ଦ୍ୱିଶତକ କଲେ, ରେକର୍ଡ ଭାଙ୍ଗିଲେ । ବାଂଲା ବୋଲରଙ୍କୁ ନିର୍ଦ୍ଧୁମ ଛେଚିଲେ, ନିଜର ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରି ନୂଆ କୀର୍ତ୍ତିମାନ ସ୍ଥାପନ କଲେ ମୟଙ୍କ ।

1,213

କନକ ବ୍ୟୁରୋ: ଇନ୍ଦୋରରେ ଭାରତ ବାଂଲାଦେଶ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚର କମାଲ କରିଛନ୍ତି ଓପନର ମୟଙ୍କ ଅଗ୍ରୱାଲ । ପ୍ରଥମ ଇନିଂସରେ ଚମତ୍କାର ଖେଳ ପ୍ରଦର୍ଶନ ସହ ଦ୍ୱିଶତକ ହାସଲ କରିଛନ୍ତି । ୩୭୧ଟି ବଲ୍ ଖେଳି ୨୩ଟି ଚୌକା ଓ ୬ଟି ଛକା ସହାୟତାରେ ଏହି ଆକର୍ଷଣୀୟ ଇନିଙ୍ଗସ୍ ଖେଳିଛନ୍ତି ମୟଙ୍କ । ପଡ଼ିଆର ଚାରି ଦିଗକୁ ବେଶ୍ ଦର୍ଶନୀୟ ସଟ୍ ଖେଳି ଥିଲେ ମୟଙ୍କ । ଦେଢ଼ ମାସ ଭିତରେ ମୟଙ୍କଙ୍କର ଏହା ଦ୍ୱିତୀୟ ଦ୍ୱିଶତକ । ଗତ ମାସରେ ବିଶାଖପାଟଣାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ମୟଙ୍କ ୨୧୫ ରନ୍ କରିଥିଲେ ।

ଏହି ମାରାଥନ ଇନିଙ୍ଗସ୍ ସହ ମହାନ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ରେକର୍ଡକୁ ଟପି ଯାଇଛନ୍ତି ମୟଙ୍କ । ବ୍ରାଡମ୍ୟାନ ୧୩ଟି ଇନିଂସ ଖେଳି ୨ ଟି ଦ୍ୱିଶତକ ହାସଲ କରିଥିବାବେଳେ ମୟଙ୍କ ଏଥିପାଇଁ ଗୋଟିଏ ଟେଷ୍ଟ୍ କମ୍ ଅର୍ଥାତ୍ ୧୨ ଟି ଇନିଂସ ଖେଳି ସଫଳତା ହାସଲ କରିଛନ୍ତି । ତେବେ ଭାରତୀୟ ଟିମର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଏହି ରେକର୍ଡରେ ସବୁଠାରୁ ଆଗରେ ରହିଛନ୍ତି । କାମ୍ବଲୀ ମାତ୍ର ୫ଟି ଇନିଂସ ଖେଳି ଏହି ସଫଳତା ହାସଲ କରିଥିଲେ ।

ଲଗାତର ଭଲ ପ୍ରଦର୍ଶନ କରି ମୟଙ୍କ ଟେଷ୍ଟ ମ୍ୟାଚରେ ଓପନର ବ୍ୟାଟ୍ସମ୍ୟାନ ଭାବେ ନିଜକୁ ପୁଣି ଥରେ ପ୍ରମାଣିତ କରିଛନ୍ତି । ଏହାସହ ଓପିନଂ ସ୍ଥାନ ପାଇଁ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତାରେ ନିଜ ସ୍ଥାନ ମଜବୁତ କରିନେଇଛନ୍ତି । ତେବେ ମୟଙ୍କ ଏହି ଇଂନିସରେ ୨୪୩ ରନ୍ ଖେଳି କ୍ୟାଚ୍ ଆଉଟ୍ ହୋଇ ପ୍ୟାଭିଲିୟନକୁ ଫେରିଥିବାବେଳେ ଭାରତକୁ ଦୃଢ଼ ସ୍ଥିତିରେ ପହଁଚାଇଛନ୍ତି ।