ଆଜିଠୁ ଏମ୍‌ବିବିଏସ୍‌, ବିଡିଏସ୍‌ କାଉନ୍‌ସେଲିଂ : ନଭେମ୍ବର ୧୮ ଯାଏ ପଞ୍ଜୀକରଣ; ଡିସେମ୍ବର ୧୫ରେ ସ୍ପଟ୍‌ ନାମଲେଖା

99

କନକ ବ୍ୟୁରୋ : ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକରେ ନାମଲେଖା ଲାଗି ଏଥର ବି ଓଜେଇଇ କାଉନସେଲିଂ କରିବ । ଆଜିଠାରୁ ଛାତ୍ରଛାତ୍ରୀ ପଞ୍ଜୀକରଣ କରିବା ସହ ଅନ୍‌ଲାଇନ୍‌ରେ ଡକ୍ୟୁମେଣ୍ଟ ଯାଞ୍ଚ ଲାଗି ଅପ୍‌ଲୋଡ୍‌ କରିପାରିବେ। ୧୮ ତାରିଖ ରାତି ୧୧ଟା ୫୯ ମିନିଟ୍‌ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରି ରହିବ । ୧୭ ଓ ୧୮ତାରିଖରେ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ମେଡିକାଲ ବୋର୍ଡ ଅନୁଷ୍ଠିତ ହେବ । ଏକ୍ସ-ସର୍ଭିସମ୍ୟାନ୍‌ ପ୍ରାର୍ଥୀଙ୍କ ଲାଗି ୧୧ ଓ ୧୨ ତାରିଖରେ ବୋର୍ଡ ବସିବ । ୨୧ ତାରିଖରେ ନାମ ପଞ୍ଜୀକରଣ କରିଥିବା ପ୍ରାର୍ଥୀଙ୍କ ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇବ ।

ନଭେମ୍ବର ୨୩ ତାରିଖ ପୂର୍ବାହ୍ନ ୧୦ଟାରୁ ୨୪ ତାରିଖ ରାତି ୧୧ଟା ୫୯ ମଧ୍ୟରେ ଛାତ୍ରଛାତ୍ରୀ ଚଏସ୍‌ ଫିଲିଂ ଓ ଲକିଂ କରିପାରିବେ। ୨୬ ତାରିଖରେ ପ୍ରଥମ ରାଉଣ୍ଡ୍‌ ନାମଲେଖା ତାଲିକା ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀ ଆଲଟ୍‌ମେଣ୍ଟ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରିବେ। ନଭେମ୍ବର ୨୭ରୁ ୩୦ ତାରିଖ ମଧ୍ୟରେ ସିଟ୍‌ ପାଇଥିବା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ ସହ ପ୍ରୋଭିଜନାଲ ନାମଲେଖା ଲେଟର୍‌ ଡାଉନ୍‌ଲୋଡ୍‌ କରିବେ । ଅନ୍ୟପକ୍ଷ‌‌ରେ ସର୍ବଭାରତୀୟ ସ୍ତରରେ ଅଲ୍‌ ଇଣ୍ଡିଆ କୋଟା(ଏଆଇକ୍ୟୁ) ପାଇଁ ଚାଲିଥିବା ନାମଲେଖା ଶେଷ ହେବା ପରେ ଓଡ଼ିଶାରେ ଖାଲିଥିବା ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ଫେରିବ। ଡିସେମ୍ବର ୨ରେ ସିଟ୍‌ଗୁଡ଼ିକ ଫେରିବା ପରେ ୩ ତାରିଖରେ ଖାଲି ସିଟ୍‌ ତାଲିକା ପ୍ରକାଶ କରାଯିବ। ଏଥିଲାଗି ପୁଣିଥରେ କାଉନସେଲିଂ ପ୍ରକ୍ରିୟା ହେବ । ଡିସେମ୍ବର ୪ ପୂର୍ବାହ୍ନ ୧୧ଟାରୁ ୫ ତାରିଖ ରାତି ୧୧ଟା ୫୯ ମଧ୍ୟରେ ଦ୍ବିତୀୟ ରାଉଣ୍ଡ୍‌ ନାମ ପଞ୍ଜୀକରଣ ଓ ଅନ୍‌ଲାଇନ୍‌ ଡକ୍ୟୁମେଣ୍ଟ ଯାଞ୍ଚ ହେବ । ୬ ତାରିଖ ଅପରାହ୍‌ଣ ୩ଟାରେ ମେରିଟ୍‌ ଲିଷ୍ଟ ତଥା ମେଧା ତାଲିକା ପ୍ରକାଶ ପାଇବ ।

୬ ତାରିଖ ସନ୍ଧ୍ୟା ୭ଟାରୁ ୭ ତାରିଖ ରାତି ୧୧ଟା ୫୯ ମିନିଟ୍‌ ମଧ୍ୟରେ ନୂତନ ଭାବେ ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀ ଚଏସ୍‌ ଫିଲିଂ ଓ ଲକିଂ କରିପାରିବେ। ଡିସେମ୍ବର ୯ରେ ଦ୍ବିତୀୟ ରାଉଣ୍ଡ ଆଲଟମେଣ୍ଟ ସହ ଛାତ୍ରଛାତ୍ରୀ ଆଲଟ୍‌ମେଣ୍ଟ ଲେଟର ଡାଉନ୍‌ଲୋଡ୍‌ କରିପାରିବେ। ୧୦ ତାରିଖ ପୂର୍ବାହ୍ନ ୧୧ଟାରୁ ୧୨ ତାରିଖ ରାତି ୧୧ଟା ୫୯ ସୁଦ୍ଧା ସିଟ୍‌ ପାଇଥିବା ଛାତ୍ରଛାତ୍ରୀ ନାମଲେଖା ଫି’ ଦାଖଲ କରି ପ୍ରୋଭିଜନାଲ ଲେଟର୍‌ ଡାଉନ୍‌ଲୋଡ୍‌ କରିପାରିବେ। ଡିସେମ୍ବର ୧୫ରେ ସ୍ପଟ୍‌ ରାଉଣ୍ଡ୍‌ କାଉନସେଲିଂ ଅନୁଷ୍ଠିତ ହେବ ବୋଲି ଓଜେଇଇ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି ।

ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦଙ୍କ ସୂଚନା ଅନୁଯାୟୀ, ଏଥର ଦୁଇଟି ରାଉଣ୍ଡ୍‌ରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମ ଲାଗି ନାମଲେଖା ଅନୁଷ୍ଠିତ ହେବ। ଏଆଇକ୍ୟୁ କିମ୍ବା ଓଜେଇଇ ଦ୍ୱାରା କରାଯାଇଥିବା ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂରେ ନାମ ଲେଖାଇଥିବା ପ୍ରାର୍ଥୀ ସ୍ପଟ୍‌ କାଉନସେଲିଂରେ ଭାଗ ନେଇପାରିବେ ନାହିଁ। ଚଳିତବର୍ଷ ୧୧୦୦ରୁ ଅଧିକ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ଲାଗି କାଉନସେଲିଂ କରାଯିବ।