ହାଇଦ୍ରାବାଦ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ଆସିଲା ରାୟ : ପ୍ରମାଣ ଅଭାବରୁ ସ୍ୱାମୀ ଅସୀମାନନ୍ଦଙ୍କ ସମେତ ୫ ଦୋଷମୁକ୍ତ

41

କନକ ବ୍ୟୁରୋ : ୨୦୦୭ ହାଇଦ୍ରାବାଦ ମକ୍କା ମସଜିଦ ବିସ୍ଫୋରଣ ମାମଲାରେ ଆଜି ଆସିଛି ରାୟ । ଏନଆଇଏର ସ୍ୱତନ୍ତ୍ର ଅଦାଲତ ଏହା ଉପରେ ରାୟ ଶୁଣାଇଛନ୍ତି । ମାମଲାରେ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ସ୍ୱାମୀ ଅସୀମାନନ୍ଦଙ୍କୁ ମଧ୍ୟ ଦୋଷମୁକ୍ତ କରାଯାଇଛି । ୨୦୦୭ ମସିହା ମେ ୧୮ ତାରିଖରେ ମକ୍କା ମସଜିଦ ଉପରକୁ ଆକ୍ରମଣ ହୋଇଥିଲା । ଏଥିରେ ୯ଜଣ ପ୍ରାଣ ହରାଇଥିଲେ । ଏବଂ ୫୮ ଜଣ ଆହତ ହୋଇଥିଲେ । ପ୍ରଥମେ ପୁଲିସ ମାମଲାର ତଦନ୍ତ କରିଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ମାମଲା ସିବିଆଇ ହାତକୁ ଯାଇଥିଲା । ତେବେ ୨୦୧୧ରେ ସିବିଆଇ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି ବା ଏନଆଇଏକୁ ମାମଲା ହସ୍ତାନ୍ତର କରିଥିଲା । ଏହି ମାମଲାରେ ସ୍ୱାମୀ ଅସୀମାନନ୍ଦଙ୍କ ସମେତ ମୋଟ୍ ୧୦ଜଣଙ୍କୁ ଅଭିଯୁକ୍ତ ବୋଲି ଦର୍ଶାଯାଇଥିଲା ।

ସେମାନଙ୍କ ମଧ୍ୟରୁ କେବଳ ପାଞ୍ଚ ଜଣଙ୍କୁ ଗିରଫ କରାଯାଇ ବିଚାରର ସମ୍ମୁଖୀନ କରାଯାଇଥିଲା। ସେମାନେ ହେଲେ ଦେବେନ୍ଦ୍ର ଗୁପ୍ତ, ଲୋକେଶ ଶର୍ମା, ସ୍ୱାମୀ ଅସୀମା ନନ୍ଦ ଓରଫ ନବ କୁମାର ସର୍କାର, ଭରତ ମୋହନଲାଲ ରାତେଶ୍ୱର ଓରଫ୍ ଭରତ ଭାଇ ଏବଂ ରାଜେନ୍ଦ୍ର ଚୌଧୁରୀ।

ଦୁଇ ଅଭିଯୁକ୍ତ ସ୍ୱାମୀ ଅସୀମାନନ୍ଦ ଏବଂ ଭାରତ ମୋହନଲାଲ ରାତେଶ୍ୱର ଜାମିନ ପାଇ ବାହାରି ଆସିଥିଲା ବେଳେ ଅନ୍ୟ ତିନି ଜଣ ବିଚାର ବିଭାଗୀୟ ରିମାଣ୍ଡର ହାଇଦ୍ରାବାଦସ୍ଥିତ କେନ୍ଦ୍ରୀୟ କାରାଗାରରେ ଥିଲେ। ଅନ୍ୟ ଦୁଇ ଅଭିଯୁକ୍ତ ସନ୍ଦୀପ ଭି ଡାଙ୍ଗେ ଏବଂ ରାମଚନ୍ଦ୍ର କଲସାଙ୍ଗ୍ରା ଫେରାର ଅଛନ୍ତି। ଅନ୍ୟ ଜଣେ ଅଭିଯୁକ୍ତ ସୁନୀଲ ଯୋଶୀଙ୍କର ଦେହାନ୍ତ ହୋଇ ଯାଇଛି। ଆହୁରି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଚାଲିଛି।
ଚତୁର୍ଥ ଅତିରିକ୍ତ ମେଟ୍ରୋପଲିଟାନ୍ ସେସନ୍ ଅଦାଲତ ତଥା ଏନ୍ଆଇଏ ପାଇଁ ସ୍ୱତନ୍ତ୍ର ଅଦାଲତ ବିଚାର ଶେଷ କରି ଏପ୍ରିଲ୍ ୧୬ ତାରିଖ ଦିନ ରାୟ ଶୁଣାଇବାକୁ ଗତ ସପ୍ତାହରେ ଦିନ ଧାର୍ଯ୍ୟ କରିଥିଲେ।

ସ୍ଥାନୀୟ ପୁଲିସ ଦ୍ୱାରା ପ୍ରାଥମିକ ତଦନ୍ତ କରାଯିବା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ସିବିଆଇ ଚାର୍ଜସିଟ୍ ଫାଇଲ୍ କରିଥିଲା। ୨୦୧୧ରେ ସିବିଆଇ ଠାରୁ ଏହି ମାମଲା ଏନ୍ଆଇଏ ନେଇଥିଲା।ବିଚାର ସମୟରେ ସମୁଦାୟ ୨୨୬ ଜଣ ସାକ୍ଷୀଙ୍କୁ ପଚରା ଯାଇଥିଲା ଓ ୪୧୧ଟି ଦଲିଲ୍ ଦାଖଲ କରାଯାଇଥିଲା।