ଯୋଜନା ନାଁରେ ପ୍ରହସନ…ଭୁଲରେ ଦିଆଯାଇଥିଲା କହି କାଟିଦେଲେ ବିଧବା ମହିଳାଙ୍କ ଗ୍ୟାସ୍ ସଂଯୋଗ

445

କନକ ବ୍ୟୁରୋ: ଉଜ୍ଜ୍ୱଳା ଯୋଜନାର ସଫଳତା ଦର୍ଶାଇବାକୁ କେନ୍ଦ୍ର ସରକାର ଯେତେ ପ୍ରଚାର କଲେ ମଧ୍ୟ ସତ କିନ୍ତୁ ଲୁଚି ପାରୁନି । ଅନେକ ସମୟରେ ଉଜ୍ଜ୍ୱଳାର ଅନ୍ଧାରି ଦିଗ ସାମ୍ନାକୁ ଆସିଛି । ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକରେ ଏମିତି ଏକ ଘଟଣା ଏବେ ଉଜ୍ଜ୍ୱଳାର ଅସଲ ସତକୁ ପଦାରେ ପକାଇଛି । ଏହି ବ୍ଲକ୍ ଅଧୀନ ଗୋଲାମୁଣ୍ଢା ପଂଚାୟତ ଶିମିଳା ଛକର ସୁମତି ନାଏକ ଜଣେ ବିଧବା ମହିଳା ଆଣିଛନ୍ତି ଗୁରୁତର ଅଭିଯୋଗ ।

ଗତ ୨ ବର୍ଷ ଧରି ଗ୍ୟାସ ସଂଯୋଗ ପାଇଥିବା ବେଳେ ଭୁଲ ବଶତଃ ସଂଯୋଗ ଦିଆଯାଇଥିବା କହି ତାଙ୍କ ସଂଯୋଗ କାଟି ଦେଇଛନ୍ତି ଡିଲର । ଏପରିକି ତାଙ୍କ ନିକଟରୁ କାଗଜପତ୍ର ମଧ୍ୟ ଡିଲର ଛଡେଇ ନେଇଥିବା କହିଛନ୍ତି ମହିଳା । ଅଭିଯୋଗ ଅନୁସାରେ ୮ ଏପ୍ରିଲ ୨୦୧୭ରେ ମହିଳା ଜଣକ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ ପାଇଥିଲେ । ଝାରପୋଖରିଆ ଅଂଚଳର ଜୟ ମାତାଜୀ ଇଣ୍ଡେନ ଗ୍ରାମୀଣ ବିତରକ ସଂଯୋଗ ନଂ ୭୦୫୦୧୮୩୪୮୪/୧୦୦୦୦୦୫୭୨୩୪୭୮୫ରେ ଗ୍ୟାସ୍ ଦେଇଥିଲେ ଓ ଏଥିପାଇଁ ୧୭ ଶହ ଟଙ୍କା ନେଇଥିଲେ । ହେଲେ ଟଙ୍କା ବାବଦକୁ ମହିଳାଙ୍କ କୌଣସି ରସିଦ୍ ଦିଆଯାଇନଥିଲା ।

ତେବେ କିଛି ଦିନ ତଳେ ଗ୍ୟାସ୍ ବିତରକ ହଠାତ୍ ତାଙ୍କ ନିକଟରୁ ଗ୍ୟାସ ସଂଯୋଗର ସମସ୍ତ କାଗଜପତ୍ର ନେଇଯିବା ସହ ଭୁଲରେ ତୁମକୁ ଗ୍ୟାସ ଦିଆଯାଇଥିଲା ବୋଲି କହିଥିଲେ । ଅନ୍ତୋଦୟ ଯୋଜନାରେ ସାମିଲ ଥିବା ଏହି ଗରିବ ମହିଳାଙ୍କ ସଂଯୋଗ କଟିବା ଘଟଣା ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । କାରଣ ଉଜ୍ଜ୍ୱଳା ଯୋଜନାରେ ଏଭଳି ଅନେକ ଅନିୟମିତତା ଅଭିଯୋଗ ବାରମ୍ବାର ଆସୁଥିବା ବେଳେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି ।