ନିର୍ବାଚନ ଲଢିବେ ଏମବିଏ ଛାତ୍ରୀ । ଗାଁର ବିକାଶ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ହେଲେ ଉଚ୍ଚ ଶିକ୍ଷିତା ପ୍ରଜ୍ଞା ।

242

କନକ ବ୍ୟୁରୋ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲକୁ ୪ ଦିନ ବିତିଯାଇଛି ।  ରାଜ୍ୟର ଅନେକ ସ୍ଥାନରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି ପ୍ରାର୍ଥୀ । ତେବେ ଚଳିତ ନିର୍ବାଚନରେ ଅନେକ ଯୁବ ଓ ଶିକ୍ଷିତ ଚେହେରା ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି । ଆଉ ଶିକ୍ଷିତ ଯୁବକ-ଯୁବତୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବାକୁ ଭୋଟର ମଧ୍ୟ ପସନ୍ଦ କରୁଛନ୍ତି । ଆଉ ଏସବୁ ଭିତରେ ଆଜି ବାଲେଶ୍ୱରରେ ମଧ୍ୟ ଜଣେ ଶିକ୍ଷିତ ଯୁବତୀ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ବାଲେଶ୍ୱରରେ ପୂର୍ବରୁ କଂଗ୍ରେସ ଓ ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଆଜି ବିଜେପି ୪୫ଟି ଜିଲ୍ଲାପରିଷଦ ଆସନ ମଧ୍ୟରୁ ୩୧ଟି ଆସନରେ ନାଁ ଘୋଷଣା କରିଛି । ଆଉ ବିଜେପି ଘୋଷଣା କରିଥିବା ପ୍ରାର୍ଥୀ ମାନଙ୍କ ମଧ୍ୟରୁ ଅଧିକାଂଶ ଯୁବପିଢୀ ଓ ଉଚ୍ଚ ଶିକ୍ଷିତା । ଆଉ ସେହିଭଳି ଜଣେ ପ୍ରାର୍ଥୀ ହେଉଛନ୍ତି ପ୍ରଜ୍ଞା ପାରମିତା ଜେନା । ଉକ୍ରଳ ବିଶ୍ୱବିଦ୍ୟାଳୟରେ ଆଗ୍ରି ବିଜନେସରେ ଏମବିଏ ପାଠ ପଢୁଥିବା ପ୍ରଜ୍ଞା ଏବେ ରାଜନୀତି ମୈଦାନକୁ ଓହ୍ଲାଇଛନ୍ତି । ବିଜେପି ଟିକେଟରେ ଜିଲ୍ଳା ପରିଷଦ ପ୍ରାର୍ଥୀ ହୋଇଛନ୍ତି ପ୍ରଜ୍ଞା । ଲୋକଙ୍କ ସେବା କରିବା ମନୋବୃତ୍ତି ନେଇ ରାଜନୀତିକୁ ଓହ୍ଲାଇଥିବା କହିଛନ୍ତି ପ୍ରଜ୍ଞା । ଗାଁର ଝିଅ, ଗାଁରେ ବଢିଛି । ଲୋକଙ୍କ ଦୁଃଖ ଦେଖିଛି, ତେଣୁ ଏହାକୁ ଦୂର କରିବାକୁ ରାଜନୀତି ମୈଦାନକୁ ଓହ୍ଳାଇଛି ବୋଲି କହିଛନ୍ତି ପ୍ରଜ୍ଞା । ଏହାସହ ଲୋକଙ୍କ ପାଖରେ ପହଞ୍ଚିବା ସହ ବିଜୟ ଟୀକା ନିଶ୍ଚୟ ପିନ୍ଧିବି ବୋଲି କହିଛନ୍ତି ପ୍ରଜ୍ଞା ।

ପ୍ରଜ୍ଞାଙ୍କ ଭଳି ଯୁବ ଓ ଉଚ୍ଚ ଶିକ୍ଷିତ ଚେହେରାଙ୍କୁ ବିଜେପି ଦଳରୁ ଟିକେଟ ଦେବା ନେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ କହିଛନ୍ତି, ଯୁବବର୍ଗଙ୍କ ମଧ୍ୟରେ ଏବେ ଲୋକଙ୍କ ସେବା କରିବାକୁ ଆଗ୍ରହ ଓ ଉତ୍ସାହ ବଢିଛି । ବରିଷ୍ଠ ନେତା ଯେଉଁମାନେ ଦୀର୍ଘବର୍ଷ ଧରି ରାଜନୀତି କରିବା ପରେ କ୍ଲାନ ହୋଇଗଲେଣି ସେମାନଙ୍କ ସ୍ଥାନରେ ଯୁବବର୍ଗଙ୍କୁ ସାମ୍ନାକୁ ଆଣିବାରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ପ୍ରତାପ । ଏସବୁ ଭିତରେ ରାଜ୍ୟରେ ନାମାଙ୍କନପତ୍ର ଦାଖଲ କରିଥିବା ପ୍ରାର୍ଥୀଙ୍କ ମଧ୍ୟରୁ ଅନେକ ନବାଗତଙ୍କୁ ଦେଖିବାକୁ ମିଳୁଛି । ଯେଉଁମାନେ ନିଜର ଅଞ୍ଚଳର ବିକାଶ ପାଇଁ ବଡ ବଡ ଚାକିରି ଛାଡି ଏବେ ଗାଁ ମୁହାଁ ହୋଇଛନ୍ତି ।