ତାଳଚେରରେ ଏମସିଏଲର ଇଂରେଜ ଶାସନ । କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ ବୁଲଡ଼ୋଜର ଲଗାଇ ଭାଙ୍ଗିଲା ଲୋକଙ୍କ ଘର ।

238

କନକ ବ୍ୟୁରୋ : ତାଳଚେରରେ ଏମସିଏଲର ଇଂରେଜ ଶାସନ । କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ ବୁଲଡ଼ୋଜର ଲଗାଇ ଭାଙ୍ଗିଲା ଲୋକଙ୍କ ଘର । ଘର ଭାଙ୍ଗିବାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଅନ୍ୟପଟେ ଏମସିଏଲର ସବ କମିଟି ଦ୍ୱାରା ଆଲୋଚନା ହେଉଥିଲେ ମଧ୍ୟ ଏହାକୁ କାର୍ଯ୍ୟ କରିବାରେ ବିଳମ୍ବ ହେଉଥିବା ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ରାତିରେ ବୁଲିଲା ବୁଲଡ଼ୋଜର । ଆଉ ମାଟିରେ ମିଶିଗଲା ଲୋକଙ୍କ ଆସବାବ ପତ୍ର । ତାଲଚେର ଜଗନ୍ନାଥ କୋଇଲାଖଣି ପାଖରେ ଥିବା ହିଲୋଇ ଗାଁର ୧୨୦ ପରିବାର ଖଣି ଯୋଗୁଁ ଜମି ହରାଇଛନ୍ତି । ତାଙ୍କୁ କ୍ଷତିପୂରଣ ଦିଆନଯାଇ ଏମସିଏଲ ପକ୍ଷରୁ ରାତିଅଧରେ ଲୋକଙ୍କୁ ଘରୁ ବାହାର କରି ଜୋର ଜବରଦସ୍ତ ବୁଲଡ଼ୋଜର ଲଗାଇ ଘର ଗୁଡ଼ିକୁ ଭାଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । କ୍ଷତିଗ୍ରସ୍ତ ମାନେ ଉଚିତ ନ୍ୟାୟ ପାଇବା ପାଇଁ ବାରମ୍ବାର ବୈଠକ ଅନୁଷ୍ଠିତ ହେଉଛି । ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସବ କମିଟି ଗୁଡ଼ିକରେ ପଦକ୍ଷେପ ଗ୍ରହଣ କରାଯାଏ । ହେଲେ ସବ କମିଟିରେ ହେଉଥିବା ନିଷ୍ପତିକୁ ଏମସିଏଲ କର୍ତ୍ତୃପକ୍ଷ ବିଳମ୍ବ କରୁଥିବା ନେଇ ଅଭିଯୋଗ ହୋଇଛି ।

ଘର ଭାଙ୍ଗିବା ପରେ ଧାରଣା ଦେଇଥିବା ଗ୍ରାମବାସୀଙ୍କୁ ସହଯୋଗର ହାତ ବଢାଇଛି ତାଳଚେର ସୁରକ୍ଷା ମଞ୍ଚ । ଗ୍ରାମବାସୀଙ୍କ ଧାରଣାରେ ସାମିଲ ହୋଇ ଏମସିଏଲର ଏଭଳି କାର୍ଯ୍ୟକୁ ଦୃଢ ନିନ୍ଦା କରିଛି ତାଳଚେର ସୁରକ୍ଷା ମଞ୍ଚ । କୋଇଲା ଖଣି ପାଇଁ ନିଜର ଭିଟାମାଟି ଦେବାକୁ ରାଜି ହେଉଥିଲେ ମଧ୍ୟ ଉଚିତ କ୍ଷତିପୂରଣ ନଦେଇ ବଳପୂର୍ବକ ଘର ଭାଙ୍ଗିବାକୁ ନେଇ ତାଳଚେର ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଏସଂକ୍ରାନ୍ତରେ ମୁହଁ ଖୋଲିନାହାନ୍ତି ଏମସିଏଲ କର୍ତ୍ତୃପକ୍ଷ । ତାଳଚେରରେ ବାରମ୍ବାର ଏମସିଏଲର ଏଭଳି ମନମୁଖୀ କାର୍ଯ୍ୟ ଦେଖାଯାଉଥିବାରୁ କ୍ଷତିଗ୍ରସ୍ତଙ୍କ ଅସୋନ୍ତାଷ ବୃଦ୍ଧି ପାଉଛି । ତେଣୁ ସମସ୍ୟାର ସମାଧାନ କରି କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ଦେବାକୁ ସାଧାରଣରେ ଦାବି ହୋଇଛି ।