ଯାଜପୁର ରାସ୍ତାକଡ଼ରୁ ମିଳିଲା ରମାଦେବୀରେ ପଢୁଥିବା ମୟୁରଭଞ୍ଜ ଯୁବତୀଙ୍କ ମୃତଦେହ । ଭୁବନେଶ୍ୱରରେ ଓହ୍ଲାଇବା ପରେ ହୋଇଯାଇଥିଲେ ଗାଏବ, ସିସିଟିଭିରୁ ମିଳିଲା ସୁରାଗ ।

477

କନକ ବ୍ୟୁରୋ : ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ଏକ ଅପରାଧ କାହାଣୀ । ରହସ୍ୟଜନକ ଭାବେ ରମାଦେବୀ କଲେଜର ଯୁକ୍ତ ୩ରେ ପାଠ ପଢୁଥିବା ଜଣେ ଝିଅଙ୍କର ମୃତ୍ୟୁ ଘଟିଛି । ଭୁବନେଶ୍ୱରରୁ ଯଶୀପୁର ଯାଉଥିବା ବେଳେ ବାଣୀବିହାରରେ ଓହ୍ଲାଇ ପଡିଥିଲେ ଯୁବତୀ ଜଣଙ୍କ । ଏହାପରେ ମେସେଜ୍ କରୁଥିଲେ, ସେ ଠିକ୍ ଅଛନ୍ତି । କିନ୍ତୁ ହଠାତ୍ ପରଦିନ ଯାଜପୁରରେ ମିଳିଲା ମୃତଦେହ । ଏହି ଘଟଣା ପୁଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି । ବସରୁ ଓହ୍ଲାଇବା ପରେ ତାଙ୍କ ସହ କଣ ଘଟିଲା ଏବଂ କେମିତି ମୃତ୍ୟୁ ହେଲା ସେନେଇ କୌଣସି ସୁରାକ୍ ମିଳୁନାହିଁ । କିନ୍ତୁ, ଏହା ଭିତରେ ଏକ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି ।

ମୟୂରଭଞ୍ଜର ଯଶୀପୁର ଅଂଚଳରୁ ଆସି ରାଜଧାନୀର ରମାଦେବୀ କଲେଜରେ ପଢୁଥିବା ୧୯ ବର୍ଷର ଏହି ଯୁବତୀଙ୍କ ସହ କଣ ଘଟିଛି, ତାହା କେହି ଜାଣି ନାହାନ୍ତି । କିନ୍ତୁ ସେ ଆଉ ଏ ଦୁନିଆରେ ନାହାନ୍ତି । ଏକ ରହସ୍ୟମୟ ପରିସ୍ଥିତି ଭିତରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଭୁବନେଶ୍ୱରରୁ ଯାଉଥିଲେ ଯଶୀପୁର । କୌଣସି କାରଣରୁ ବାଣିବିହାରରେ ଓହ୍ଲାଇଥିଲେ, ହେଲେ ଯାଜପୁରରେ ମିଳିଲା ମୃତଦେହ । ରାଜଧାନୀରେ ରମାଦେବୀ କଲେଜରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପଢୁଥିବା ଝରାଫୁଲଙ୍କ ମୃତଦେହ ଏମିତି ଅବସ୍ଥାରେ ମିଳିବ ହୁଏତ କେହି କଳ୍ପନା କରିନଥିବେ । ଦେହରେ ପୋଷାକପତ୍ର ଠିକ ଥିଲା କିନ୍ତୁ, ଜୀବନ ନଥିଲା । ରାସ୍ତାକଡରେ ଏମିତି ଅବସ୍ଥାରେ ପଡିଥିଲା ମୃତଦେହ ।

୨୭ ଜାନୁୟାରୀ ୨୦୨୧ । ସମୟ- ସକାଳ ୯ଟା ୭ ମିନିଟ୍ । ଯାଜପୁର ମୂଳାପାଳ ଦିଆଲଖଣ୍ଡି ରାସ୍ତାରେ ଏକ ସ୍କୁଟିରେ ଦୁଇ ଯୁବକ ଜଣେ ଯୁବତୀଙ୍କୁ ମଝିରେ ବସେଇ ନେଉଥିବାର ଏକ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ପୁଲିସ ହାତରେ ଲାଗିଥିବା ଏହି ସିସିଟିଭି ଫୁଟେଜରେ ଦେଖାଯାଉଛି ମଝିରେ ଜଣେ ଯୁବତୀଙ୍କୁ ନିଆଯାଉଛି, କିନ୍ତୁ ସେ ଏକ ପ୍ରକାର ନିସ୍ତେଜ ଅବସ୍ଥାରେ ଅଛନ୍ତି । ତାଙ୍କର ମୁଣ୍ଡ ଗୋଟିଏ ପଟକୁ ଢଳି ରହିଛି ।

କୌଣସି ଏକ କାମରେ ଭୁବନେଶ୍ୱର ଆସି ପୁଣି ଯଶୀପୁର ମରୁଣ୍ଡେଇପଶି ଗାଁକୁ ଫେରୁଥିଲେ ଝରାଫୁଲ । କିନ୍ତୁ ପେଟ ଖରାପ କହି, ବାଣିବିହାରରେ ଓହ୍ଲାଇପଡିଥିଲେ । ତାପରେ ତାଙ୍କୁ ତାଙ୍କ ଭାଇ ଫୋନ କରିଥିଲେ, କିନ୍ତୁ ସେ ଫୋନ ରିସିଭ କରିନଥିଲେ । ପରେ ରାତି ୧୨ଟାରେ ଭାଇଙ୍କୁ ଫୋନ କରି ଠିକ ଅଛନ୍ତି, ଏବଂ ସେମାନେ ଚିନ୍ତା କରନ୍ତୁ ନାହିଁ ବୋଲି କହିଥିଲେ ।

ହ୍ୱାଟସଆପ ଚାଟ୍, ଯେଉଁଥିରେ ଝରାଫୁଲ ଲେଖିଛନ୍ତି, ସେ ଠିକ ଅଛନ୍ତି ଏବଂ ଘର ଲୋକ ଚିନ୍ତା କରନ୍ତୁ ନାହିଁ । ସୋନାଲି ନାମକ ଜଣେ ସାଙ୍ଗଙ୍କ ଘରେ ଅଛନ୍ତି ବୋଲି ସେ ହ୍ୱାଟସଆପ ଚାଟରେ ଲେଖିଥିଲେ । ବାଣିବିହାରରୁ ଓହ୍ଲାଇ ଝରାଫୁଲ କୁଆଡେ ଗଲେ, ସେ ବିଷୟରେ କେହି କିଛି ବି ଜାଣି ନାହାନ୍ତି । ତାପରେ କେବଳ ଏହି ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି । ଝରାଫୁଲଙ୍କ ସହ କଣ ଘଟିଲା ଏବଂ ସେ କେମିତି ପ୍ରାଣ ହରାଇଲେ, ଏହି ପ୍ରଶ୍ନର ଉତ୍ତର ମିଳିବା ନିହାତି ଆବଶ୍ୟକ ।