ଧାନ ମଣ୍ଡିରେ ଅବ୍ୟବସ୍ଥା । ମଣ୍ଡିକୁ ନଆସି ମିଲକୁ ଯାଉଛି ଚାଷୀଙ୍କ ଧାନ, ମିଲମାଲିକ ଓ ଲ୍ୟାମ୍ପ କର୍ମଚାରୀଙ୍କ ସଲାସୁତୁରାରେ ଚାଲିଛି ଗଫଲତି ।

276

କନକ ବ୍ୟୁରୋ : ଧାନ ମଣ୍ଡିରେ ଜାଲିଆତି । ନବରଙ୍ଗପୁର ଜିଲ୍ଲାରେ ଚାଲିଥିବା ମଣ୍ଡି ଗୁଡିକ ଅବ୍ୟବସ୍ଥା ଭିତରେ ଚାଲିଥିବା ଅଭିଯୋଗ ହୋଇଛି । ନିୟମ ଅନୁସାରେ ମଣ୍ଡିକୁ ଧାନ ଆସି ଓଜନ ହେଲା ପରେ ମିଲକୁ ଯିବା କଥା । କିନ୍ତୁ ମଣ୍ଡିକୁ ଧାନ ନଆସି ସିଧା ମିଲକୁ ଯାଉଛି । ତେଣୁ ମଣ୍ଡିକୁ ଧାନ ବିକ୍ରି ପାଇଁ ଆସିଥିବା ଚାଷୀ ହତାଶ ହେଉଛନ୍ତି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।

ଧାନ ମଣ୍ଡିରେ ଅବ୍ୟବସ୍ଥା । ନିୟମ କହୁଛି, ଚାଷୀ ମଣ୍ଡିକୁ ଧାନ ଆଣିବ ଏବଂ ଟୋକେନ ସହାୟତାରେ ମଣ୍ଡିରେ ବିକ୍ରି ପରେ ଧାନକୁ ମିଲ ମାଲିକକୁ ହସ୍ତାନ୍ତର କରାଯିବ । ହେଲେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା ଗାଁର ଧାନ ମଣ୍ଡିରେ ଠିକ ଓଲଟା ଦେଖିବାକୁ ମିଳିଛି । ମଣ୍ଡିକୁ ନଆସି ସିଧା ମିଲକୁ ଯାଉଛି ଟୋକନ ପାଇଥିବା ଚାଷୀଙ୍କ ଧାନ । ପରେ ମିଲ ମାଲିକ ଟୋକନ ଆଣି ଲ୍ୟାମ୍ପ କର୍ମଚାରୀ ସହାୟତାରେ ମଣ୍ଡି ରେକର୍ଡରେ ପଞ୍ଜିକୃତ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ମଣ୍ଡିକୁ ଧାନ ଆଣୁଥିବା ଗରିବ ଚାଷୀ ମିଲ ମାଲିକଙ୍କ ମନମାନି ଯୋଗୁଁ ହଇରାଣ ହେଉଛନ୍ତି । ମଣ୍ଡିକୁ ଧାନ କମ ଆସୁଥିବାରୁ ଲୋଡିଂ, ଅନଲୋଡିଂ କରି ଦୁଇ ପଇସା ପାଉଥିବା ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଲ୍ୟାମ୍ପ ଏମଡି ଘଟଣାକୁ ସ୍ୱୀକାର କରିଛନ୍ତି ।

ସରକାର ମଣ୍ଡି ଗୁଡିକରେ ଜାଲିଆତି ରୋକିବାକୁ ବିଭିନ୍ନ ନିୟମ ପ୍ରଣୟନ କରିଛନ୍ତି । ହେଲେ ଲ୍ୟାମ୍ପ କର୍ମଚାରୀ ବ୍ୟବସାୟୀ ଓ ଦଲାଲମାନଙ୍କୁ ଅନୁକମ୍ପା ଦେଖାଇ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି । ଆଉ ଏହି ମଧୁଚନ୍ଦ୍ରିକାର ଫଳ ଭୋଗୁଛନ୍ତି ସାଧାରଣ ଚାଷୀ ।

Comments are closed.