ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ: କୋଭିଡ କଟକଣା ଅନୁପାଳନ କରି ମେଡିକାଲ କଲେଜ ଖୋଲିବାକୁ ସରକାରଙ୍କ ଅନୁମତି 

128

କନକ ବ୍ୟୁରୋ: ଆଜି ଠାରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ ଖୋଲିବ । କୋଭିଡ କଟକଣାକୁ କଡାକଡି ଭାବେ ପାଳନ କରିବା ସହ ସାମାଜିକ ଦୂରତାକୁ ରକ୍ଷା କରି ମେଡିକାଲ କଲେଜ ଖୋଲାଯିବ ।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ଜାରି ହୋଇଛି । ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ହୋଇଥିବା କୋଭିଡ ନିୟମକୁ ପାଳନ କରିବା ପାଇଁ ଏହି ନିର୍ଦ୍ଦେଶନାମାରେ କୁହାଯାଇଛି । କରୋନା କଟକଣା କାରଣରୁ ଦୀର୍ଘଦିନ ଧରି ରାଜ୍ୟର ସମସ୍ତ ମେଡିକାଲ କଲେଜ ବନ୍ଦ ରହିଛି । ବର୍ତମାନ ସମୟରେ କରୋନା ସଂକ୍ରମଣର ହାର କମୁଥିବାରୁ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଉଦ୍ୟମ କରାଯାଇଥିବା ଅନୁମାନ କରାଯାଉଛି ।

ଅନ୍ୟପଟେ, ଡିସେମ୍ବର ମାସ ପାଇଁ ନୂଆ ମାର୍ଗଦର୍ଶିକା ଜାରି କରିଛନ୍ତି ରାଜ୍ୟ ସରକାର । ପୂର୍ବପରି ଡିସେମ୍ବର ମାସରେ ମଧ୍ୟ ସିନେମା ହଲ ଓ ସ୍ୱିମିଂ ପୁଲ୍ ଖୋଲିବ ନାହିଁ । ଅନ୍ୟପଟେ ମନ୍ଦିର ଖୋଲିବା ନେଇ ନିଷ୍ପତି, ସ୍ଥାନୀୟ ପ୍ରଶାସନ ଉପରେ ଛାଡ଼ି ଦିଆଯାଇଛି । ପୂର୍ବପରି ଅନ୍ତର୍ଜାତୀୟ ବିମାନ ଉଡାଣ କଟକଣା ଜାରି ରହିବ । ସେପଟେ କୌଣସି ପ୍ରକାର ବଡ ଧରଣର ସାମାଜିକ, ରାଜନୈତିକ, କ୍ରୀଡା କାର୍ଯ୍ୟକ୍ରମ ବନ୍ଦ ରହିବ ବୋଲି ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି । ତେବେ ବାହାଘରରେ ସର୍ବାଧିକ ୨ଶହ ଲୋକ ସାମିଲ ହୋଇପାରିବେ ଏବଂ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ଗାଇଡ୍ ଲାଇନ୍ରେ ଉଲ୍ଲେଖ ରହିଛି । ମାସ୍କ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ । ହଲ୍ ମଧ୍ୟରେ ୫୦ ପ୍ରତିଶତ ବ୍ୟକ୍ତି ଓ ଖୋଲା ମଇଦାନରେ ନିର୍ଦ୍ଧାରିତ ସଂଖ୍ୟକ ଲୋକଙ୍କୁ ଅନୁମତି ମିଳିବ । କିନ୍ତୁ ଡିସେମ୍ବର ୩୧ ଯାଏଁ କୌଣସି କ୍ଲବ୍ ଖୋଲିପାରିବ ନାହିଁ । ଫଳରେ ନୂଆ ବର୍ଷ ଜିରୋ ନାଇଟ୍ ସେଲିବ୍ରେସନ୍ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହାସହ ଡିସେମ୍ବରରେ ପ୍ରଦର୍ଶନୀ ମେଳା ଭଳି କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ଶିଶିର ସରସ, ତୋଷାଳୀ କ୍ରାଫ୍ଟ ମେଳା ଆଦି କାର୍ଯ୍ୟକ୍ରମ ବନ୍ଦ କରିଛନ୍ତି ରାଜ୍ୟ ସରକାର ।

