ସୁଧୁରିବ ସ୍ୱାଭିମାନ ଅଂଚଳର ସ୍ୱାସ୍ଥ୍ୟ ସେବା: ୪ ଜଣ ଡାକ୍ତରଙ୍କୁ ନିଯୁକ୍ତ କଲା ମାଲକାନଗିରି ଜିଲ୍ଲା ପ୍ରଶାସନ; ଶିଶୁ ଓ ମହିଳାଙ୍କ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ

ଚିତ୍ରକୋଣ୍ଡା, ଯୋଡାଆମ୍ବ ଓ ଜାନବାଇରେ ସେବା ଯୋଗାଇବେ ୨ ଏମବିବିଏସ୍ ଓ ୨ ବିଶେଷଜ୍ଞ ଡାକ୍ତର

59

କନକ ବ୍ୟୁରୋ: ବର୍ଷ ବର୍ଷ ଦାବି ଓ ଦୀର୍ଘଦିନର ବ୍ୟବଧାନ ପରେ ସ୍ୱାଭିମାନ ଅଂଚଳର ଲୋକେ ପାଇବେ ଉତ୍ତମ ସ୍ୱାସ୍ଥ୍ୟ ସେବା । ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ୪ଜଣ ଡାକ୍ତରଙ୍କୁ ନୂଆ କରି ନିଯୁକ୍ତ କରାଯାଇଛି । ଯାହାଫଳରେ ଏହି ଅଂଚଳର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ । ଏହି ଡାକ୍ତରମାନେ ପ୍ରତି ସପ୍ତାହରେ ଚିତ୍ରକୋଣ୍ଡା, ଜାନବାଇ ଓ ଯୋଡାଆମ୍ବ ହସ୍ପିଟାଲରେ ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବେ । ସେପଟେ ଜିଲ୍ଲା ପ୍ରଶାସନର ଏଭଳି ଉଦ୍ୟମକୁ ଟ୍ୱିଟ୍ କରି ପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସ୍ୱାସ୍ଥ୍ୟ ସେବାକୁ ନେଇ ସବୁ ବେଳେ ଚର୍ଚ୍ଚାରେ ରୁହେ ସ୍ୱାଭିମାନ ଅଂଚଳ । ଦୁର୍ଗମ ଅଂଚଳର ଉଜୁଡା ସ୍ୱାସ୍ଥ୍ୟ ସେବାକୁ ନେଇ ଅନେକ ଖବର ସାମ୍ନାକୁ ଆସେ । ହେଲେ ଏଣିକି ସେଥିରେ ପରିବର୍ତନ ହେବ । କାରଣ ସ୍ୱାଭିମାନ ଅଂଚଳର ସ୍ୱାଭିମାନୀ ମଣିଷଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଅଂଟା ଭିଡିଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟର ୪ ଜଣ ଡାକ୍ତରଙ୍କୁ ସ୍ୱାଭିମାନ ଅଂଚଳରେ ନିଯୁକ୍ତି ଦେଇଛି ପ୍ରଶାସନ ।

ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବର୍ଷ ବର୍ଷର ବିଚ୍ଛିନ୍ନାଂଚଳ ସ୍ୱାଭିମାନ ଅଂଚଳରେ ପରିଣତ ହୋଇଛି । ଆଉ ବର୍ତମାନର ସେହି ସ୍ୱାଭିମାନ ଅଂଚଳରେ ୨ ଜଣ ଏମ୍ବିବିଏସ୍ ଓ ଜଣେ ଶିଶୁ ରୋଗ ଓ ଜଣେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ସ୍ୱାସ୍ଥ୍ୟ ସେବା ଯୋଗାଇବେ । ସପ୍ତାହର ମଙ୍ଗଳବାର ଦିନ ଡାକ୍ତରମାନେ ଚିତ୍ରକୋଣ୍ଡା ହସ୍ପିଟାଲରେ ରୋଗୀଙ୍କ ଚିକିତ୍ସା କରିବେ । ସେହିଭଳି ଶୁକ୍ରବାର ଦିନ ଜାନବାଇ ଡାକ୍ତରଖାନା ଓ ରବିବାର ଦିନ ଯୋଡାଆମ୍ବ ଡାକ୍ତରଖାନାରେ ସେବା ଯୋଗାଇ ଦେବେ ।  ମାଲକାନଗିରିର ସ୍ୱାଭିମାନ ଅଂଚଳରେ ରହୁଥିବା ମାଆ ଓ ଶିଶୁ ସ୍ୱାସ୍ଥ୍ୟବସ୍ଥା ଉପରେ ଗୁରୁତ୍ୱ ଦେଉଛି ଜିଲ୍ଲା ପ୍ରଶାସନ । ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ୱାତନ୍ତ୍ର ଡାକ୍ତର ନିଯୁକ୍ତ ହେବା ପରେ ସ୍ୱାଭିମାନୀ ମଣିଷ ମୁହଁରେ ହସ ଫୁଟିଛି ।