ବିଜେଡିରେ ଯୋଗଦେଲେ ଜେଏମଏମର ହେଭିୱେଟ ନେତା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶକ୍ତି ଗୋଟାଉଛି କି ବିଜେଡି?

243

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡିରେ ସାମିଲ ହେଲେ ଜେଏମଏମ ନେତା । ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ଓ ଜେଏମଏମ ରାଜ୍ୟ ଉପ-ସଭାପତି ରାମଚନ୍ଦ୍ର ମୁର୍ମୁଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ଅନେକ ନେତା ଓ କର୍ମୀ । ବିଜେଡି କାର୍ଯ୍ୟାଳୟରେ ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ସମସ୍ତଙ୍କୁ ଦଳରେ ସାମିଲ କରାଯାଇଛି । ଏହାଦ୍ୱାରା ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ମିଶନ ମୟୂରଭଞ୍ଜ ଅଭିଯାନ ଆରମ୍ଭ କରିଥିବା ନେଇ ସଂକେତ ଦେଇଛି ।

ଜେଏମଏମର ଦୁଇ ହେଭିୱେଟ ନେତା ଦଳରେ ସାମିଲ ହେବା ପରେ ମୟୂରଭଞ୍ଜରେ ବିଜେଡି ଆହୁରି ସଙ୍ଗଠିତ ହୋଇଛି । ଏହାଛଡା ପଞ୍ଚାୟତ ନିର୍ବାଚନରେ ଏହା ଦଳକୁ ବଡ ଫାଇଦା ଦେବ ବୋଲି କୁହାଯାଉଛି । କାରଣ ମୟୂରଭଞ୍ଜ ରାଜନୀତିରେ ଜେଏମଏମର ମଧ୍ୟ ଭୋଟବ୍ୟାଙ୍କ ରହିଛି । ଏପରିକି ଗତ ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ଆସନରେ ଲକ୍ଷାଧିକ ଭୋଟ ପାଇଥିଲା ଜେଏମଏମ । ତେଣୁ ଜେଏମଏମର ଦୁଇ ନେତାଙ୍କୁ ଦଳରେ ସାମିଲ କରି ବଡ ବାଜି ଖେଳିଛି ବିଜେଡି ।

ଏହାଛଡା ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ମୟୂରଭଞ୍ଜରେ ବିଜେଡିକୁ ବଡ ଝଟକା ଲାଗିଥିଲା । ମୟୂରଭଞ୍ଜରେ ବ୍ୟାକଫୁଟକୁ ଚାଲି ଯାଇଥିଲା ବିଜେଡି । ପଞ୍ଚାୟତ ନିର୍ବାଚନର ଫଳାଫଳ ବିଜେଡିର ଚିନ୍ତା ବଢାଇଥିବା ବେଳେ ସାଧାରଣ ନିର୍ବାଚନରେ ଦଳକୁ ଲାଗିଥିଲା ବଡ ଝଟକା । ମୟୂରଭଞ୍ଜର ୭ ବିଧାନସଭା ଆସନରୁ ୫ଟିରେ ବିଜେପି ବିଜୟ ବାନା ଉଡାଇଥିବା ବେଳେ ଲୋକସଭା ଆସନରେ ମଧ୍ୟ ବିଜେଡିକୁ ମାତ୍ ଦେଇଥିଲା ବିଜେପି । ଆଉ ଏହାର ସବୁଠୁ ବଡ କାରଣ ଥିଲା ଦଳୀୟ ସଙ୍ଗଠନରେ ଫାଟ୍ । ଦଳ ଭିତରେ ଅନ୍ତଃକନ୍ଦଳ ବିଜେଡି ପାଇଁ ମୟୂରଭଞ୍ଜରେ ବୁମେରାଂ ହୋଇଥିଲା ।

ପଞ୍ଚାୟତ ଓ ସାଧାରଣ ନିର୍ବାଚନ ପରେ ମୟୂରଭଞ୍ଜରେ ଦଳକୁ ସଙ୍ଗଠିତ କରିବାକୁ ଆରମ୍ଭ ହୋଇଥିଲା ମିଶନ । ଜିଲ୍ଲାର ସଙ୍ଗଠନକୁ ୨ ଭାଗରେ ବାଣ୍ଟିବା ସହ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମକୁ ମୟୂରଭଞ୍ଜରେ ଆୟୋଜନ କରିଥିଲା ବିଜେଡି । ଯାହାଦ୍ୱାରା ମୟୂରଭଞ୍ଜରେ ପୁଣିଥରେ ସକ୍ରିୟ ହୋଇଛି ବିଜେଡି ସଙ୍ଗଠନ । ଏହାବାଦ୍ ଯେହେତୁ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ବିଜେପି କେନ୍ଦ୍ରମନ୍ତ୍ରୀ କରିଛି ତେଣୁ ବିଜେଡି ପାଇଁ ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି । ତେଣୁ ଦଳୀୟ ସଙ୍ଗଠନକୁ ଆହୁରି ମଜବୁତ କରିବାକୁ ବିଜେଡି ଏବେ ଭିନ୍ନ ରଣନୀତି ଆପଣାଇଛି । ଜେଏମଏମର ଦୁଇ ନେତାଙ୍କୁ ସାମିଲ କରି ବିଜେପିକୁ ଚେକ୍ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ନେଇ ଆଭାସ ଦେଇଛି ବିଜେଡି । ଏହାଛଡା ଏବେ ବିଜେଡି ସରକାରରେ ମନ୍ତ୍ରୀ ଥିବା ସୁଦାମ ମାରାଣ୍ଡି କହିଛନ୍ତି, ମୟୂରଭଞ୍ଜରେ ବିଜେଡି ସହ ଜେଏମଏମର ଏକପ୍ରକାର ବିଲୟ ହୋଇଛି । ପୂର୍ବରୁ ସେଠାରେ ଜେଏମଏମର ବାନା ଥିଲା, ଏବେ ନାହିଁ । ଆଜି ଯେଉଁମାନେ ଦଳରେ ମିଶିଲେ ସେମାନେ ପୂର୍ବରୁ ମୋ ଅନୁଗତ ଥିଲେ । ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହେବାକୁ ଆଗେଇ ଆସିଛନ୍ତି । ଏହାଦ୍ୱାରା ଦଳ ମୟୂରଭଞ୍ଜରେ ଆହୁରି ସଙ୍ଗଠିତ ହେବ ।