ପ୍ରାଣ ନେଇଗଲା କୋଇଲା ଖଣି । ତାଳଚେର ଭରତପୁର ଖଣିରେ ମାଟି ଅତଡ଼ା ଧସି ଶ୍ରମିକ ମୃତ । ଏବେବି ଫସି ରହିଛନ୍ତି ଅନେକ, ଉଦ୍ଧାର କାର୍ଯ୍ୟଜାରି

365

କନକ ବ୍ୟୁରୋ: ତାଳଚେର ଏମସିଏଲ କୋଇଲା ଖଣିରେ ବଡଧରଣର ଦୁର୍ଘଟଣା । ଭରତପୁର କୋଇଲ ଖଣିରେ ମାଟି ଅତଡା ଧସି ୩ ଜଣ ଶ୍ରମିକ ପୋତି ହୋଇଯାଇଛନ୍ତି । ବର୍ତମାନ ଉଦ୍ଧାର କାମ ଜାରି ରହିଛି । କୋଇଲା ଅତଡା ତଳୁ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ହାଇୱା ଡ୍ରାଇଭର ବୋଲି ଜଣାପଡିଛି । ତେବେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଁଛି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସୂଚନା ମୁତାବକ , ରାତି ପ୍ରାୟ ୨ଟା ସମୟରେ ଖୋଲାମୁହଁ କୋଇଲା ଖଣିରେ ଶ୍ରମିକମାନେ ତିନିଟି ହାଇୱା ଏବଂ ଗୋଟିଏ ଲୋଡରରେ କୋଇଲା ବୋଝେଇ କରୁଥିବାବେଳେ ଖଣି ମୁହଁର ଗୋଟିଏ ଅଂଶ ଅଚାନକ ଧସି ଯାଇଥିଲା । ଫଳରେ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କ ମଧ୍ୟରୁ ୧୩ ଜଣ ଫଶି ଯାଇଥିଲେ । ସେମାନଙ୍କ ଉପରେ କୋଇଲା ଅତଡା ଧସି ଯାଇଥିଲା । ତାଳଚେର ପୁଲିସ୍ ଓ ଦମକଳ ବାହିନୀ ୧୦ଜଣଙ୍କୁ ଉଦ୍ଧାର କରିସାରିଛନ୍ତି । ତେବେ ଆହୁରି ୩ ଜଣ ଅତଡା ତଳେ ଫସିରହିଛନ୍ତି । ଏବେବି ଅତଡା ତଳେ ଟ୍ରକ୍ , ଡମ୍ପର ଫସିରହିଛି ।

coal_blockଅନ୍ୟପଟେ ଖଣି ବିଭାଗର ପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରୁଛନ୍ତିି । ପୋତି ହୋଇଥିବା ଶ୍ରମିକଙ୍କ ପରିଚୟ ଜଣାପଡିନାହିଁ । ସେପଟେ ଉଦ୍ଧାର କରାଯାଇଥିବା ଅନ୍ୟ ଶ୍ରମିକମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ସେମାନଙ୍କ ଚକିତ୍ସା ପାଇଁ ସ୍ଥାନୀୟ କୋଇଲା ଖଣିର ଉଚ୍ଚ ପଦସ୍ଥ ଅଧିକାରୀ ମଧ୍ୟ ଘଟଣାର ତଦାରଖ କରୁଛନ୍ତି ।