ସୋସିଆଲ ମିଡ଼ିଆରେ ସଚେତନତା । ବଲିଉଡ୍ ଫିଲ୍ମର ଚର୍ଚ୍ଚିତ ଡାଏଲଗରେ ଗାଡ଼ି ଚାଳକଙ୍କୁ ନୂଆ ଟ୍ରାଫିକ୍ ନିୟମ ନେଇ ସଚେତନ କରାଇଲେ ମୟୂରଭଞ୍ଜ ଏସପି । 

ନୂଆ ଟ୍ରାଫିକ୍ ନିୟମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡ଼ି ଚାଳକଙ୍କ ପାଇଁ ୩ ମାସ କୋହଳ କରିବା ପରେ ସଚେତନ କରାଉଛି ପୋଲିସ ।

473

କନକ ବ୍ୟୁରୋ: ନୂଆ ଟ୍ରାଫିକ୍ ନିୟମ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଡ଼ି ଚାଳକଙ୍କ ପାଇଁ ୩ ମାସ କୋହଳ କରିବା ପରେ ସଚେତନ କରାଉଛି ପୋଲିସ । କେତେବେଳେ ଗୋଲାପ ଫୁଲ ତ ଆଉ କେତେବେଳେ ଚକଲେଟ୍ ଦେଇ ଗାଡ଼ି ଚାଳକଙ୍କୁ ସଚେତନ କରାଇବାରେ ଉଦ୍ୟମ ଚଳାଇଛନ୍ତି ପୋଲିସ । ତେବେ ଏହାରି ମଧ୍ୟରେ ସୋସିଆଲ ମିଡ଼ିଆରେ ମୟୂରଭଞ୍ଜ ଏସପିଙ୍କ ଏକ ଟ୍ୱିଟ୍ ଚର୍ଚ୍ଚା ସୃଷ୍ଟି କରିଛି ।

ଟ୍ରାଫିକ୍ ନିୟମକୁ ପାଳନ ପାଇଁ ମନୋରଞ୍ଜନପୂର୍ଣ୍ଣ ସୋସିଆଲ ମିଡ଼ିଆରେ ଫିଲ୍ମର କିଛି ଚିତ୍ରକୁ ଦର୍ଶାଇ ଗାଡ଼ି ଚାଳକଙ୍କୁ ସଚେତନ କରାଇଛନ୍ତି ମୟୁରଭଞ୍ଜ ଏସପି । ଯେଉଁଥିରେ ନୂଆ ଟ୍ରାଫିକ୍ ନିୟମକୁ ପାଳନ କରୁଥିବା ଏବଂ ନକରୁଥିବା ଗାଡ଼ି ଚାଳକଙ୍କ ପାଇଁ ସଚେତନ ବାର୍ତ୍ତା  ଦିଆଯାଇଛି । ମୟୂରଭଞ୍ଜ ଏସପିଙ୍କ ଟ୍ୱିଟରରେ ୪ଟି ଫିଲ୍ମର ଫଟୋକୁ ଦର୍ଶାଯାଇଛି ।

ଟ୍ୱିଟ୍ କରାଯାଇଥିବା ପ୍ରଥମ ଫଟୋରେ ମଦ ପିଇ ଗାଡ଼ି ଚଳାଉଥିବା ଗାଡ଼ି ଚାଳକଙ୍କୁ ସତର୍କ କରାଯାଇଛି । ଆଉ ଏଥିରେ ବଲିଉଡ ତାରକା ମନୋଜ ବାଜପେୟୀଙ୍କ ଏକ ଫିଲ୍ମର ଡାଏଲଗ୍ ‘ଆଚ୍ଛା ବାତ୍ ନେହିଁ ହେ ୟେ’ ବୋଲି ଦର୍ଶାଯାଇଛି ।

ଦ୍ୱିତୀୟରେ ଟ୍ୱିଟ୍ ହୋଇଥିବା ଫଟୋରେ, ନୂଆ ଟ୍ରାଫିକ୍ ନିୟମ ପାଳନ କରି ହେଲମେଟ ପିନ୍ଧୁଥିବା ଗାଡ଼ି ଚାଳକଙ୍କୁ ପ୍ରଶଂସା କରାଯାଇଛି । ଯେଉଁଥିରେ ଭେଟେରାନ୍ ବଲିଉଡ୍ ଖଳନାୟକ ଅମରେଶ ପୁରୀଙ୍କ ଫିଲ୍ମ ମିଷ୍ଟର-ଇଣ୍ଡିଆର ଏକ ଚର୍ଚ୍ଚିତ ଡାଏଲଗ ‘ମୋଗାମ୍ବୋ ଖୁସ୍ ହୁଆ’ ଦର୍ଶାଯାଇଛି ।

ସେହିପରି ଟ୍ୱିଟ୍ ହୋଇଥିବା ତୃତୀୟ ଫଟୋଟିରେ, ନୂଆ ଟ୍ରାଫିକ୍ ନିୟମ ଲାଗୁ ପରେ ମଧ୍ୟ, ଯେଉଁମାନେ ନିମୟ ଉଲଂଘନ କରୁଛନ୍ତି ସେମାନଙ୍କୁ ସଚେତନ କରାଇବାକୁ ମଜାଳିଆ ଢ଼ଙ୍ଗରେ ସଚେତନ କରାଯାଇଛି । ଏଥିରେ ବଲିଉଡ୍ ତାରକା ଅକ୍ଷୟ କୁମାରଙ୍କ ଜଲ୍ଲି-ଏଲଏଲବି ଫିଲ୍ମର ଏକ ଡାଏଲଗ୍ ‘କୁଛ୍ ତୋ ଶରମ୍ କରୋ ଜନାବ’… ମାଧ୍ୟମରେ ଟ୍ରାଫିକ୍ ନିୟମ ନଭାଙ୍ଗିବାକୁ ସଚେତନ କରାଯାଇଛି ।

ଚତୁର୍ଥ ଫଟୋଟିରେ ‘ସୁପର ଥାର୍ଟି’ ଫିଲ୍ମର ଡାଏଲଗ୍ ‘ଇତନା ଗଲତ୍ କେସେ ହୋ ସକତା ହେ ଭାଇ? ଜରିଆରେ ନୂଆ ଟ୍ରାଫିକ୍ ନିୟମ ପରେ ଅଧିକ ଜରିମାନା ଆଦାୟକୁ ନେଇ ଏକ ମେସେଜ ଦିଆଯାଇଛି । ମଦ ପି’ ଗାଡ଼ି ଚଳାଇବା, ହେଲମେଟ୍ ନପିନ୍ଧିବା ଓ ସିଟବେଲ୍ଟ ନଲଗାଇବା, ଗାଡ଼ି ଚାଳକଙ୍କ ପଞ୍ଚିକୃତ ଲାଇସେନ୍ସ , ଗାଡ଼ିର କାଗଜପତ୍ର ଠିକ୍ ନଥିବା ଏବଂ ମୋଟର ଯାନ ନିୟମ ଅନୁସାରେ ନିର୍ଦ୍ଦିଷ୍ଟ ନମ୍ବର ପ୍ଲେଟ୍ ନଥିବା କାରଣରୁ ଅଧିକ ପାଇନ୍ ଆଦାୟରେ ପୋଲିସ୍ କେଉଁଠି ଭୁଲ୍ କରିଛି ବୋଲି ପ୍ରଶ୍ନ କରାଯାଇଛି ।