କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ମାତିଛନ୍ତି ପଡ଼ୋଶୀ ରାଜ୍ୟର ବିଭିନ୍ନ ଘରୋଇ ଡାକ୍ତରଖାନାର ଦଲାଲ । ବିଏସକେୱାଇ କାର୍ଡ ଥିବା ହିତାଧିକାରୀଙ୍କୁ ଚିକିତ୍ସା ପାଇଁ ନେଇ କାର୍ଡରୁ ଲକ୍ଷାଧିକ ଟଙ୍କା ଲୁଟ କରୁଥିବା ଅଭିଯୋଗ ହୋଇଛି । ଏହି ଦଲାଲଙ୍କ ଟାର୍ଗେଟରେ ମୁଖ୍ୟତଃ ଗ୍ରାମାଞ୍ଚଳର ଅଶିକ୍ଷିତ ଲୋକ ରହୁଥିବାରୁ କାର୍ଡରୁ ବଡ଼ଧରଣ ଲୁଟ ହେଉଥିବା ସନ୍ଦେହ କରାଯାଉଛି ।

ପଡ଼ୋଶୀ ରାଜ୍ୟର ମେଡିକାଲ ଦଲାଲଙ୍କ ସହାୟତାରେ ଚିକିତ୍ସିତ ହୋଇ ଫେରିଥିବା ରାଇଘର ବ୍ଲକ ସମ୍ବଲପୁର ଗାଁର ଏ ହେଉଛନ୍ତି ବଂଶୀ ଗଣ୍ଡ । ଆଣ୍ଠୁ ଗଣ୍ଠି ବ୍ୟଥାରେ ଘାଣ୍ଟି ହେଉଥିଲେ । କିନ୍ତୁ ପଡ଼ୋଶୀ ରାଜ୍ୟର ଏକ ଘରୋଇ ହସ୍ପିଟାଲର ଜଣେ ଦଲାଲଙ୍କ ସହାୟତାରେ ବଂଶୀ ବାହାର ରାଜ୍ୟରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି । ବଂଶୀ ଗଣ୍ଡଙ୍କ ଆଣ୍ଠୁ ଅସ୍ତ୍ରୋପଚାର ବାବଦକୁ କାର୍ଡରୁ ୧ ଲକ୍ଷ ୯୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଜୟବତୀ ଗଣ୍ଡଙ୍କ ଅସ୍ତ୍ରୋପଚାର ଓ ଚିକିତ୍ସା ବାବଦରେ କାର୍ଡରୁ ୨ ଲକ୍ଷ ୩ ହଜାର ଟଙ୍କା କଟିଛି । ବନ୍ତିବାଇ ଗଣ୍ଡଙ୍କ ଅଣ୍ଟା ବ୍ୟଥାର ଚିକିତ୍ସା ପାଇଁ ୯୬ ହଜାର ଟଙ୍କା ବିଏସକେୱାଇ କାର୍ଡରୁ କଟା ଯାଇଛି । ଏମାନେ ସମସ୍ତେ ନିରକ୍ଷର, ତେଣୁ ତାଙ୍କ କାର୍ଡରୁ ଚିକିତ୍ସା ନାଁରେ ଟଙ୍କା ଠକେଇ କରାଯାଇଥିବା ସନ୍ଦେହ କରାଯାଉଛି ।

ଘରକୁ ଘର ବୁଲି ବିଏସକେୱାଇ କାର୍ଡ ଥିବା ରୋଗୀଙ୍କୁ ସଂଗ୍ରହ କରୁଛନ୍ତି ଦଲାଲ । ଆଉ ୫ରୁ ୭ ଜଣ ରୋଗୀ ରାଜି ହେଲେ ଗାଡ଼ିଟିଏ କରି ସମସ୍ତଙ୍କୁ ଚିକିତ୍ସା ପାଇଁ ଆନ୍ଧ୍ର କିମ୍ୱା ଛତିଶଗଡ ନେଉଛନ୍ତି । ରୋଗୀ ଚିକିତ୍ସିତ ହୋଇ ଫେରିବା ପରେ କିଛି ଅସୁବିଧା ହେଲେ ସଂପୃକ୍ତ ଡାକ୍ତରଖାନାର କର୍ମଚାରୀ କିମ୍ୱା ଦଲାଲଙ୍କ ଦେଖା ମିଳୁ ନାହିଁ । ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଚିକିତ୍ସା ବାବଦରେ ଟଙ୍କାଟିଏ ଦେବାକୁ ପଡୁନାହିଁ । ଯିବା ଆସିବା ସହ ଚିକିତ୍ସା ଖର୍ଚ୍ଚ ସବୁ ବିଏସକେୱାଇ କାର୍ଡରୁ କଟୁଛି । ତେଣୁ ଗ୍ରାମାଂଚଳର ଗରିବ ଓ ନିରକ୍ଷର ରୋଗୀ ପଡୋଶୀ ରାଜ୍ୟରେ ଚିକିତ୍ସା ପାଇଁ ଆଗ୍ରହ ଦେଖାଉଛନ୍ତି । ତାଙ୍କ ସ୍ବାସ୍ଥ୍ୟ ସେବା କାର୍ଡରୁ ଟଙ୍କା ଲୁଟ ହେଉଥିବା ଖବର ମଧ୍ୟ ସେମାନେ ଜାଣିପାରୁ ନାହାନ୍ତି । ହେଲେ ସବୁ ଜାଣିଶୁଣି ସ୍ଥାନୀୟ ପ୍ରଶାସନ କିଛି ପଦକ୍ଷେପ ନନେବା ସମସ୍ତଙ୍କୁ ବିସ୍ମିତ କରୁଛି ।