ସାନ୍ତାଳୀ ଭାଷାରେ ଶପଥ ନେବେ ମୟୂରଭଞ୍ଜ ସାଂସଦ । ନବଚରଣ ମାଝୀ କହିଲେ, ସାନ୍ତାଳୀ ଭାଷାର ପ୍ରଚାର ପ୍ରସାର ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ କରିବି ଆଲୋଚନା ।

205

କନକ ବ୍ୟୁରୋ : ଆସନ୍ତା ୨୪ ତାରିଖରୁ ନବନିର୍ବାଚିତ ସାଂସଦମାନେ ସଂସଦରେ ଶପଥ ଗ୍ରହଣ କରିବେ । ଓଡ଼ିଶାର ୨୧ ସାଂସଦ ମଧ୍ୟ ଶପଥ ଗ୍ରହଣ କରିବେ । ୨୧ ସାଂସଦଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିବା ବିଜେପିର ୨୦ ସାଂସଦ ଆଜି ଶପଥଗ୍ରହଣ କରିବାକୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ତେବେ ଶପଥ ନେବା ପୂର୍ବରୁ ପ୍ରଥମଥର ମୟୂରଭଞ୍ଜରୁ ସାଂସଦ ହୋଇଥିବା ନବଚରଣ ମାଝୀ କହିଛନ୍ତି, ନିଜ ମାତୃଭାଷା ସାନ୍ତାଳୀ ଭାଷାରେ ସାଂସଦ ଭାବେ ଶପଥ ନେବେ । ଆଗାମୀ ଦିନରେ କିଭଳି ସାନ୍ତାଳୀ ଭାଷା ଲୋକଲୋଚନକୁ ଆସିବ ଏବଂ ଏହାର ପ୍ରଚାର ପ୍ରସାର କିଭଳି ହେବ ସେ ନେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ନବ ଚରଣ ମାଝୀ ।

ସାନ୍ତାଳୀ ଭାଷା କେବଳ ସ୍ୱୀକୃତି ପାଇଲେ ହେବନି ବରଂ ସବୁ ଅନୁଷ୍ଠାନରେ ଏହି ଭାଷାରେ କିଭଳି ପାଠ ପଢାଯିବ ସେନେଇ ପ୍ରୟାସ କରିବି । ସାନ୍ତାଳୀ ଭାଷାକୁ ବିକଶିତ କରିବାକୁ ସବୁ ପଦକ୍ଷେପ ନେବି ବୋଲି କହିଛନ୍ତି ନବଚରଣ ମାଝୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମାତୃଭାଷା ମଧ୍ୟ ସାନ୍ତାଳୀ ଭାଷା । ତେଣୁ ଏହି ଭାଷାକୁ କିଭଳି ଆଗକୁ ବଢାଯାଇପାରିବ ସେନେଇ ଶିକ୍ଷାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବି ବୋଲି କହିଛନ୍ତି ନବଚରଣ ମାଝୀ ।