କନକ ବ୍ୟୁରୋ: ବିବାଦରେ ମୟୁରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କ ଟି-ସାର୍ଟ । ମାରାଥନ ଦୌଡ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧି ଏବେ ଅଡୁଆରେ ପଡିଛନ୍ତି ଜିଲ୍ଲାପାଳ ଓ ଏସପି । ପ୍ରଶାସନିକ ଅଧିକାରୀ ହୋଇ ଦଳୀୟ ପାର୍ଟିକୁ ସମର୍ଥନ କରି ଟି-ସାର୍ଟ ପିନ୍ଧିବା ସମ୍ବିଧାନ ବିରୋଧୀ ବୋଲି ପ୍ରଶ୍ନ ଉଠାଇଛି ବିଜେପି ଓ କଂଗ୍ରେସ । ମାତ୍ର ସେହି ପୋଷାକରେ ବିଜେଡିର ଦଳୀୟ ଚିହ୍ନ ନଥିବାରୁ ଏହା ନିୟମ ବିରୋଧୀ ନୁହେଁ ବୋଲି ଯୁକ୍ତି ବାଢିଛି ବିଜେଡି ।

Advertisment
  • ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି
  • ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିଲେ ସରକାରୀ ବାବୁ
  • ପ୍ରଶ୍ନ ଉଠାଇଲେ ବିରୋଧୀ, ଜବାବ ରଖିଲା ବିଜେଡି

ରାଜ୍ୟରେ ଅଫିସରରାଜ ଚାଲିଥିବା ଅଭିଯୋଗ ଭିତରେ ପୁଣି ଏକ ନୂଆ ବିବାଦ ସାମନାକୁ ଆସିଛି । ବାରିପଦା ଛଉ ପଡ଼ିଆରେ ମୟୂରଭଞ୍ଜ ଉନ୍ନୟନ ପରିଷଦ ପକ୍ଷରୁ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଏବଂ ଏସପି ବାଟୁଲା ଗଙ୍ଗାଧର ମଧ୍ୟ ମଞ୍ଚରେ ଉପସ୍ଥିତ ଥିଲେ ହେଲେ ଉଭୟ ସରକାରୀ ବାବୁଙ୍କ ଟି-ସାର୍ଟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବାରୁ ଆପତ୍ତି ଉଠାଇଛି ବିଜେପି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ଏହାକୁ ସମାଲୋଚନା କରିବା ସହ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାପାଳ ୫ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହିଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ।

ସରକାରୀ ଅଧିକାରୀ ନବୀନଙ୍କ ଫଟୋ ଟି-ସାର୍ଟ ପିନ୍ଧିବା ପ୍ରସଙ୍ଗରେ କଂଗ୍ରେସ ମଧ୍ୟ ସସାଲୋଚନା କରିଛି । ତେବେ ଏ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ପ୍ରଦୀପ ମାଝି କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଟି-ସାର୍ଟ ପିନ୍ଧିବା ଯୋଗୁଁ କୌଣସି ନିୟମ ଉଲ୍ଲଙ୍ଘନ ହୋଇନାହିଁ । ତେବେ ଏହି ଘଟଣାକୁ ନେଇ ବିବାଦ ତେଜିବାରେ ଲାଗିଛି । ଏ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।