vlcsnap-2016-09-05-19h18m49s642ଦେଶ ବିଦେଶରେ ଟିଭି ପରଦାରେ ଦାନମାଝୀର କାହାଣୀ । ନଗଡାର ଅନାହାର ଶିଶୁ, ରାୟଗଡାର ଆମ୍ବଟାକୁଆ କାହାଣୀ ବି ପ୍ରତିଦିନ ଦିଲ୍ଲୀ ଦରବାରରେ ଓଡିଶାକୁ ନିନ୍ଦିତ କରୁଛି । ତେବେ ଏସବୁ ଭିତରେ ଏକ ଭଲ ଖବର ସାରା ଦେଶରେ ଓଡିଶାକୁ ଗର୍ବିତ କରିବାକୁ ସୁଯୋଗ ସୃଷ୍ଟି କରିଛି । ଆଉ ସେ ଭଲ ଖବର ଆଣିଛି ମୟୂରଭଂଜ ଜିଲ୍ଲା । ଯେଉଁ ଜିଲ୍ଲା , ଦେଶର ପ୍ରଥମ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ଭାବେ ଘୋଷଣା ହେବାକୁ ଯାଉଛି । ଆଉ ଏହି ସଫଳତା ପଛରେ ରହିଛି ଜଣେ ଜିଦି ଅଫିସରଙ୍କ ଆନ୍ତରିକତା ଉଦ୍ୟମ । ସେ ହେଲେ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ୍ ।

Advertisment

ଯେଉଁ ଜିଲ୍ଲାର ପିଲା ଭୋକ ସହ ଲଢେଇ କରନ୍ତି , ସେ ପିଲାଙ୍କୁ ସ୍କୁଲ୍ ଆଣିବ କିଏ । ଏ ଉତ୍ତର ଦେବାକୁ କିଛି ବର୍ଷ ତଳେ ଆଗେଇ ଆସିଥିଲା ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା । କାନ୍ଧରେ ଗରିବୀର ବୋଝ ନୁହେଁ ବହି ବସ୍ତାନୀ ବୋହିବେ କଅଁଳ ହାତରେ କୋଡି କୋଦାଳ ନୁହେଁ କଲମ ଧରିବେ । ଅଭାବୀ କୁଡିଆ ଘର ଛାଡି ସେମାନେ ପାଠ ପଢିବେ । ଆଉ ଏହି ମିଶନର ସୂତ୍ରଧାର ସାଜିଥିଲେ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ୍ । ଆରମ୍ଭ କରିଥିଲେ ମିଶନ୍ । ପ୍ରଥମେ ଶତ ପ୍ରତିଶତ ସାକ୍ଷରତା ମିଶନ୍ ସଫଳ ହୋଇଥିଲା । ଆଉ ତାପରେ ପୁରା ଜିଲ୍ଲା ଚାଲିଥିଲା ସମ୍ଭାବନା ବାଟରେ । କୋଣ ଅନୁକୋଣରୁ ଖୋଜା ହୋଇଥିଲା ଶିଶୁ ଶ୍ରମିକ।

ଗାଁ ଗାଁରୁ ଶିଶୁ ଶ୍ରମିକଙ୍କୁ ଚିହ୍ନଟ କରା ଯାଇଥିଲା । ଆଉ ପ୍ରତିଷ୍ଠା ହୋଇଥିଲା ସ୍ୱତନ୍ତ୍ର ସ୍କୁଲ୍ । ସେ ଏମିତି ଏକ ସ୍କୁଲ୍ ଯେଉଁଠି ରହିବା, ଖାଇବା ପିଇବାର ବ୍ୟବସ୍ଥା ସହ ପିଲାଙ୍କୁ ଦିଆଗଲା ମାଗଣା ଶିକ୍ଷା । ସେପଟେ ଶିଶୁ ଶ୍ରମିକର ପରିବାରକୁ ମଧ୍ୟ ରୋଜଗାର ଯୋଗାଇ ଦେବାକୁ ବ୍ୟବସ୍ଥା ହେଲା । ୪ ବର୍ଷର ଉଦ୍ୟମ ପରେ , ମୟୂରଭଂଜ ପାଲିଟି ଗଲା ଶିଶୁ ଶ୍ରମିକର ପରିବାରକୁ ମଧ୍ୟ ରୋଜଗାର ଯୋଗାଇ ଦେବାକୁ ବ୍ୟବସ୍ଥା ହେଲା । ସାରା ଦେଶରେ ମୟୂରଭଂଜ ପାଲଟିଗଲା ନମ୍ବର ୱାନ୍ ଶିଶୁ ଶ୍ରମିକ ମୁକ୍ତ ଜିଲ୍ଲା ।

ଗୋଟିଏ ଜିଲ୍ଲା , ଗୋଟିଏ ମିଶନ୍ । ଆଉ ମୟୂରଭଂଜ ଏବେ ସାରା ଦେଶ ପାଇଁ ଉଦାହରଣ । କାରଣ ଏଇଠୁ ଆରମ୍ଭ ହେବ ସାରା ଦେଶର ଶୈଶବଙ୍କୁ ଏକ ସୁନ୍ଦର ଜୀବନ ଦେବାର ଅଭିଯାନ ।