କନକ ବ୍ୟୁରୋ : ମେଡ଼ିକାଲ କଲେଜରେ ନାମ ଲେଖାଇବାକୁ କହି ଠକେଇ ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଇନଫୋସିଟଇ ଥାନା ପୋଲିସ । ଅଭିଯୁକ୍ତ ମାନେ ହେଲେ ଅଭିମନ୍ୟୁ କୁମାର ସିଂ ଓ ସୁଗତ ଚୌଧୁରୀ । ୩୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କା ଜବତ କରିବାରେ ସଫଳ ହୋଇଛି ପୋଲିସ । ଜଣଙ୍କୁ କଲିକତା ଓ ଅନ୍ୟ ଜଣଙ୍କୁ ପାଟଣା ରେଳ ଷ୍ଟେସନରୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ ।
ସେମାନଙ୍କ ଠାରୁ ୨ଟି ଲାପଟପ୍, ୮ଟି ମୋବାଇଲ ଓ ଗୋଟିଏ ଜାଲ ଆଧାରକାର୍ଡ଼ ଜବତ କରାଯାଇଛି । କର୍ଣ୍ଣାଟକ, ବିହାର, ଛତିଶଗଡ଼ ଓ କଲିକତା ଭଳି ବିଭିନ୍ନ ରାଜ୍ୟରେ ଏଭଳି ଠକେଇ କରୁଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ବିଭିନ୍ନ ହସ୍ପିଟାଲରେ ଡାକ୍ତର ଥିବା କହି ମେଡ଼ିକାଲ କଲେଜ ଛାତ୍ରଛାତ୍ରୀଙ୍କୁ ଠକୁଥିଲେ ଏହି ଠକ । ଇନଫୋସିଟି ଥାନାରେ ଗତ ୫ ତାରିଖରେ ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ କରୁଥିଲା । ଏହି ଦୁଇ ଜଣ ଠକ ସେମାନଙ୍କ ନାଁ ବଦଳାଇ ଜାଲ ପରିଚୟ ପତ୍ର ତିଆରି ବିଭିନ୍ନ ରାଜ୍ୟ ବୁଲି ଠକେଇ କରୁଥିବା ଜଣାପଡ଼ିଛି ।