଅତ୍ୟଧିକ ଚାପ ରହୁଛି ବୋଲି ଉଭୟ ଡାକ୍ତର ଓ ଡାକ୍ତରୀ ପଢ଼ୁଥିବା ଛାତ୍ରଛାତ୍ରୀ କହିଛନ୍ତି ।

ଡାକ୍ତରୀ ଛାତ୍ରଛାତ୍ରୀମାନେ ଚାପଗ୍ରସ୍ତ ହେବାର ଅନେକ କାରଣ ରହିଛି । କେତେବେଳେ ପିଲା ପରିବାରଠାରୁ ୨୪ଘଣ୍ଟା ଦୂରେଇ ରହିବା କାରଣରୁ ଚାପରେ ରହୁଛି ତ ଆଉ କେତେବେଳେ କାର୍ଯ୍ୟ ଚାପ ଯୋଗୁଁ ପରିବେଶ ସହ ଖାପ ଖୁଆଇ ପାରୁନି । ତାପରେ ସେ ଧିରେ ଧିରେ ମାନସିକ ଅବସାଦ ଭିତରକୁ ଚାଲି ଯାଉଛନ୍ତି, ଆଉ ମାନସିକ ଭାରସାମ୍ୟ ହରାଇ ସୁଇସାଇଡ୍ ଭଳି ଚରମ ପଦକ୍ଷେପ ନେଉଛନ୍ତି ବୋଲି କହିଛନ୍ତି ଡାକ୍ତର ।

ସବୁଠାରୁ ବିଚଳିତ କଲା ଭଳି କଥା ହେଉଛି, ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା ପିଲାମାନଙ୍କମଧ୍ୟରୁ ଅନେକଙ୍କ ବୟସ ୩୦ବର୍ଷରୁ କମ୍ । ନିକଟରେ ବାଲେଶ୍ୱର ମେଡିକାଲ କଲେଜର ଜଣେ ୨୨ବର୍ଷିୟ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଥିଲା ।