କନକ ବ୍ୟୁରୋ : ଜିଲ୍ଲାର ବିକାଶ ପାଇଁ ରାଜପରିବାର ଆରମ୍ଭ କରିଛନ୍ତି ନିଆରା ଉଦ୍ୟମ । ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳି ସହିତ ରାଜ ବଂଶର କଳା, ସଂସ୍କୃତି,ଐତିହ୍ୟ ଓ ପରମ୍ପରାକୁ ବିକଶିତ କରିବା ପାଇଁ ଦୁଇ ଦଶନ୍ଧି ପରେ ଖୋଲା ହୋଇଛି ମୟୂରଭଞ୍ଜ ରାଜ ପ୍ରାସାଦର । ବିଗତ ଦିନରେ ରାଜପରିବାର ଓ କର୍ମଚାରୀଙ୍କୁ ଛାଡ଼ି ଦେଲେ ସାଧାରଣ ଲୋକଙ୍କ ପାଇଁ ପ୍ରାସାଦର ଦ୍ୱାର ବନ୍ଦ ଥିଲା । ହେଲେ ଏବେ ଯେ କେହି ବି ରାଜ ଉଆସକୁ ଯାଇ ରାଜମହଲର ସୌଦର୍ଯ୍ୟ ଓ କଳାକୃତିକୁ ଉପଭୋଗ କରୁଛନ୍ତି । ଆଉ ମୟୂରଭଞ୍ଜ ରାଜ ପରିବାରର ରାଜକୀୟ ଠାଣୀ ସମ୍ପର୍କରେ ଜାଣିବାର ସୁଯୋଗ ପାଇପାରୁଛନ୍ତି ।

Advertisment

ବାରିପଦା ସହରର ବେଲଗଡିଆରେ ରହିଛି ମୟୂରଭଞ୍ଜ ରାଜା ତଥା ଭଞ୍ଜଦେଓ ରାଜବଂଶର ରାଜମହଲ । ୨୦ ଏକରରୁ ଅଧିକ ଜାଗାରେ ନିର୍ମିତ ଏହି ରାଜ ପ୍ରାସାଦ ୧୮ଶହ ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ତକ୍ରାଳୀନ ମହାରାଜେଶ୍ୱରୀ ସୁମିତ୍ରା ଭଞ୍ଜଦେଓଙ୍କ ଶାସନ କାଳରେ ଭିକ୍ଟୋରିଆନ୍ ଓ କୋରେନସିଆନ୍ ଶୈଳିରେ ନିର୍ମାଣ କରାଯାଇଛି । ପ୍ରଥମେ ପ୍ରାସାଦଟି ମୟୂରଭଞ୍ଜର ରାଜ୍ୟ ଅତିଥିଶାଳା ଭାବେ ବ୍ୟବହୃତ ହେଉଥିଲା । ଗ୍ରୀଷ୍ମ ଋତୁରେ ମହାରାଜମାନେ ଏଠାରେ ବସବାସ କରୁଥିବାରୁ ଏହାକୁ ସମର ପ୍ୟାଲେସ୍ ବୋଲି କୁହାଯାଏ । ତେବେ ମୁଖ୍ୟ ରାଜପ୍ରସାଦଟିକୁ ୧୯୫୮ ମସିହାରେ ଏମ୍.ପି.ସି. କଲେଜ ପାଇଁ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓ ଶିକ୍ଷା ବିଭାଗକୁ ହସ୍ତାନ୍ତର କରିବା ପରେ ରାଜ ପରିବାର ଏବେ ଏହି ପ୍ରାସାଦରେ ରହୁଛନ୍ତି ।

ବର୍ତମାନ ରାଜବଂଶର ତିନି ରାଜ କୁମାରୀ ରାଜପ୍ରସାଦକୁ ପର୍ଯ୍ୟଟକଙ୍କ ପାଇଁ ଖୋଲି ଦେଇଛନ୍ତି । ଆଗରୁ କେବଳ ରାଜପରିବାର ପାଇଁ ଖୋଲା ରହୁଥିବା ରାଜପ୍ରାସାଦ ଭିତରେ ବୁଲି ଦେଖୁଛନ୍ତି ପର୍ଯ୍ୟଟକ ।

ମୟୂରଭଞ୍ଜର କଳା, ସଂକୃତି ଓ ପରମ୍ପରାକୁ ଦେଶ ବିଦେଶରେ ପରିଚିତ କରାଇବା ପାଇଁ ୨୦୧୯, ମାର୍ଚ୍ଚ ମାସରୁ ଖୋଲା ହୋଇଛି । ଏହି ପ୍ରସାଦରୁ ଆଦାୟ ହେଉଥିବା ଅର୍ଥକୁ ଜିଲ୍ଲାର ବିକାଶ ପାଇଁ ଖର୍ଚ କରାଯାଉଛି । ଛଉ ଉନୃତ୍ୟ, ଡୋକ୍ରା, ବାଉଁଶ, ସବାଇଘାସର ହସ୍ତକଳାର ପ୍ରଚାର ପ୍ରାସର ସହ କୁଷ୍ଠରୋଗୀଙ୍କ ଚିକିତ୍ସା ଓ ଆଦିବାସୀ ଝିଅଙ୍କ ଶିକ୍ଷା ଏବଂ କ୍ରୀଡାର ବିକାଶ କ୍ଷେତ୍ରରେ ଖର୍ଚ୍ଚ କରାଯଉଛି ।

ଗତ ବର୍ଷ ତୁଳନାରେ ଚଳିତ ବର୍ଷ ରାଜପ୍ରସାଦକୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି । ଅତିଥିମାନେ ରାଜ ପ୍ରାସାଦର ସୌନ୍ଦର୍ଯ୍ୟକୁ ଦେଖିବା ସହ ସୂସଜ୍ଜିତ କୋଠରୀରେ ରାତିକାଟି ରାଜକୀୟ ଠାଣିକୁ ଉପଭୋଗ କରୁଛନ୍ତି । ଏହାସହି ପ୍ରାସାଦରେ ଅତିଥିଙ୍କ ପାଇଁ ନିୟମିତ ଛଉନୃତ୍ୟ ପରିବେଶଣ କରାଯାଉଛି ।