ଡିସେମ୍ବର ୩୧ ତାରିଖ ଯାଏଁ ଅଙ୍ଗନୱାଡି କେନ୍ଦ୍ର ବନ୍ଦ ରହିବ । ହେଲେ ଡିସେମ୍ବର ୧ତାରିଖରୁ ସମସ୍ତ ମେଡିକାଲ କଲେଜ ଖୋଲିବା ନେଇ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ସ୍କୁଲ ଖୋଲିବା ନେଇ ନିଷ୍ପତି ସ୍କୁଲ ଓ ଗଣଶିକ୍ଷା ବିଭାଗ ନେବ ବୋଲି ଗାଇଡଲାଇନରେ କୁହାଯାଇଛି । ବିଶେଷ କରି ନବମରୁ ଦ୍ୱାଦଶ ଯାଏଁ ଶିକ୍ଷାନୁଷ୍ଠାନ ଖୋଲିବା ବାବଦରେ ନିଷ୍ପତି ନେବ ଗଣଶିକ୍ଷା ବିଭାଗ । ସେହିପରି କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ନେବ ବୋଲି କୁହାଯାଇଛିି । ତେବେ ଏଥିପାଇଁ ଏସଓପି ଜାରି କରାଯିବ । ସେପଟେ ସମସ୍ତ ବୈଷୟିକ ଓ ଦକ୍ଷତା ବିକାଶ କେନ୍ଦ୍ର ଡିସେମ୍ବର ୩୧ ଯାଏଁ ବନ୍ଦ ରହିବ ବୋଲି କହିିଛନ୍ତି ରାଜ୍ୟ ସରକାର । ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ କରୋନା କଟକଣା ପାଳନ କରିବେ । ବିଉଟି ପାର୍ଲର, ସ୍ପା, ସେଲୁନ୍ ଆଦି ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ସର୍ବସାଧାରଣରେ ଛେପ ପକାଇବା, ପାନ, ଗୁଟକା, ମଦ ପାନ କରିବା ଉପରେ ଶକ୍ତ କଟକଣା ରହିଛି । ନିୟମ ନମାନିଲେ ଆଇନ ଅନୁଯାୟୀ ଫାଇନ ଆଦାୟ କରାଯିବ ।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟାଳୟ ଓ ଘରୋଇ ପ୍ରତିଷ୍ଠାନରେ କୋଭିଡ ନିୟମ କଡ଼ାକଡ଼ି ପାଳନ ହେବ । ତେବେ କଂଟେନମେଂଟ ଜୋନ୍ ବା ଅବରୋଧ ଅଂଚଳରେ ଲକ୍ଡାଉନ୍ ଜାରି ରହିବ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବାକୁ ଅବରୋଧ ଅଂଚଳରେ ଅନୁମତି ମିଳିବ । ପୂର୍ବଭଳି ଏହି ଅଂଚଳରେ କଂଟାକ୍ଟ ଟ୍ରେସିଂ ଜାରି ରହିବ । ଜଣେ କରୋନା ପଜିଟିଭ୍ ଚିହ୍ନଟ ହେଲେ, ତାଙ୍କୁ ତୁରନ୍ତ ସଙ୍ଗରୋଧରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯିବ । ଅନ୍ୟପଟେ ସ୍ଥାନୀୟ ସ୍ତରରେ ଲକ୍ଡାଉନ୍ ନିଷ୍ପତି ଅଧିକାରୀ ନେଇପାରିବେ ନାହିଁ ବୋଲି ଗାଇଡ୍ ଲାଇନ୍ରେ ଉଲ୍ଲେଖ ରହିଛି । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ସମାଗ୍ରୀ ପରିବହନ ଓ ଲୋକଙ୍କ ଯିବା-ଆସିବା ଉପରେ କୌଣସି ପ୍ରତିବନ୍ଧ ଲାଗିବ ନାହିଁ । ତେବେ ୬୫ ବର୍ଷରୁ ଉଦ୍ଧ୍ୱର୍, ରୋଗୀ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ୍ ପିଲାଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି ।