ଦିଲ୍ଲୀରେ ଭୋଟର ଲିଷ୍ଟକୁ ନେଇ ରାଜନୀତି ସରଗରମ୍ । ତାଲିକାରୁ ନାଁ କଟିଯିବାକୁ ନେଇ ବିଜେପି, ଆପ୍ ମୁହାଁମୁହିଁ

88

ବ୍ୟୁରୋ ରିପୋର୍ଟ: ଦିଲ୍ଲୀ ନଗର ନିଗମର ୨୫୦ଟି ଆସନରେ ଆଜି ମତଦାନ ହୋଇଛି । ଏହା ମଧ୍ୟରେ ଭୋଟର୍ ତାଲିକାରୁ ଭୋଟରଙ୍କ ନାଁ କଟା ହୋଇଯାଇଥିବା ଅଭିଯୋଗକୁ ନେଇ ରାଜନୀତି ସରଗରମ ହୋଇଛି । ଗୋଟେପଟେ ପାଖାପାଖି ୧ ହଜାରରୁ ଅଧିକ ବିଜେପି ସମର୍ଥକଙ୍କ ନାଁ ଭୋଟର ଲିଷ୍ଟରୁ କଟିଯାଇଥିବା ସାଂସଦ ମନୋଜ ତିୱାରୀ ଅଭିଯୋଗ ଆଣିଥିବାବେଳେ ଆପ୍ ଓ କଂଗ୍ରେସର କିଛି ନେତା ଓ କର୍ମୀର୍ଙ୍କ ନାଁ ମଧ୍ୟ ତାଲିକାରେ ନଥିବା ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଉଭୟ ଦଳ ପରସ୍ପରକୁ ଦୋଷାରୋପ କରିଛନ୍ତି ।

ଏମସିଡି ନିର୍ବାଚନ ମଧ୍ୟରେ ବିଜେପି ସାଂସଦ ମନୋଜ ତିୱାରୀ ଅଭିଯୋଗ କରିଛନ୍ତି ଯେ, ‘ଭୋଟର ଲିଷ୍ଟରୁ ନାଁ କାଟିବା ଓ ଯୋଡିବା ଦିଲ୍ଲୀ ସରକାରଙ୍କ କାମ । ଯଦି ଦୁଇଟି ସ୍ଥାନରେ ଭୋଟରଙ୍କ ନାଁ ଥାଏ ତେବେ କୌଣସି ଗୋଟିଏ ସ୍ଥାନରୁ ତାଙ୍କ ନାଁ କଟାଯାଇପାରିବ । ଏଥିପାଇଁ ଭୋଟର ନିଜେ ଆବେଦନ କରିବା ଉଚିତ । ହେଲେ ଏଠି ଭୋଟରଙ୍କ ବିନା ଜାଣତରେ ସେମାନଙ୍କ ନାଁ କଟିଯାଇଛି । ବିଜେପିର ପାଖାପାଖି ୧ହଜାର ସମର୍ଥକଙ୍କ ନାଁ ଭୋଟର ତାଲିକାରୁ କଟିଯାଇଥିବା ଅଭିଯୋଗ କରି ଏଥିପାଇଁ ଆପ୍ ସରକାରଙ୍କୁ ଦାୟୀ କରିଛନ୍ତି ମନୋଜ ତିୱାରୀ ।

ଅନ୍ୟପଟେ ଆପ୍ ନେତା ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି । ଆମ ଆଦମୀ ପାର୍ଟିର କିଛି ନେତାଙ୍କ ନାଁ ବି ଭୋଟର ତାଲିକାରୁ କଟିଯାଇଛି । ଏ ଘଟଣାରେ ବଡ ଷଡଯନ୍ତ୍ର ଚାଲିଛି । ଏନେଇ ସେ ନିର୍ବାଚନ କମିଶନଙ୍କ ପାଖରେ ଅଭିଯୋଗ କରିବାକୁ କହିଛନ୍ତି ।