କନକ ବ୍ୟୁରୋ: ପଂଚାୟତ ନିର୍ବାଚନ ପାଇଁ ସରଗରମ ହୋଇଛି ମୟୂରଭଞ୍ଜ ରାଜନୀତି । ଗାଁ ଠୁ ସହର, ନେତା ଠୁ ଜନତା, ସମସ୍ତଙ୍କ ମୁହଁରେ କେବଳ ନିର୍ବାଚନ ଚର୍ଚ୍ଚା । ବିଜେପି ତାର ପୂର୍ବ ସଫଳତାକୁ ନେଇ ନିର୍ବାଚନ ବୈତରଣୀ ପାର ହେବା ନେଇ ଶହେପଣ ଆଶା ରଖିଥିବା ବେଳେ ବିଜେଡି ତାର ଗଡ ସଜାଡିବାକୁ ପ୍ରୟାସ ଜାରି ରଖିଛି । ଜିଲ୍ଲାରେ କଂଗ୍ରେସ ଓ ଝାଡଖଣ୍ଡ ମୁକ୍ତିମର୍ଚା ଅର୍ଥାତ୍ ‘ଜେ.ଏମ.ଏମ’ର ସ୍ଥିତି ସଙ୍ଗିନ ରହିଥିଲେ ବି ଏଥର ଲୋକେ ତାଙ୍କୁ ସମର୍ଥନ କରିବେ ବୋଲି ଅଶା ରଖିଛନ୍ତି । ତେବେ ମୟୂରଭଞ୍ଜର ଏହି ମହା ମୁକାବିଲାକୁ ନେଇ ସମୀକ୍ଷକ ଭିନ୍ନ ମତ ରଖିଛନ୍ତି ।

Advertisment

ରାଜ୍ୟର ସର୍ବବୃହତ ଜିଲ୍ଲା ମୟୂରଭଞ୍ଜରେ ୨୬ଟି ବ୍ଲକ୍ ୪୦୪ଟି ପଂଚାୟତରେ ନିର୍ବାଚନୀ ବାତାବରଣ ବେଶ ଉଷ୍ମ ରହିଛି । ୨୦୧୭ ପଂଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଆଣ୍ଠେଇ ପଡିଥିବା ବିଜେଡି ଏଥର ବାଜି ମାରିବା ଉଦ୍ୟମ କରୁଛି । ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ଗୋଟି ଚାଳନାରେ ବିଜେଡି ତାର ପୂର୍ବ ସ୍ଥିତିକୁ ଫେରିବ ବୋଲି ଜିଲ୍ଲା ସଭାପତି ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି । ଅନ୍ୟପଟେ ଗତ ନିର୍ବାଚନ ଫଳାଫଳକୁ ଦୋହରାଇ ୫୬ରୁ ୫୬ ଜିଲ୍ଲା ପରିଷଦ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହେବେ ବୋଲି ଜିଲ୍ଲା ସଭାପତି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

୨୦୧୭ ପଂଚାୟତ ନିର୍ବାଚନରେ ୫୬ଟି ଜିଲ୍ଲା ପରିଷଦ ଆସନରୁ ବିଜେପି ୪୯, ବିଜେଡି ୫, ଜେଏମ୍ଏମ୍ ୧ ଓ ଜଣେ ସ୍ୱାଧୀନ ପାର୍ଥୀ ବିଜୟୀ ହୋଇଥିଲେ । ସେମିତି ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପରାଜିତ ହେବା ସହ ୬ଟି ବିଧାନସଭା ଆସନ ବିଜେପି ହାତକୁ ଯାଇଥିଲା । ୩ଟି ଆସନରେ ବିଜେଡି ସୀମିତ ରହିଥିଲା । ଲୋକସଭା ଆସନ ମଧ୍ୟ ବିଜେପି ହାତେଇ ଥିଲା । ଚଳିତ ନିର୍ବାଚନରେ ବିଜେପି ଓ ବିଜେଡି ମଧ୍ୟରେ କଡା ଫାଇଟ୍ ହେଉଥିବା ବେଳେ କଂଗ୍ରେସ ଓ ଜେଏମ୍ଏମ୍ ସମର୍ଥିତ ପ୍ରାର୍ଥୀ ମଧ୍ୟ ବିଜୟ ଲକ୍ଷ୍ୟ ରଖିଛନ୍ତି । ତେବେ ବର୍ତମାନ ସମୟରେ ସବୁ ରାଜନୈତିକ ଦଳର ସ୍ଥିତିକୁ ଦେଖିଲେ ମୟୂରଭଞ୍ଜର ଫଳାଫଳ ରାଜ୍ୟରେ ଇତିହାସ ସୃଷ୍ଟି କରିବ ବୋଲି ସମୀକ୍ଷକ ମତ ରଖିଛନ୍ତି ।