ତାଳଚେର ଏମସିଏଲ୍ ହସ୍ପିଟାଲ ହେଲା କୋଭିଡ୍ ହସ୍ପିଟାଲ । ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

94

ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍‌-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେରସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିବା ପାଇଁ ଅନୁମତି ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଏପ୍ରିଲ ୨୪ରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ ରକ୍ଷା କରି ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିବାକୁ ଅନୁମତି ଦେଇଛନ୍ତି କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ସୂଚନା ଦେବା ସହ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଟୁଇଟରେ ଲେଖାଯାଇଛି ଯେ, ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍‌-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼୍ ହସ୍ପିଟାଲରେ କାର୍ଯ୍ୟକ୍ଷମ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିଥିବାରୁ ପ୍ରଧାନମନ୍ତ୍ରୀ ଜୀ ଏବଂ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଜୀଙ୍କୁ ଧନ୍ୟବାଦ। ବର୍ତ୍ତମାନର କରୋନା ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଦେଶରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ମଜବୁତ୍ କରିବା ଦିଗରେ ପ୍ରାଥମିକତା ଦେଉଛନ୍ତି । ଏମଏସଏଲର ଏହି ପଦକ୍ଷେପ ଦ୍ୱାରା ଅନୁଗୁଳ ଜିଲ୍ଲା ତଥା ଆଖପାଖ ଅଞ୍ଚଳର କୋଭିଡ୍ ରୋଗୀମାନେ ବିଶେଷ ଭାବରେ ଉପକୃତ ହୋଇପାରିବେ । ଏହା ପୂର୍ବରୁ କରୋନା ବିରୋଧରେ ଏକାଠି ଲଢ଼ିବାକୁ ଆହ୍ୱାନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ସରକାରୀ ଓ ଘରୋଇ ଇସ୍ପାତ ଶିଳ୍ପର ମୁଖ୍ୟ ଓ ଅଧିକାରୀମାନଙ୍କ ସହ ମହାମାରୀକୁ ଦୃଢ଼ତାର ସହ ଲଢ଼ିବା ଦିଗରେ ଇସ୍ପାତ ଶିଳ୍ପର ଭୂମିକା ଏବଂ ଯୋଗଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ ।

ଷ୍ଟିଲ ପ୍ଲାଂଟରୁ ମେଡିକାଲ ଅକ୍ସିଜେନ୍ ଯୋଗାଣକୁ ବଢ଼ାଇବା ସହ ପ୍ଲାଂଟରୁ ହସ୍ପିଟାଲକୁ ସିଧାସଳଖ ଅକ୍ସିଜେନ୍ ଯୋଗାଇ ଦେବାକୁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ । ସ୍ୱାସ୍ଥ୍ୟସେବା ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ଅକ୍ସିଜେନ୍ ସଂଯୁକ୍ତ ଶଯ୍ୟା ସହ ବୃହତ କୋଭିଡ୍ କେୟାର ସୁବିଧା ନିର୍ମାଣ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ସରକାରୀ ଓ ଘରୋଇ ଷ୍ଟିଲ ପ୍ଲାଂଟ ପକ୍ଷରୁ ମୋଟ ୧୦ ହଜାର ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସୁବିଧା ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି ।