ଡହ ଡହ ଖରାରେ ସାଇକେଲରେ ଅଫିସ ଯାଉଛନ୍ତି ଓଏଏସ୍ ଅଫିସର । ଚର୍ଚ୍ଚାରେ ମୟୂରଭଞ୍ଜର ଡେପୁଟି କଲେକ୍ଟର ସୁଜୟ କୁମାର ପତି ।

206

କନକ ବ୍ୟୁରୋ: ବର୍ତମାନ ସମୟରେ ଉଚ୍ଚ ସ୍ତରୀୟ ସରକାରୀ ଅଫିସରମାନେ ବଡ ଏବଂ ଦାମୀ ଗାଡ଼ିରେ ଯିବା ଆସିବା କରିବା ପାଇଁ ପସନ୍ଦ କରନ୍ତି । ଏଥିପାଇଁ ପ୍ରାୟତଃ ସବୁ ଅଧିକାରୀମାନଙ୍କ ପାଇଁ ଦାମୀ ଗାଡି ସବୁ ନିଆଯାଇଥାଏ । ଯେତେ ବଡ ଅଫିସର ସେତେ ଦାମୀ ଗାଡ଼ି  । ହେଲେ ଏଭଳି ସ୍ଥିତିରେ ମୟୂରଭଞ୍ଜ ଜିଲ୍ଲାର ଜଣେ ଓଏଏସ ଅଧିକାରୀ ନିଜ କର୍ମକ୍ଷେତ୍ରକୁ ସାଇକେଲ୍ ଯୋଗେ ଯିବା ଆସିବା କରୁଥିବାର ନଜର ଆସିଛି । ତାହା ବି ପୁଣି ବର୍ତମାନର ଡହ ଡହ ଖରା ବା ୪୦ ଡିଗ୍ରୀରୁ ଅଧିକ ତାପମାତ୍ରାରେ, ଯାହା ସମସ୍ତଙ୍କୁ ଚକିତ କରିଛି ।

ଘରୁ ଅଫିସ ଆସିବା ହେଉ ବା ଅଫିସ ଗାଡି ନଥିବା ବେଳେ ହଠାତ୍ ଅନ୍ୟ କୌଣସି କାମରେ ବାହାରକୁ ଯିବା । ସାଇକେଲ୍ ଧରି ବାହାରି ପଡନ୍ତି ମୟୂରଭଞ୍ଜର ଡେପୁଟି କଲେକ୍ଟର ସୁଜୟ କୁମାର ପତି । ୨୦୧୧ ବ୍ୟାଚ୍ର ଓଏଏସ ଅଫିସର ସୁଜୟ ପତି ୨୦୧୮ର ମାର୍ଚ୍ଚରୁ ବାରିପଦାରେ ଜଣେ ଉତ୍ତମ ପ୍ରଶାସନିକ ଅଧିକାରୀ ଭାବେ କାମ କରୁଛନ୍ତି । ନିଜର କାର୍ଯ୍ୟ ଦକ୍ଷତା ବେଶ ପରିଚିତ ଏହି ଅଫିସର ଏବେ ଡହଡହ ଖରାରେ ସାଇକେସରେ ଅଫିସ ଆସି ଚର୍ଚ୍ଚାକୁ ଆସିଛନ୍ତି ।

ନିଜକୁ ଫିଟ୍ ରଖିବା ସହ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସାଇକେଲିଂ ପସନ୍ଦ କରନ୍ତି ଏହି ଓଏଏସ ଅଫିସର । ସାଇକେଲ ଚଳାଇବା ଦ୍ୱାରା ନିଜକୁ ସୁସ୍ଥ ଓ ସୁନ୍ଦର ରଖିବା ସହ ଇନ୍ଧନ ବଂଚିବ ଓ ପରିବେଶ ପ୍ରଦ୍ୟୁଷଣ ବି କିଛି ମାତ୍ରାରେ ରୋକାଯାଇ ପାରିବ ବୋଲି କୁହନ୍ତି ଓଏଏସ ସୁଜୟ କୁମାର ପତି । ବାରିପଦାରେ ଏବେ ୪୦ ଡିଗ୍ରୀ ଉପରେ ପାରଦ ରହିଛି । ଆଉ ଏହି ଡହ ଡହ ଖରାରେ ଜଣେ ପ୍ରଶାସନିତ ଅଧିକାରୀ ସାଇକେଲରେ ଅଫିସ ଆସିବା ନିଶ୍ଚୟ ପ୍ରେରଣା ଦାୟୀ ।