ଲୋକାର୍ପଣ ହେଲା ‘ସମ୍ବାଦ ଡିଜିଟାଲ’ । ଭିଡ଼ିଓ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଲେ, ଡିଜିଟାଲ ମିଡ଼ିଆ କିଛି ସେକେଣ୍ଡ ମଧ୍ୟରେ ଖବର ପହଞ୍ଚାଉଛି, ପରିବେଶ ସୁରକ୍ଷା ପାଇଁ ପୁନଶ୍ଚ ପୃଥିବୀ ଅଭିଯାନ ବଡ ଭୂମିକା ଗ୍ରହଣ କରିବ । 

111

କନକ ବ୍ୟୁରୋ : ସମ୍ବାଦ ଗ୍ରୁପ, ଓଡ଼ିଶାର ବୃହତ୍ତମ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଆଜି ସମ୍ବାଦ ଡିଜିଟାଲ ଲୋକାର୍ପଣ ହୋଇଛି । ଆଉ ଏହାସହ ପରିବେଶର ସୁରକ୍ଷା ପାଇଁ ‘ପୁନଶ୍ଚ ପୃଥିବୀ’ ଅଭିଯାନ ଆରମ୍ଭ ହୋଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ନବୀନ କହିଛନ୍ତି, ଗତ ଗୋଟିଏ ଦଶନ୍ଧି ହେବ ଡିଜିଟାଲ ମିଡିଆରେ ଲୋକଙ୍କ ପାଖରେ ଖବର ପହଞ୍ଚୁଛି ।  ଏସବୁ ଭିତରେ ଗତ ଏକ ଦଶନ୍ଧି ମଧ୍ୟରେ, ଡିଜିଟାଲ୍ ମିଡିଆ ଦ୍ରୁତ ଗତିରେ ବିକାଶ କରୁଛି ଏବଂ ଖବର ଦୃଷ୍ଟିରୁ ଏହାର ଚାହିଦା ମଧ୍ୟ ବଦଳୁଛି । ଇଣ୍ଟରନେଟ୍ ଏବଂ ସ୍ମାର୍ଟ ଫୋନ୍ ଆକାରରେ ଟେକ୍ନୋଲୋଜିର ଫାଇଦା ଏବଂ ଉପଲବ୍ଧତା ସମ୍ବାଦ ଇଣ୍ଡଷ୍ଟ୍ରିର ଚେହେରାକୁ ବଦଳାଇ ଦେଇଛି ।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଡିଜିଟାଲ୍ ଏବଂ ସୋସିଆଲ୍ ମିଡିଆକୁ ଧନ୍ୟବାଦ । ସଠିକ୍ ଏବଂ କମ୍ ସମୟରେ ପ୍ରାୟତଃ ସବୁ ଖବର ଆମ ପାଖରେ ପହଞ୍ଚାଉଥିବାରୁ । ପାଠକମାନଙ୍କୁ ଓଡିଆରେ ଡିଜିଟାଲ୍ ମାଧ୍ୟମରେ ଖବର ପହଞ୍ଚାଇବାରେ ସମ୍ବାଦ ଡିଜିଟାଲ୍ ହେଉଛି ସର୍ବପ୍ରଥମ ପ୍ରକାଶକମାନଙ୍କ ମଧ୍ୟରୁ ଅନ୍ୟତମ । ସେହିଭଳି ପୁନଶ୍ଚ ପୃଥିବୀ ନାଁରେ ପରିବେଶ ସୁରକ୍ଷା ପାଇଁ ଅଭିଯାନ ଆରମ୍ଭ ହୋଇଛି । ଆଗକୁ ପରିବେଶକୁ ସୁରକ୍ଷା ଦେବାରେ ଗଣମାଧ୍ୟମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ଜନସାଧାରଣଙ୍କୁ ଏକତ୍ରିତ କରି ସଚେତନ କରାଇ ଆମ ପୃଥିବୀକୁ ସୁରକ୍ଷା ଦେବାରେ ସହାୟକ ହେବ ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଓଡ଼ିଶାରେ ମଧ୍ୟ ଯଥେଷ୍ଟ ଅଧିକ ପଡୁଛି । ପ୍ରତିବର୍ଷ ଓଡ଼ିଶା ବନ୍ୟା, ବାତ୍ୟାର ମୁକସାକ୍ଷୀ ପାଲଟିଛି । କିନ୍ତୁ ଏହି ପ୍ରାକୃତିକ ବିପର୍ଯ୍ୟୟ ଆଗରେ ଓଡ଼ିଶା ମୁଣ୍ଡ ନୁଆଁଇନାହିଁ ବରଂ ସଠିକ୍ ଢଙ୍ଗରେ ମୁକାବିଲା କରି ବିଶ୍ୱରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ମିଳୁଥିବା ଆଗୁଆ ସୂଚନାକୁ ଆଧାର କରି ଓଡ଼ିଶା ମୁକାବିଲା କରୁଛି, ବାତ୍ୟା ଆଶ୍ରୟସ୍ଥଳୀକୁ ଆଗୁଆ ଲୋକଙ୍କୁ ଆଣି ହଜାର ହଜାର ଜୀବନ ବଞ୍ଚାଉଛି । ଆଗକୁ ମଧ୍ୟ ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟକୁ ସାହସର ସହ ମୁକାବିଲା କରିବ ଓ ପରିବେଶର ସୁରକ୍ଷା ପାଇଁ ଆଗେଇ ଆସିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।