କନକ ବ୍ୟୁରୋ: ଆକ୍ସନ ମୋଡରେ ନବୀନଙ୍କ ମନ୍ତ୍ରୀ । ଅଚାନକ ଆସୁଛନ୍ତି ଆକ୍ସନ ନେଉଛନ୍ତି । ଆଉ ଯେଉଁଠି କାମରେ ଟିକେ ଉଲମ ବିଲମ ଦେଖୁଛନ୍ତି ସାଙ୍ଗେସାଙ୍ଗେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ନୂଆ ସରକାର ଗଢିବା ପରେ ଆଗ ଅପେକ୍ଷା ବେଶ୍ ସକ୍ରିୟ ହୋଇଛନ୍ତି ନବୀନଙ୍କ ମନ୍ତ୍ରୀ । ସରକାରଙ୍କ ସବୁ ସୁବିଧା ସାଧାରଣ ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ଆଉ ସରକାରୀ କର୍ମଚାରୀ ଲୋକଙ୍କ ସୁଖସୁବିଧା ବୁଝୁଛନ୍ତି କି ନାହିଁ ତାହା ଜାଣିବାକୁ କର୍ମଚାରୀଙ୍କୁ ସରପ୍ରାଇଜ ଦେଉଛନ୍ତି ମନ୍ତ୍ରୀ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେବେ ଗତ କିଛି ମାସ ହେବ ମନ୍ତ୍ରୀଙ୍କ ଏଭଳି ସରପ୍ରାଇଜ ଭିଜିଟ ସରକାରୀ ଚାକିରିଆଙ୍କ ନିଦ ହଜାଇ ଦେଇଛି । ସ୍କୁଲ, କଲେଜ ଓ ଅଫିସରେ ହଠାତ ବିଭାଗୀୟ ମନ୍ତ୍ରୀଙ୍କୁ ଦେଖି ହଡବଡେଇ ଯାଉଛନ୍ତି କର୍ମଚାରୀ । ଆଉ ପରିଦର୍ଶନ ସମୟରେ ଯଦି ମନ୍ତ୍ରୀଙ୍କ ଆଖିରେ କିଛି ଅବ୍ୟବସ୍ଥାର ଚିତ୍ର ପଡିଗଲା ତାହାଲେ କଥା ସରିଲା । ତୁରନ୍ତ ଉକ୍ତ ସମସ୍ୟାର ସମାଧାନ ସହ ଦାୟିତ୍ୱରେ ଥିବା ଅଫିସରଙ୍କ ଦରମା କାଟିବାକୁ ମଧ୍ୟ ନିର୍ଦ୍ଦେଶ ଦେଉଛନ୍ତି ମନ୍ତ୍ରୀ । ତେଣୁ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଏବେ କୋକୁଆ ଭୟ ଖେଳିଯାଇଛି ।
ପଞ୍ଚମ ପାଳିରେ ନବୀନ ସରକାର ଗଢିବା ପରେ ସବୁ ମନ୍ତ୍ରୀ ଆଉ ସରକାରୀ କର୍ମଚାରୀଙ୍କୁ ଲୋକଙ୍କ ସମସ୍ୟା ବୁଝିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେମିତି ଜଣେ ବି ଲୋକ ରାଜ୍ୟରେ ହଇରାଣ ନହୁଅନ୍ତି ସେଥିପାଇଁ ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ମନ୍ତ୍ରୀଙ୍କ ମାସିକିଆ ରିପୋର୍ଟ ବି ମୁଖ୍ୟମନ୍ତ୍ରୀ ଦେଖୁଥିବାରୁ ଏବେ ଅନେକ ମନ୍ତ୍ରୀ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ସ୍ଥାନୀୟ ସମସ୍ୟା ବୁଝିବା ସହ ନିଜ ବିଭାଗରେ କଣ କଣ ଅସୁବିଧା ରହିଛି ତାହା ଦେଖୁଛନ୍ତି ।
ଗତ କିଛି ମାସ ହେବ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆକ୍ସନ ମୋଡରେ ଥିବା ବେଳେ ବିଭିନ୍ନ ହସ୍ପିଟାଲ ବୁଲି ରୋଗୀଙ୍କ ସମସ୍ୟା ବୁଝିବା ସହ ଅନେକ ସମସ୍ୟାର ସମାଧାନ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ଖାଦ୍ୟ ଯୋଗାଣ ମନ୍ତ୍ରୀ ରାଜା ସ୍ୱାଇଁ ନିଜ ବିଭାଗର ବିଭିନ୍ନ ଅଫିସକୁ ସରପ୍ରାଇଜ ଭିଜିଟ କରୁଛନ୍ତି ଆଉ ତୃଣମୂଳସ୍ତରର ସମସ୍ୟା ବୁଝୁଛନ୍ତି ।
ତେବେ ମନ୍ତ୍ରୀଙ୍କ ଏଭଳି ଅଚାନକ ପରିଦର୍ଶନ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଆଣୁଛି । ଯଦି ମନ୍ତ୍ରୀ ସରପ୍ରାଇଜ ଭିଜିଟ କରୁଛନ୍ତି ତେବେ ସାଙ୍ଗରେ ମିଡିଆ କାହିଁକି ନେଉଛନ୍ତି ? ଅଚାନକ ଗସ୍ତ ସମୟରେ ମନ୍ତ୍ରୀ କେଉଁଠିକୁ ଯାଉଛନ୍ତି, ଆଉ କଣ ଦେଖୁଛନ୍ତି ତାହା କ୍ୟାମେରାରେ କଏଦ ନକଲେ କଣ ସରପ୍ରାଇଜ ଭିଜିଟ ସଫଳ ହେବନି ? ନା ମାସିକିଆ ରିପୋର୍ଟ ଦେବାକୁ ଥିବାରୁ ଏସବୁ କରି ନିଜ ସୁପ୍ରିମୋଙ୍କୁ ଖୁସ୍ କରାଉଛନ୍ତି ମନ୍ତ୍ରୀ ?
ତେବେ ସରପ୍ରାଇଜ୍ ଭିଜିଟରେ ଆଉ ସସପେନ୍ସ ରହୁନି । ମନ୍ତ୍ରୀ ଯେଉଁଠିକୁ ଯାଉଛନ୍ତି ସେଠାକୁ ଭାୟା ମିଡିଆ ହେଉ ଅବା ମନ୍ତ୍ରୀଙ୍କ ଅଧିନସ୍ଥ କର୍ମଚାରୀଙ୍କ ଦ୍ୱାରା ଖବର ଲିକ ହେଉଛି । ଫଳରେ ମନ୍ତ୍ରୀ ଆସିବା ଆଗରୁ ଅବ୍ୟବସ୍ଥାକୁ ଥା ମା କରି କାମ ଚଳାଇ ଦିଆଯାଉଛି । ଯାହା ଦ୍ୱାରା ମନ୍ତ୍ରୀ ସରକାରୀ ଅବ୍ୟବସ୍ଥାର ଚରମ ଅବହେଳାକୁ ଦେଖି ପାରୁନାହାନ୍ତି । ତେଣୁ ମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ୍ ସଂଜ୍ଞାହୀନ ହେଉଛି । ଘନଘନ ହେଉଥିବା ସରପ୍ରାଇଜ ଭିଜିଟର କୌଣସି ସଂଜ୍ଞା ରହୁନି ।