ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ବିବାଦ ଜାରି : ସରକାରୀ କାର୍ଯ୍ୟକ୍ରମକୁ ଡକାଯାଇନଥିବା ସ୍ଥାନୀୟ ବିଧାୟକଙ୍କ ଅଭିଯୋଗ; ରାଜନୀତି କରାଯାଉଥିବା କହିଲା ବିଜେଡି

121

କନକ ବ୍ୟୁରୋ : ମୟୂରଭ୍ଞ୍ଜ ଜିଲ୍ଲାପାଳ ଓ ଏସପିଙ୍କୁ ନେଇ ଜାରି ରହିଛି ବିବାଦ । ଯଦିଓ ଏହି ମାରାଥନ କାର୍ଯ୍ୟକ୍ରମ ସରକାରୀ ବୋଲି ଶାସକ ଦଳ ସଫେଇ ଦେଇଛି କିନ୍ତୁ ସ୍ଥାନୀୟ ବିଧାୟକ ଓ କେନ୍ଦ୍ରମନ୍ତ୍ରୀଙ୍କୁ ଡକାନଯିବା ନେଇ ଏବେ ପ୍ରଶ୍ନ ଉଠିଛି । ସ୍ଥାନୀୟ ବିଜେପି ବିଧାୟକ କହିଛନ୍ତି ସରକାରୀ କାର୍ଯ୍ୟକ୍ରମ ଥିଲେ ମଧ୍ୟ ତାଙ୍କୁ ଡକାଯାଇନଥିଲା ।

ଜିଲ୍ଲାର ବିଭିନ୍ନ ସରକାରୀ ବୈଠକରେ ମଧ୍ୟ ତାଙ୍କୁ ଅଣଦେଖା କରାଯାଉଥିବା ସେ କହଛନ୍ତି । ରବିବାର ଦିନ ବାରିପଦାରେ ‘ଆଦିରନ୍‌’ ନାମରେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ‌ହୋଇଥିଲା। ଏଥିରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌, ପୂର୍ବତନ ବିଧାୟକ ଭାଦବ ହାଁସଦା, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ଗଣେଶ୍ବର ପାତ୍ରଙ୍କ ସମେତ ବିଜେଡିର ଅନେକ ନେତା ଦଳର ସୁପ୍ରିମୋଙ୍କ ଫଟୋ ଥିବା ଧଳା ଓ ସବୁଜ ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ । ସେମାନଙ୍କ ଗହଣରେ ଜିଲ୍ଲାପାଳ ମଧ୍ୟ ସମାନ ଟି-ସାର୍ଟ ପିନ୍ଧି ଯୋଗ ଦେଇଥିଲେ ।

ଏହି ଫଟୋକୁ ‘ଏକ୍ସ’ରେ ସେୟାର କରି ଆପତ୍ତି ଉଠାଇଥିଲେ ଜଣେ ବ୍ୟକ୍ତି । ଉକ୍ତ ଟୁଇଟ୍‌ ଉପରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ପ୍ରତିକ୍ରିୟା ରଖି ଜିଲ୍ଲାପାଳଙ୍କୁ ଭର୍ତ୍ସନା କରିଥିଲେ। କହିଥିଲେ, ମୟୂରଭଞ୍ଜ ଜିଲ୍ଲାରେ ସାଢ଼େ ୫ ବର୍ଷ ଧରି ଜଣେ ଜିଲ୍ଲାପାଳ କାହିଁକି ରହିଛନ୍ତି ? ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ମଧ୍ୟ ଜିଲ୍ଲାପାଳଙ୍କୁ ଘେରିଛନ୍ତି । ସାମ୍ବିଧାନିକ ପଦବିର ମର୍ଯ୍ୟାଦାହାନି କରି ଜିଲ୍ଲାପାଳ ବିଜେଡି ପାଇଁ କାମ କରୁଛନ୍ତି । ଏମିତିକି ଦଳ ପାଇଁ ସେ ଚାନ୍ଦା ଆଦାୟ କରି ଉପର ମହଲକୁ ସନ୍ତୁଷ୍ଟ କରୁଛନ୍ତି । ଯେଉଁଥି ପାଇଁ ସାଢ଼େ ୫ ବର୍ଷ ପରେ ବି ତାଙ୍କର ବଦଳି ହେଉନି ବୋଲି ସେ କହିଛନ୍ତି । ଗଣଦୌଡ଼ ଯଦି ସରକାରୀ କାର୍ଯ୍ୟକ୍ରମ ଥିଲା, ତେବେ ପ୍ରୋଟକଲ୍‌ ଅନୁଯାୟୀ ସ୍ଥାନୀୟ ବିଧାୟକ ଓ ସାଂସଦଙ୍କୁ କାହିଁକି ଡକାଯାଇନଥିଲା ବୋଲି ପ୍ରଶ୍ନ କରିଛନ୍ତି ।