କନକ ବ୍ୟୁରୋ: ରାଜ୍ୟରେ ମାଲ ପରିବହନ ପାଇଁ ୩ଟି ବନ୍ଦର ରହିଛି। ଏହି ବାଟ ଦେଇ ଜଳପଥରେ ବିଦେଶକୁ ମାଲ ପରିବହନ ହୋଇ ଆସୁଛି। ତେବେ କରୋନା କଟକଣା ଯୋଗୁଁ ଏସବୁ ବନ୍ଦର ଗୁଡ଼ିକରେ ଏବେ କର୍ମଚାରୀ ସଂଖ୍ୟାକୁ କମାଇ ଦିଆଯାଇଛି। ସୀମିତ ସଂଖ୍ୟକ କର୍ମଚାରୀରେ ସାମଗ୍ରୀର ରପ୍ତାନି ଓ ଆମଦାନି କାର୍ଯ୍ୟ ଚାଲିଛି। ଦେଶରେ କରୋନା ବ୍ୟାପିବା ପରେ ବନ୍ଦରରେ ମାଲ ପରିବହନକୁ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ସାମଗ୍ରୀ ସେବା ଅଧୀନରେ ରହିଥିବା ନେଇ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ପାରାଦୀପ ବନ୍ଦର ବାଟେ ମାଲ ପରିବହନ କରୁଥିବା କମ୍ପାନି ଓ ସଂସ୍ଥା ଗୁଡ଼ିକର ଅଧିକାରୀଙ୍କୁ ନେଇ ନିକଟରେ ବନ୍ଦରର ଅଧ୍ୟକ୍ଷ ଏକ ଜରୁରୀକାଳୀନ ବୈଠକ କରିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ବନ୍ଦରରେ ମାଲ ପରିବହନ କାର୍ଯ୍ୟକୁ ସ୍ବାଭାବିକ ରଖିବା ପାଇଁ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସିଆଇଏସଏଫ୍ ଏବଂ ପୁଲିସର ବ୍ୟାପକ ବନ୍ଦୋବସ୍ତ କରିଛନ୍ତି। ମାଲ ବୋଝେଇ ଓ ଖଲାସ କାର୍ଯ୍ୟ ପାଇଁ ବନ୍ଦର ଅଞ୍ଚଳ ଭିତରକୁ ସୀମିତ ସଂଖ୍ୟକ କର୍ମଚାରୀଙ୍କୁ ଛଡ଼ାଯାଉଛି ବୋଲି ପିପିଟିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। କରୋନା ଭୂତାଣୁ ସଂକ୍ରମଣ ଏବଂ ମାନ୍ଦାବସ୍ଥା ସତ୍ତ୍ବେ ପାରାଦୀପ ବନ୍ଦର ଚଳିତ ଆର୍ଥିକ ବର୍ଷ ୨୦୧୯-୨୦ର ୨୩ ତାରିଖ ସୁଦ୍ଧା ୧୧୦ ନିୟୁତ ଟନ୍ରୁ ଅଧିକ ମାଲ୍ ପରିବହନ କରିବାକୁ ସକ୍ଷମ ହୋଇଛି ବୋଲି ଅଧିକାରୀ ଜଣକ କହିଛନ୍ତି। କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ବନ୍ଦର ଅଞ୍ଚଳରେ ବ୍ୟାପକ ପଦକ୍ଷେପ ନିଆଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।
ସେହିଭଳି ଅନ୍ୟ ଦୁଇଟି ଘରୋଇ ବନ୍ଦର ଧାମରା ଏବଂ ଗୋପାଳପୁର ମଧ୍ୟ ସମସ୍ତ ପ୍ରକାର ସତର୍କତା ସହିତ ମାଲ ପରିବହନ କାର୍ଯ୍ୟ ଜାରି ରଖିଛନ୍ତି। ସତର୍କତାମୂଳକ ପଦକ୍ଷେପ ସହିତ ମାଲ ପରିବହନ ଜାରି ରଖି କମ୍ପାନି ଦେଶର ଅର୍ଥନୈତିକ ବିକାଶରେ ଏହାର ଯୋଗଦାନ ଜାରି ରଖିବ ବୋଲି ଆଦାନି ପୋର୍ଟସ ଆଣ୍ଡ ଇକୋନୋମିକ୍ ଜୋନ୍ ଲିମିଟେଡ୍ (ଏପିଏସଇଜେଡ୍)ର ଜଣେ ପ୍ରବକ୍ତା କହିଛନ୍ତି। ଗୋପାଳପୁର ବନ୍ଦର ମଧ୍ୟ ୨୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ମାଲ୍ ପରିବହନ କାର୍ଯ୍ୟ ଜାରି ରହିଛି। କରୋନା ପରେ ବନ୍ଦର ପକ୍ଷରୁ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/03/2de_Paradip-Por2DE_PARADIP_PORT.jp_.jpg)