କନକ ବ୍ୟୁରୋ : ସଜଡା ସରିଥିଲା ଜୁଇ । କିଛି ସମୟ ପରେ ଜୁଇରେ ଶୋଇଥାନ୍ତା ମୃତଦେହ । ହେଲେ ହଠାତ୍ ଘଟିଥିଲା ଏମିତି କିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା । ଘରଲୋକଙ୍କ ହାତରୁ ପାଣି ମାଗି ପିଇଲେ ମୃତକ । ଆଉ ମୃତକ ବଞ୍ଚିଥିବା କହି ଗୁଣିଆ କରିଲା ଝଡାଫୁଙ୍କା । ଏହାକୁ ଦେଖି ସମସ୍ତେ ତାଜୁବ ହୋଇଥିଲେ । ହେଲେ ଡାକ୍ତରଖାନାକୁ ଆଣିବା ପରେ ମହିଳାଙ୍କର ଅନେକ ସମୟ ପୂର୍ବରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଲେ ।

Advertisment

ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଭାଲୁହୁରୁଡ଼ା ଗ୍ରାମରେ । ଗ୍ରାମର ସୁହାଗିନୀ ବିନ୍ଧାଣୀ ଗୁରୁତର ହୋଇ ୧୧ଦିନ ହେବ ଉଦଳା ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ହେଲେ ଶନିବାର ମଧ୍ୟରାତ୍ରିରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରବିବାର ସକାଳେ ପରିବାର ଲୋକେ ମୃତଦେହକୁ ଘରକୁ ନେଇ ଆସିଥିଲେ । ଘରେ ମୃତ୍ୟୁ ଖବର ପହଞ୍ଚିବା ପରେ ଗ୍ରାମବାସୀ ଏବଂ ପରିବାର ଲୋକେ ମିଶି ଶେଷକୃତ୍ୟ ନିମନ୍ତେ ପ୍ରସ୍ତୁତି କରିଥିଲେ । ଏତିକି ବେଳେ ହଠାତ୍ କୋକେଇରୁ ଉଠି ଘରଲୋକଙ୍କ ହାତରୁ ମହିଳା ଜଣକ ପାଣି ମାଗି ପାଇଥିଲେ । ଯାହା ପରେ ତାଙ୍କର ନିଶ୍ୱାସ ଚାଲିଥିବା କହିଥିଲେ ପରିବାର ଲୋକେ । ଏହା ପରେ ସୁହାଗିନୀଙ୍କୁ ଗୁଣିଆ ଆସି ଝଡାଫୁଙ୍କା କରିଥିଲା ଏବଂ ବଞ୍ଚେଇ ଦେବେ ବୋଲି କହିଥିଲା ।

ଆଉ ପରିବାର ଲୋକେ ମୃତଦେହକୁ ଜୀବିତ କହି ପୁଣିଥରେ ସୁହାଗିନୀଙ୍କୁ ନେଇ ଉଦଳା ଡାକ୍ତର ଖାନାରେ ପହଞ୍ଚିଥିଲେ । ଆଉ ଡାକ୍ତର ପୁନଶ୍ଚ ଦେଖିବା ପରେ ସୁହାଗିନୀର ମୃତ୍ୟୁ ହୋଇଥିବା କହିଥିଲେ । ହେଲେ ପରିବାର ଲୋକେ ଏହାକୁ ଗ୍ରହଣ କରିବାକୁ ନାରାଜ ଥିଲେ । ସେମାନେ ପୂର୍ବରୁ ସୁହାଗିନୀଙ୍କ ମୃତ୍ୟୁ ହୋଇନଥିବା ଏବଂ ଡାକ୍ତର ଅବହେଳା ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପୋଲିସ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିବାର ଲୋକେ ମୃତଦେହକୁ ନେଇ ଘରକୁ ଫେରିଥିଲେ । ପରେ ସୁହାଗିନୀଙ୍କ ଶେଷକୃତ୍ୟ କରାଯାଇଥିଲା ।