ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ କରିବ ଭାରତ । ଅହମ୍ମଦାବାଦ, ଆଗ୍ରା ଓ ଦିଲ୍ଲୀ, ତିନିଟି ପର୍ଯ୍ୟାୟରେ ହେବ ଗସ୍ତ କାର୍ଯ୍ୟକ୍ରମ । ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ଆମେରିକା ରାଷ୍ଟ୍ରପତି ।

156

କନକ ବ୍ୟୁରୋ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ନେତାଙ୍କ ଭାରତ ଗସ୍ତ ନେଇ ସୂଚନା ଦେଇଛି ବୈଦେଶିକ ମନ୍ତ୍ରାଳୟ । ଅହମ୍ମଦାବାଦରେ ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ କରାଯିବ । ମୋଂଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ଯୋଗଦେବେ ଲକ୍ଷ ଲକ୍ଷ ଲୋକ । ଏହାପରେ ଆଗ୍ରା ଯାଇ ତାଜମହଲ ବୁଲିଦେଖିବେ ଆମେରିକା ରାଷ୍ଟ୍ରପତି । ଦିଲ୍ଲୀରେ ହେବ ପ୍ରତିନିଧି ସ୍ତରୀୟ ଆଲୋଚନା । ଦୁଇ ଦେଶ ଭିତରେ ସୁରକ୍ଷା ଓ ଆଂଚଳିକ ପ୍ରସଙ୍ଗକୁ ନେଇ ସଂପର୍କ ଆହୁରି ମଜଭୂତ ହେବ ବୋଲି ଆଶା କରୁଛି ବୈଦେଶିକ ମନ୍ତ୍ରାଳୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୪ ଥର ଭେଟି ସାରିଥିଲେ ମଧ୍ୟ ପ୍ରଥମଥର ପାଇଁ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତେବେ ଅହମ୍ମଦାବାଦରେ ପଂଚମଥର ପାଇଁ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରିବେ । ଆଗାମୀ ୨୪ ତାରିଖରେ ହେବାକୁ ଥିବା ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମ ବାବଦରେ ବିଧିବଦ୍ଧ ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରବିଶ କୁମାର ।

ଆମେରିକା ରାଷ୍ଟ୍ରପତିଙ୍କ ଗସ୍ତ ତିନିଟି ପର୍ଯ୍ୟାୟରେ ହେବ । ଅହମ୍ମଦାବାଦ, ଆଗ୍ରା ଓ ଦିଲ୍ଲୀ । ୨୪ ତାରିଖରେ ଅହମ୍ମଦାବାଦ ଯିବେ ଟ୍ରମ୍ପ । ସେଠାରେ ମୋଂଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ । ବିମାନବନ୍ଦରରୁ ଷ୍ଟାଡିୟମ ଯାଏଁ ହଜାର ହଜାର ଲୋକ ଟ୍ରମ୍ପଙ୍କୁ ସ୍ୱାଗତ କରିବେ ବୋଲି ଆଶା କରୁଛି ବୈଦେଶିକ ମନ୍ତ୍ରାଳୟ ।

 

ରାଷ୍ଟ୍ରପତି ଟ୍ରମ୍ପଙ୍କ ଦୁଇ ଦିନିଆ ଗସ୍ତ କାଳରେ ଆତଙ୍କବାଦ ଓ ଦ୍ୱିପାକ୍ଷୀକ ଆଂଚଳିକ ପ୍ରସଙ୍ଗରେ ଆଲୋଚନା ହେବା ସମ୍ଭାବନା ରହିଛି । କିନ୍ତୁ ବାଣିଜ୍ୟିକ ମତଭେଦ ଦୂର ନେଇ କୌଣସି ଚର୍ଚ୍ଚା ହେବନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ଡୋନାଲ୍ଡ ଟ୍ରମ୍ପ । ଏବେ ବୈଦେଶିକ ମନ୍ତ୍ରାଳୟ କହିଛି ଯେ, ଦୁଇ ଦେଶ ଭିତରେ ଥିବା ବାଣିଜ୍ୟିକ କାରବାରରେ ସମସ୍ୟା ଦୂର ନେଇ କିଛି ସହମତି ପ୍ରକାଶ ପାଇପାରେ । ତେବେ ଏହା ଏକ ଜଟିଳ ସମସ୍ୟା ହୋଇଥିବାରୁ ଭାରତ ସରକାର ତରବରିଆ ଭାବେ କୌଣସି ନିଷ୍ପତି ନେବାକୁ ଚାହୁଁନଥିବା କହିଛି ବୈଦେଶିକ ମନ୍ତ୍ରାଳୟ ।

ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ଅହମ୍ମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମକୁ ଆୟୋଜନ କରୁଛି ନାଗରିକତା ଅଭିନନ୍ଦନ ସମିତି । ତେଣୁ ଏହି କାର୍ଯ୍ୟକ୍ରମରେ କିଏ ସାମିଲ ହେବେ ଓ କିଏ ହେବେନାହିଁ, ତାହା ସମିତି ହିଁ ସ୍ଥିର କରିବ । ତେବେ ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ଭାରତ-ଆମେରିକା ସଂପର୍କ ଉପରେ ସାରା ବିଶ୍ୱର ନଜର ରହିଛି ।