ମହାଶୟଙ୍କ ମସଲା କାହାଣୀ । ଘୋଡା ଗାଡି ଚଳାଇବାରୁ ଆରମ୍ଭ କରି ସ୍ଥାପନ କରିଥିଲେ ୨ ହଜାର କୋଟିର ମସଲା ବ୍ୟବସାୟ

188

କନକ ବ୍ୟୁରୋ : ଆଉ ନାହାନ୍ତି ମସଲାର ମହାରାଜ ମହାଶୟ ଧର୍ମପାଲ ଗୁଲାଟି । ପ୍ରସିଦ୍ଧ ମସଲା କମ୍ପାନୀ ଏମଡିଏଚର ସେ ଥିଲେ ମାଲିକ । ଟେଲିଭିଜନ ବିଜ୍ଞାପନ ଜରିଆରେ ସମସ୍ତଙ୍କୁ ସାମ୍ନାକୁ ଆସି ସେ ଘରେ ଘରେ ହୋଇଥିଲେ ପରିଚିତ । ହେଲେ ଏବେ ସେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି । ୯୮ ବର୍ଷ ବୟସରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ଅସୁସ୍ଥତା ଯୋଗୁଁ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ ଧର୍ମପାଲ ।

ଭାରତରେ ଏତେ ବଡ ମସଲା କମ୍ପାନୀ ଛିଡା କରିବାରେ ତାଙ୍କ ସଂଘର୍ଷ ମଧ୍ୟ କିଛି କମ ନଥିଲା । ମାତ୍ର ୧୫ ଶହ ଟଙ୍କାରୁ ୨ ହଜାର କୋଟି ଟଙ୍କାର ମସଲା କମ୍ପାନୀ ଛିଡା କରିଥିଲେ ଧର୍ମପାଲ । ପାକିସ୍ତାନରୁ ଭାରତ ଆସି ଏତେ ବଡ ମସଲା କମ୍ପାନୀର ମାଲିକ ହେବା ଧର୍ମପାଲ ଗୁଲାଟୀଙ୍କ ପାଇଁ ସହଜ ନଥିଲା

୧୫ ଅଗଷ୍ଟ ୧୯୪୭ ମସିହା ବ୍ରିଟିଶ ଶାସନରୁ ସ୍ୱାଧୀନ ହୋଇଥିଲା ଭାରତ । ତେବେ ସ୍ୱଧୀନତା ଦେବା ସହ ବ୍ରିଟିଶମାନେ ଯେଉଁ ବିଭାଜନର ମଞ୍ଜି ବୁଣି ଦେଇଯାଇଥିଲେ । ସେଥିରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ବର୍ବାଦ ହୋଇଯାଇଥିଲା । କାରଣ ହିନ୍ଦୁସ୍ତାନ ବିଭାଜନ ହୋଇ ଭାରତ ଓ ପାକିସ୍ତାନ ହୋଇଥିଲା । ଆଉ ଏହାର ପ୍ରଭାବ ଲକ୍ଷ ଲକ୍ଷ ପରିବାର ଉପରେ ପଡିଥିଲା ।

ଯେଉଁଥିରେ ସାମିଲ ଥିଲେ ଧର୍ମପାଲ ଗୁଲାଟିଙ୍କ ପରିବାର । ରୋଜଗାର ଖୋଜି ଖୋଜି ପାକିସ୍ତାନରୁ ଦିଲ୍ଲୀ ଚାଲି ଆସିଥିଲେ ଧର୍ମପାଲ ଗୁଲାଟୀଙ୍କ ପରିବାର । ଆଉ ଦିଲ୍ଲୀରେ ପହଞ୍ଚିବା ପରେ ଘୋଡା ଗାଡି ଚଲାଇବା ଆରମ୍ଭ କରିଥିଲେ ଗୁଲାଟି ।

ବାପାଙ୍କ ଠାରୁ ଆଣିଥିବା ୧୫୦୦ ଟଙ୍କାରୁ ୬୫୦ ଟଙ୍କାରେ ଘୋଡା ଗାଡି କିଣିବା ସହ ଦିଲ୍ଲୀର ଷ୍ଟେସନରେ ଏହାକୁ ଚଳାଇବା ଆରମ୍ଭ କରିଥିଲେ । ପରେ କରୋଲାବାଗର ଅଜମଲ ଖାଁ ରୋଡରେ ସିଆଲକୋଟରୁ ମସଲା ଆଣି ବିକ୍ରି କରିବା ଆରମ୍ଭ କରିଥିଲେ ଗୁଲାଟି । ଆଉ ଗୁଲାଟିଙ୍କ ମସଲା ଲୋକଙ୍କର ଏତେ ପସନ୍ଦ ହୋଇଗଲା ଯେ ୬୦ ଦଶକରେ ପାଲ ତଳେ ଆରମ୍ଭ ହୋଇଥିବା ଏହି ଦୋକାନ ଦିଲ୍ଲୀର ପ୍ରତିଷ୍ଠିତ ଦୋକାନ ଭାବେ ଉଭା ହୋଇସାରିଥିଲା ।

ଆଉ ଏହାପରେ ଦିଲ୍ଲୀର ବିଭିନ୍ନ ସ୍ଥାନରେ ବ୍ୟବସାୟ ଆରମ୍ଭ କରିଥିଲେ ମହାଶୟ ଧର୍ମପାଲ ଗୁଲାଟି । ୧୯୫୯ ମସିହାରେ ଦିଲ୍ଲୀର କୀର୍ତ୍ତୀ ନଗରରେ ପ୍ରଥମେ ମସଲା ପ୍ରସ୍ତୁତ ପାଇଁ ଫ୍ୟାକ୍ଟ୍ରି ନିର୍ମାଣ କରିଥିଲେ ଗୁଲାଟି । ଆଉ ସମୟକ୍ରମେ ଏହା ଏବେ ପୂରା ବିଶ୍ୱରେ ଏମଡିଏଚ୍ ବ୍ରାଣ୍ଡ ଭାବେ ଉଭା ହୋଇଛି । ଧର୍ମପାଲ ନିଜେ ଏମଡିଏଚ୍ କମ୍ପାନିର ସିଇଓ ଦାୟିତ୍ୱ ତୁଲାଉଛନ୍ତି । ଆଉ ସବୁଠୁ ବଡ କଥା ହେଲା ତାଙ୍କର ଦରମା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ ।

୨୦୧୮ରେ ମହାଶୟ ଧର୍ମପାଲ ଗୁଲାଟିଙ୍କ ଦରମା ବାର୍ଷିକ ୨୫ କୋଟି ଯାହା କଞ୍ଜ୍ୟୁମର ପ୍ରଡକ୍ଟ ଭଳି କମ୍ପାନି ଗୁଡିକର ସିଇଓଙ୍କ ଦରମା ମଧ୍ୟରେ ସର୍ବାଧିକ । ଆଉ ନିଜ ଦରମାର ୯୦ ପ୍ରତିଶତ ଟଙ୍କା ସେ ବିଭିନ୍ନ ଚ୍ୟାରିଟି ସୋ’କୁ ଦେଉଥିଲେ। ଆଉ ଏମଡିଏଚ ମସଲା ମାଧ୍ୟମରେ ଭାରତର ଘରେ ଘରେ ପରିଚିତ ଥିବା ମହାଶୟ ଧର୍ମପାଲ ଗୁଲାଟିଙ୍କୁ ୨୦୧୯ରେ ଭାରତ ସରକାର ପଦ୍ମଭୂଷଣ ପୁରସ୍କାର ଦେଇ ସମ୍ମାନିତ କରିଥିଲେ।