ବାବା ରାମଦେବଙ୍କ ବୟାନକୁ ବିରୋଧ । କଳାଦିବସ ପାଳିଲେ ରେସିଡେଣ୍ଟ ଡାକ୍ତର । ସର୍ବ ସାଧାରଣରେ ନିସର୍ତ କ୍ଷମା ମାଗିବାକୁ କଲେ ଦାବି । ବିବାଦ ବଢିବା ପରେ ସ୍ୱର ବଦଳାଇଲେ ବାବା ।

251

କନକ ବ୍ୟୁରୋ: ଯୋଗ ଗୁରୁ ବାବା ରାମଦେବଙ୍କୁ ବିରୋଧ । ରେସିଡେଂଟ ଡାକ୍ତର ପାଳିଲେ କଳା ଦିବସ । ଏଲୋପାଥି ଚିକିତ୍ସାକୁ ନେଇ ଯୋଗ ଗୁରୁଙ୍କ ବିବାଦୀୟ ବୟାନକୁ ନେଇ ବିରୋଧ ତେଜିବାରେ ଲାଗିଛି । କେଉଁଠି ପ୍ଲାକାର୍ଡ ଧରି ତ କେଉଁଠି ପିପିଇ କିଟ୍ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ଡାକ୍ତର । ପିପିଇ କିଟ୍ ପିନ୍ଧି ବାହୁରେ କଳା ପଟି ବାନ୍ଧି ଡାକ୍ତରମାନେ ବିରୋଧ ଜାହିର କରିଛନ୍ତି । ଏପରିକି ହ୍ୱାଟସଅପ ଡିପିକୁ ମଧ୍ୟ ଡାକ୍ତରମାନେ କଳା କରିଥିବା ଦେଖିବାକୁ ମିଳିଛି । ତେବେ ବିରୋଧ ପ୍ରଦର୍ଶନ ଦ୍ୱାରା ଯେମିତି ରୋଗୀ ସେବା ପ୍ରଭାବିତ ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି । ବାବା ରାମଦେବଙ୍କ ବୟାନ ବିରୋଧରେ କଳା ଦିବସ ପାଳନ କରିଛି ଫେଡେରେସନ ଅଫ ରେସିଡେଂଟ ଡାକ୍ତର ଆସୋସିଏସନ ।

ଏହି ପ୍ରସଙ୍ଗରେ ବାବା ରାମଦେବ ସଫେଇ ଦେଇଥିଲେ ମଧ୍ୟ ତାହା ଡାକ୍ତରଙ୍କୁ ସନ୍ତୁଷ୍ଟ କରିପାରି ନାହିଁ । ଡାକ୍ତର କହିଛନ୍ତି, ବାବା ରାମଦେବ ବୟାନ ଦେଇ ସରକାରଙ୍କ କରୋନା  ଟିକାକରଣକୁ ନେଇ ମିଛ ଓ ଭ୍ରାମକ ପ୍ରଚାର କରିିଛନ୍ତି । ହେଲେ ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବା ପ୍ରତିବାଦରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛନ୍ତି ରେସିଡେଂଟ ଡାକ୍ତର । ଅନ୍ୟପଟେ ଏହି ବିବାଦକୁ ନେଇ ରାଜନୈତିକ ବୟାନ ବି ଆସିଛି ।

ସେପଟେ ଦେଶବ୍ୟାପୀ ଡାକ୍ତରଙ୍କ ବିରୋଧ ପରେ ସ୍ୱର ବଦଳାଇଛନ୍ତି ସ୍ୱାମୀ ରାମଦେବ । କହିଛନ୍ତି ତାଙ୍କ ଲଢ଼େଇ ଡାକ୍ତରଙ୍କ ବିରୋଧରେ ନୁହେଁ ଦେଶର ବଡ଼ ବଡ଼ ଏଲୋପାଥି ଔଷଧ କମ୍ପାନୀ ବିରୋଧରେ । ଏଲୋପାଥି ଚିକିତ୍ସା ଏବଂ ଚିକିତ୍ସକଙ୍କୁ ସମ୍ମାନ କରନ୍ତି । ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏଲୋପାଥିର ଅବଦାନକୁ ମଧ୍ୟ ସମ୍ମାନ ଜଣାନ୍ତି । ତେଣୁ ତାଙ୍କ ଲଢ଼େଇ ବଡ଼ ବଡ଼ ଔଷଧ କମ୍ପାନୀଙ୍କ ବିରୋଧରେ ଯେଉଁମାନେ ଅଧିକ ଲାଭର ଲୋଭରେ ଗରିବ ରୋଗୀଙ୍କ ଠାରୁ ପଇସା ଲୁଟନ୍ତି ।

ବାବାଙ୍କ ଲଢେଇ ସେହିମାନଙ୍କ ବିରୋଧରେ ଯିଏ ଅଯଥା ଗୁଡ଼ିଏ ଟେଷ୍ଟ କରିବା ସହ ଅନାବଶ୍ୟକ ଅପରେସନ କରାନ୍ତି କିମ୍ବା ଦାମି ଔଷଧ ଲେଖନ୍ତି । . . .ଏବେ ଦେଖନ୍ତୁ ବାବା  ରାମଦେବଙ୍କ ସେହି ବୟାନ ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ତେବେ ତାଙ୍କ ବୟାନକୁ ବିଭ୍ରାନ୍ତ କରି ଉପସ୍ଥାପନ କରାଯାଇଥିବା କହିଛନ୍ତି ଯୋଗଗୁରୁ ବାବା ରାମଦେବ ।