କନକ ବ୍ୟୁରୋ: ମୟୂରଭଞ୍ଜିଆ ମୁଢି ! କିଛି କହିବାର ଆବଶ୍ୟକତା ନାହିଁ । ନାଁ ହିଁ ଯଥେଷ୍ଟ । ମୁଢି ମୟୂରଭଞ୍ଜର ପରିଚୟ, ପାରମ୍ପରିକ ଖାଦ୍ୟ । ମୁଢି ମାଂସ କଥା ଉଠିଲେ ପାଟିରେ ଆପେଆପେ ଜକେଇ ଆସେ ପାଣି । ଲୋଭ ବଢେ, ଇଚ୍ଛା ହୁଏ ଟିକେ ମିଳିଯାଆନ୍ତା କି । ଆଃ କି ଟେଷ୍ଟ ? ସାଙ୍ଗମାନଙ୍କ ଭିତରେ ତୋ ଘର କେଉଁଠି ପଚାରୁ ପଚାରୁ ଯଦି କେହି ମୟୂରଭଞ୍ଜ ବୋଲି କହିଦେଲା ତାହାଲେ କଥା ସରିଲା । ସାଙ୍ଗେ ସାଙ୍ଗେ ମୁଢି ମାଂସର କଥା ଉଠେ ଆଉ ପ୍ଲାନି ବି ହୋଇଯାଏ ମୟୂରଭଞ୍ଜ ଯିବାକୁ । ହେଲେ ଏବେ ଆଉ ମୁଢି ମାଂସ ଖାଇବାକୁ ମୟୂରଭଞ୍ଜ ଯିବାକୁ ପଡିବନି । ରାଜଧାନୀ ଭୁବନେଶ୍ୱରରେ ରହି ବି ଆପଣ ଖାଇପାରିବେ ମୟୂରଭଞ୍ଜର ପାରମ୍ପରିକ ଖାଦ୍ୟ । କାରଣ ଭୁବନେଶ୍ୱରରେ ମିଳୁଛି ମୟରଭଞ୍ଜିଆ ମୁଢିର ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ।
ଭୁବନେଶ୍ୱର ସିଆରପି ଛକରେ ଖୋଲିଛି ମୟୂରଭଞ୍ଜ ମୁଢି ଫୁଡ୍ ଆଉଟଲେଟ୍ । ଯେଉଁଠି ରାଜଧାନୀବାସୀ ସୁରୁଖୁରରେ ପାଇପାରିବେ ମୟୂରଭଞ୍ଜର ପ୍ରସିଦ୍ଧ ଖାଦ୍ୟ । ଚାଖିପାରିବେ ମୁଢିକୁ ନେଇ ଭିନ୍ନ ଭିନ୍ନ ଆଇଟମ୍ । ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହି ପଏଣ୍ଟ ଖୋଲାଯାଇଥିବା ବେଳେ ଲୋକଙ୍କୁ ଦେଶୀ ମୁଢିର ପ୍ରକୃତ ଟେଷ୍ଟ ଦେବା ସହ ମୁଢିର ପ୍ରକାର ପ୍ରକାର ଖାଦ୍ୟ ଖୁଆଇବା ହେଉଛି ମୂଳ ଲକ୍ଷ୍ୟ ।
ତେବେ ମୁଢିକୁ ନେଇ ପ୍ରାୟ ୨୦ରୁ ଅଧିକ ଆଇଟମ ଏଠାରେ ମିଳୁଥିବା ବେଳେ ଉଭୟ ଆମିଷ ଏବଂ ନିରାମିଷ ମୁଢିରେ ପ୍ରସ୍ତୁତ ଖାଦ୍ୟ ବି ମିଳୁଛି । ନିରାମିଷରେ ଝାଲମୁଢି, କ୍ଲାସିକ ମୁଢି, ଖଟାମିଠା, କ୍ରେଜି ଝାଲମୁଢି, ଆଳୁଚପ ମୁଢି, ସିଙ୍ଗଡା ମୁଢି, ଘୁଗୁନି, ଆଳୁଦମ ମୁଢି, ଏବଂ ଦହି ମୁଢି ବି ମିଳୁଛି । ଯାହା ବାରିପଦାର ପ୍ରସିଦ୍ଧ । ଆମିଷରେ ମଟନ ମୁଢି ଏବଂ ଚିକେନ୍ ମୁଢି ଲୋକଙ୍କୁ ବେଶ ପସନ୍ଦ ଆସୁଛି । ଅଳ୍ପ ଟଙ୍କାରେ ଏମିତି ଦେଶୀ ଟେଷ୍ଟ ପାଇବାକୁ ଲୋକେ ବି ଭିଡ ଜମାଉଛନ୍ତି ।
ଆଜିକାଲି ବଜାରରେ ଅପମିଶ୍ରିତ ମୁଢି ମିଳୁଛି କିନ୍ତୁ ଗାଁର ସେ ହାଣ୍ଡିଭଜା ମୁଢି ମିଳିବା ମୁସ୍କିଲ ହୋଇ ପଡୁଛି । ତେଣୁ ରାଜଧାନୀଲୋକଙ୍କୁ ଗାଁର ଦେଶୀ ମୁଢିର ସ୍ୱାଦ ସହ ସେଥିରେ ବିଭିନ୍ନ ଫ୍ଲେବର ଦେଇ ଲୋକଙ୍କୁ ପରସୁଛନ୍ତି ଦୋକାନୀ । ତେବେ ଆପଣ ଯଦି ମୟୂରଭଞ୍ଜର ମୁଢି ମାଂସ ଖାଇବାକୁ ଚାହୁଁଛନ୍ତି ତେବେ ଏହି ଦୋକାନକୁ ଯାଆନ୍ତୁ ଆଉ ଗୋଟେ ଦେଶୀ ଖାଦ୍ୟର ମଜା ଉଠାନ୍ତୁ ।
Follow Us