କନକ ବ୍ୟୁରୋ : ଗୋଟିଏ ପଟେ ନିତ୍ୟାବଶ୍ୟକ ସାମଗ୍ରୀର ଦର ଦିନକୁ ଦିନ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ କୋଭିଡ ସମୟ ପରେ ଚିକିତ୍ସା ଖର୍ଚ୍ଚରେ ବି ମାତ୍ରାଧିକ ବୃଦ୍ଧି ପାଇଛି । ଗତ ୫ବର୍ଷରେ ଗୋଟିଏ ରୋଗ ପାଇଁ ଚିକିତ୍ସା ଖର୍ଚ୍ଚ ଯାହା ଥିଲା ଏବେ ତାହା ଦୁଇଗଣା ବୃଦ୍ଧି ପାଇଛି । ଏହାସହ ସଂକ୍ରମଣ ଜନିତ ରୋଗ ଓ ମାଂସପେଶୀ ଜନିତ ରୋଗ ପାଇଁ ବୀମା କ୍ଲେମ୍ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଗୋଟିଏ ପଟେ ମହଙ୍ଗା ଦର ବାର୍ଷିକ ୭ ପ୍ରତିଶତ ହାରରେ ବୃଦ୍ଧି ପାଉଥିବା ବେଳେ ଚିକିତ୍ସା ଖର୍ଚ୍ଚରେ ବାର୍ଷିକ ୧୪ ପ୍ରତିଶତ ବୃଦ୍ଧି ପାଉଛି ।

Advertisment

ପଲିସିି ବଜାର ଡାଟାକୁ ଉଦ୍ଧୃତ କରି ଏକ ଜାତୀୟ ଗଣମାଧ୍ୟମରେ ଯେଉଁ ତଥ୍ୟ ପ୍ରକାଶ ପାଇଛି ଏଥିରେ କୁହାଯାଇଛି କି, ସଂକ୍ରମଣ ଜନିତ ରୋଗର ଚିକିତ୍ସା ପାଇଁ ୨୦୧୮ ମସିହାରେ ହାରହାରି ମେଡିକାଲ ଇନସ୍ୟୁରାନ୍ସର କ୍ଲେମ ୨୪,୫୬୯ ଟଙ୍କା ହେଉଥିବା ବେଳେ ୨୦୨୨କୁ ଏହା ବୃଦ୍ଧିପାଇ ୬୪,୧୩୫ ଟଙ୍କାରେ ପହଂଚିଛି । ଅର୍ଥାତ ଏହି ରୋଗର ଚିକିତ୍ସା ଖର୍ଚ୍ଚ ଗତ ୫ ବର୍ଷ ମଧ୍ୟରେ ୧୬୦ ପ୍ରତିଶତ ମହଙ୍ଗା ହୋଇଛି । ମୁମ୍ବାଇ ଭଳି ମହାନଗରଗୁଡିକରେ ଏହି ଖର୍ଚ୍ଚ ଗତ ୫ବର୍ଷ ମଧ୍ୟରେ ୩୦ ହଜାର ଟଙ୍କାରୁ ବୃଦ୍ଧି ପାଇ ୮୦ ହଜାର ଟଙ୍କାରେ ପହଂଚିଛି ।

ସେହିଭଳି ମାଂସପେଶୀ ଜନତି ରୋଗର ଚିକିତ୍ସା ପାଇଁ ୨୦୧୮ ମସିହାରେ ହାରାହାରି ୪୮,୪୫୨ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୨୦୨୨ ବେଳକୁ ତାହା ବୃଦ୍ଧିପାଇ ୯୪,୨୪୫ ଟଙ୍କାରେ ପହଂଚିଛି । ମୁମ୍ବାଇ ଭଳି ମହାନଗରଗୁଡିକରେ ଏହି ଖର୍ଚ୍ଚ ବିଗତ ୫ବର୍ଷ ମଧ୍ୟରେ ୮୦ ହଜାର ଟଙ୍କାରୁ ବୃଦ୍ଧି ପାଇ ୧.୭୦ ଲକ୍ଷ ଟଙ୍କାରେ ପହଂଚିଛି ।

କହିରଖୁ କି କରୋନା ମହାମାରୀ ଆସିବା ପରେ ସମସ୍ତ ରୋଗ ପାଇଁ ଚିକିତ୍ସା ଖର୍ଚ୍ଚ ବୃଦ୍ଧି ପାଇଛି । ଚିକିତ୍ସା ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀର ଦର ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି ।