ନିଟରେ ୯୯ ପ୍ରତିଶତ ପାଇବି ଛାତ୍ରଙ୍କୁ ମିଳିଲାନାହିଁ ଏମବିବିଏସ, ଜାଣନ୍ତୁ କାରଣ…

227

କନକ ବ୍ୟୁରୋ: ଦେଶରେ ମେଡିକାଲ କଲେଜରେ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ନିଟ ପରୀକ୍ଷା ଅନୁଷ୍ଠିତ ହୋଇଥାଏ । ଏହି ପରୀକ୍ଷାରେ ଯେଉଁମାନେ ଯେତେ ଅଧିକ ମାର୍କ ପାଇଥାନ୍ତି ସେମାନେ ସେହି ଅନୁସାରେ ଭଲ ଭଲ ମେଡିକାଲ କଲେଜରେ ଆଡମିଶନ ଗ୍ରହଣ କରିଥାନ୍ତି । ତେବେ ବର୍ତ୍ତମାନ ଏଭଳି ଗୋଟିଏ ଖବର ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ଆପଣ ଭାବନ୍ତୁ ଯେତେବେଳେ ୯୯ ପ୍ରତିଶତ ମାର୍କ ରଖି ମଧ୍ୟ ଆପଣଙ୍କୁ ଏମବିବିଏସ କରିବାକୁ ସୁଯୋଗ ମିଳିବନାହିଁ ସେତେବେଳେ ଆପଣ କଣ କରିବେ । ଆପଣକୁ ଶୁଣିବାକୁ ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ୯୯.୩ ପ୍ରତିଶତ ମାର୍କ ରଖିଥିବା ଛାତ୍ରକୁ ନାମଲେଖାପାଇଁ ସୁଯୋଗ ମିଳିନାହିଁ ।

ପୁଡୁଚେରୀର ପ୍ରତିଷ୍ଠିତ ଜବାହାରଲାଲ ଇଉନଷ୍ଟିଚ୍ୟୁଟ ଅଫ୍ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚରେ ଦୁଇଟି ଜନ୍ମସ୍ଥାନ ହେବାର ଦାବି କରୁଥିବା ଛାତ୍ରଙ୍କ ନାମଲେଖା ରଦ୍ଦ ହୋଇଛି । କେରଳର ଜଣେ ୨୧ ବର୍ଷୀୟ ଛାତ୍ର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କ ନାମଲେଖାକୁ ରଦ୍ଦ କରିଦିଆଯାଇଛି । ଏନେଇ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶାଳୟର ମେଡିକାଲ କାଉନସିଲିଂ କମିଟି ଜିଆଇପିଏମଇଆର ସଂସ୍ଥାନର ନିର୍ଦ୍ଦେଶକଙ୍କୁ ଅବଗତ କରାଇଦେଇଛି ।

ନିୟମ ଅନୁସାରେ ମେଡିକାଲ କଲେଜର ନାମଲେଖା ପାଇଁ ଆପଣ ଆବେଦନ ସମୟରେ ଜଣେ ଛାତ୍ର ଗୋଟିଏ ଶିକ୍ଷାବର୍ଷରେ ଗୋଟିଏରୁ ଅଧିକ ରାଜ୍ୟର ମୂଳନିବାସୀ ଭାବେ ଦର୍ଶାଇପାରିବେ ନାହିଁ । ଘଟଣାଟି କିଛି ଏଭଳି ଥିଲା ଯେ ଖାଲିଦ ନାମକ ଜଣେ ଛାତ୍ର ନିଟରେ ୯୯.୩୦ ପ୍ରତିଶତ ମାର୍କ ରଖିଥିଲେ । ଏହାପରେ ତାଙ୍କୁ ପୁଡୁଚେରୀର ଏହି ସଂସ୍ଥାନରେ ନାମଲେଖାର ସୁଯୋଗ ମିଳିଥିଲା । ତେବେ ଏହାକୁ ନେଇ ନାମଲେଖାପାଇଁ ଇଚ୍ଛୁକ ଥିବା ଆଉ ଜଣେ ଛାତ୍ର ସାମିନାଥନ ଏସ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ଜାଣିବାକୁ ପାଇଥିଲେ ଯେ ଖାଲିଦ ପୁଡୁଚେରୀ ଏବଂ କେରଳର ମୂଳ ନିବାସୀ ଭାବେ ଦୁଇଟି ଜନ୍ମସ୍ଥାନର ଫାଇଦା ଉଠାଇ ନାମଲେଖାର ସୁଯୋଗ ପାଇଥିଲେ । ତେବେ ରାୟ ପ୍ରକାଶ କରାଯାଇ ଏହି ସିଟକୁ ସାମିନାଥନଙ୍କୁ ଦିଆଯାଇଛି ।