ଚିକେନଠୁ ଚିଙ୍ଗୁଡି, ମାଛଠୁ ମସରୁମ୍… ସମୋସା କିଙ୍ଗରେ ମିଳୁଛି ବିଭିନ୍ନ ସିଙ୍ଗଡା । ଜାଣନ୍ତୁ କେଉଁଠି ମିଳୁଛି ଗରମାଗରମ ସିଙ୍ଗଡା ?

1,109

କନକ ବ୍ୟୁରୋ: ଶୀତୁଆ ସଞ୍ଜ, କାଲୁଆ ପାଗ । ଦେହରେ ହାଲକା ପବନ ବାଜିଗଲେ ପାଟି ଖୋଜେ ଗରମା ଗରମା ଖାନା । ଅଳସୁଆ ଅପରାହ୍ନରେ ଇଚ୍ଛା ହୁଏ ସିଙ୍ଗଡା, ପକୋଡା ଖାଇବାକୁ । ଆଉ ସେହି ଶୀତୁଆ ସଞ୍ଜରେ ରାଜଧାନୀର ରାସ୍ତା କଡେ ଲାଗେ ଠେଲା ଗାଡି । ଆରମ୍ଭ ହୁଏ ପ୍ରସ୍ତୁତି । ଗରମ ହୁଏ ତେଲ କଢେଇ । ଟକଟକ ତେଲରେ ଛଣା ହୁଏ ସିଙ୍ଗଡା ।  ଆଉ ତାପରେ ମିଠାରାଗ ମିଶା ଚଟନି ଦେଇ ଚଟାପଟ ଲୋକଙ୍କ ହାତକୁ ବଢାଇ ଦିଅନ୍ତି ଦୋକାନୀ ।

ସାଧା ସିଙ୍ଗଡା, ଚିକେନ୍ ସିଙ୍ଗଡା, ଚିଙ୍ଗୁଡି ସିଙ୍ଗଡା… ଯିଏ ଯାହା ଖୋଜେ ତାହା ଖାଏ । ୱା… କି ଟେଷ୍ଟ୍, ମଜା ଆସିଗଲା, ଜବରଦସ୍ତ ସମୋସା । ସିଙ୍ଗଡା ଖାଇ ଲୋକେ ଏମିତି ହିଁ ପ୍ରତିକ୍ରିୟା ରଖନ୍ତି । ଆଉ ଶୀତୁଆ ସଞ୍ଜରେ ରାଜଧାନୀବାସୀଙ୍କୁ ଏମିତି ଗରମଗରମ ସିଙ୍ଗଡା ଭେଟି ଦିଅନ୍ତି ଜଣେ ଏମବିଏ ପଢୁଆ ଯୁବକ ।

ଭୁବନେଶ୍ୱର ଆଚାର୍ଯ୍ୟବିହାରରୁ ଯଦି ଆପଣ ନାଲକୋ ଛକ ଆଡେ ଯାଉଛନ୍ତି ତେବେ ଆପଣ ରାସ୍ତାକଡରେ ଦେଖିବାକୁ ପାଇବେ ଏହି ସମୋସା କିଙ୍ଗ । ଯେଉଁଠି ଗୋଟେ ଠେଲା ଗାଡି ଉପରେ ବିକ୍ରି ହେଉଛି ଭଳିକି ଭଳି ସିଙ୍ଗଡା । ନିରାମିଷରୁ ଆମିଷ ସିଙ୍ଗଡାର ଭେରାଇଟି ପାଇବେ । ଜାଣି ଆଶ୍ଚର୍ଯ୍ୟ ହେବେ ଚିକେନ, ମଟନ, ଚିଙ୍ଗୁଡି, ମାଛ, ପନିର, ଛତୁର ତ ସିଙ୍ଗଡା ମିଳୁଛି କିନ୍ତୁ ଏଠି ଚକୋଲେଟର ସିଙ୍ଗଡା ବି ଛଣା ହେଉଛି । ଯାହାକୁ ଲୋକେ ଖାଇବାକୁ ଭିଡ ଜମାଉଛନ୍ତି ।

ଏମବିଏ ଡିଗ୍ରୀଧାରୀ ଛାତ୍ର ଶୈଳେନ୍ଦ୍ର ଭୁବନେଶ୍ୱରରେ ଏମିତି ଏକ ନିଆରା ବ୍ୟବସାୟ ଆରମ୍ଭ କରିଛନ୍ତି ଯାହା ତାଙ୍କୁ ଭଲ ଦିପଇସା ଦେବା ସହ ଲୋକଙ୍କୁ ମଧ୍ୟ ଏମିତି ଖାଦ୍ୟ ପସନ୍ଦ ଆସୁଛି । ତେବେ ଆପଣଙ୍କର ଯଦି ଏ ଶୀତୁଆ ସନ୍ଧ୍ୟାରେ ଗରମାଗରମ ସିଙ୍ଗଡା ଖାଇବାକୁ ଚାହୁଁଛନ୍ତି ତେବେ ସିଧା ଆଚାର୍ଯ୍ୟବିହାରର  ସମୋସା କିଙ୍ଗ ସେଣ୍ଟରକୁ ଯାଆନ୍ତୁ ଯେଉଁଠି ଆପଣଙ୍କୁ ଶୈଳେନ୍ଦ୍ର ଖୁଆଇବେ ଆପଣଙ୍କ ମନପସନ୍ଦର ସଜ ସିଙ୍ଗଡା ।