ମହାମାରୀରେ ମିଳିଲାନି ଯୁବକଙ୍କୁ ଚାକିରି: ରାଜଧାନୀରୁ ରାୟଗଡା ଫେରି ଚାଷ କରୁଛନ୍ତି ଏମବିଏ ଛାତ୍ର

137

କନକ ବ୍ୟୁରୋ: ମହାମାରୀ କରୋନା କେତେ ଯେ ଲୋକଙ୍କ ପାଇଁ ଅଭସାପ ପାଲଟିଛି ତାର କଳନା ନାହିଁ । ଅନେକଙ୍କୁ ବେରୋଜଗାର କରିଦେଇଛି ତ ଆଉ କିଛି ଚାକିରି ପାଉନାହାନ୍ତି । ଆଉ ଏତିକି ବେଳେ ରାୟଗଡାରୁ ସାମ୍ନାକୁ ଆସିଛି ଏକ ପ୍ରେରଣାଦାୟୀ କାହାଣୀ । କେମିତି ଦୁଃଖ ଆଉ କଷ୍ଟ ସହ ସଂଘର୍ଷ କରିବାକୁ ହୁଏ, ତାହା ଶିଖାଇ ଦେଇଛନ୍ତି ସୁରେଶ ।

ସୁରେଶ କୋଲକାଙ୍କ ଶିକ୍ଷାଗତ ଯୋଗ୍ୟତା ଏମବିଏ । ରାୟଗଡା ଜିଲ୍ଲା ବାଇସିଂ ପଞ୍ଚାୟତ ପୂଜାରିବମ୍ବୁ ଗ୍ରାମରେ ତାଙ୍କର ଘର । ପରିବାର କହିଲେ, ବାପା, ମାଆ, ୩ ଜଣ ଭାଇ ଓ ୪ଜଣ ଭଉଣୀ । ବାପା ଜଗାରାଓ କୋଲକା ଦିନ ମଜୁରିଆ ଭାବେ କାମ କରି ବଡ ପୁଅ ସୁରେଶକୁ ପାଠ ପଢାଇଲେ । ଆଶା କରିଥିଲେ ପୁଅ ପାଠ ପଢି ଚାକିରି କରିବ, ଆଉ ପରିବାରର ସବୁ ଦୁଃଖ ଦୂର କରିବ ।

ସୁରେଶ ମଧ୍ୟ ବାପାଙ୍କ କଷ୍ଟକୁ ବୁଝି ମନ ଦେଇ ପାଠ ପଢିଲେ । ଆଉ ଭୁବନେଶ୍ୱରର ଏକ ଘରୋଇ କଲେଜରୁ ସଫଳତାର ସହ ଏମବିଏରେ ମଧ୍ୟ ଉତୀର୍ଣ୍ଣ ହେଲେ । କିନ୍ତୁ କରୋନା ମହାମାରୀ ବୋଝ ଉପରେ ନଳିତା ବିଡା ସାଜିଲା । ଦୁଇ ବର୍ଷ ଧରି ଚାକିରି ଖୋଜିବା ପରେ ବି ଚାକିରିଟିଏ ମିଳିଲାନି । ଆଉ ଶେଷରେ ବାଧ୍ୟ ହୋଇ ଗାଁକୁ ଫେରିଆସିଲେ ସୁରେଶ ।

ଚାକିରି ନମିଳିଲେ ବି ମନୋବଳ ଭାଙ୍ଗିନାହାନ୍ତି ସୁରେଶ । ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିବା ସହ ଅନ୍ୟର ଜମିକୁ ଭାଗକୁ ନେଇ ସେ ଚାଷ କାମ ବି କରୁଛନ୍ତି । ଆଉ ଫାଙ୍କା ସମୟ ପାଇଲେ, କମ୍ପିଟେଟିଭ୍ ପରୀକ୍ଷା ପାଇଁ ମଧ୍ୟ ସେ ପ୍ରସ୍ତୁତି କରୁଛନ୍ତି । ଆଜି ନହେଲେ କାଲି ତାଙ୍କୁ ନିଶ୍ଚୟ ଚାକିରି ମିଳିବ ବୋଲି ଆଶା ରଖିଛନ୍ତି ସୁରେଶ । ବାପା ଯେଉଁ ସ୍ୱପ୍ନ ଦେଖିଛନ୍ତି, ସେ ତାକୁ ପୂରଣ କରିବେ ବୋଲି କହିଛନ୍ତି ।