ଜନ୍ମଦିନରେ ବିଜେପି ଓ କଂଗ୍ରେସକୁ ମାୟାବତୀଙ୍କ ଟାର୍ଗେଟ୍ ! କହିଲେ ରାଜନୈତିକ ଦଳର ନିଦ ହଜାଇ ଦେଇଛି ଏସପି-ବିଏସପି ମେଂଟ ।

114

କନକ ବ୍ୟୁରୋ : ଜନ୍ମଦିନରେ କଂଗ୍ରେସ ଓ ବିଜେପି ବିରୋଧରେ ବର୍ଷିଲେ ମାୟାବତୀ । କହିଛନ୍ତି, ଏସପି – ବିଏସପି ମେଂଟ ବିଜେପି ସମେତ ଅନ୍ୟ ରାଜନୈତିକ ଦଳଗୁଡିକର ନିଦ ହଜାଇ ଦେଇଛି । ଏହାସହ ବାଦ ବିବାଦ ଭୁଲି ଏସପି-ବିଏସପି ମେଂଟକୁ ସମର୍ଥନ ଜଣାଇ ଐତିହାସିକ ବିଜୟୀ ଭେଟିଦେବାକୁ ସେ ଦଳିୟ କର୍ମକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି । ସେପଟେ ଜନ୍ମଦିନ ଅବସରରେ ମାୟାବତୀଙ୍କୁ ଭେଟିଛନ୍ତି ଅଖିଳେଶ ଯାଦବ । ଏବଂ ଏହି ବୈଠକରେ ଆସନ ଓ ପ୍ରାର୍ଥୀ ସର୍ମ୍ପକରେ ଆଲୋଚନା ହୋଇଥିବା ଜଣାପଡିଛି ।

ଉତ୍ତରପ୍ରଦେଶରେ ଜୋର ଧରୁଛି ରାଜନୀତି । ଆଜି ବିଏସପି ସୁପ୍ରିମୋ ମାୟାବତୀ ତାଙ୍କ ଜନ୍ମଦିନ ଅବସରରେ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଏସପି-ବିଏସପି ମେଂଟ ବିଜେପି ସମେତ ଅନ୍ୟ ରାଜନୈତିକ ଦଳଗୁଡିକର ମଧ୍ୟ ନିଦ ହଜେଇ ଦେଇଛି  । ଦେଶ ସ୍ୱାଧୀନ ହେବା ପରେ କଂଗ୍ରେସ ଓ ବିଜେପି ସରକାର ସମୟରେ ଦେଶରେ ଭ୍ରଷ୍ଟାଚାର ବଢିଛି । ଚାଷୀ, ଗରିବ, ଦଳିତ ଓ ପଛୁଆ ବର୍ଗର ଲୋକଙ୍କର ବିକାଶ ହୋଇନାହିଁ । ଦେଶରେ କେଉଁ ସରକାର ଆସିବ ତାହା ଉତରପ୍ରଦେଶରୁ ହିଁ ଜଣାପଡିଥାଏ । ତେଣୁ ସବୁ ବାଦ ବିବାଦ ଭୁଲି ସପା-ବସପା ମେଂଟକୁ ସମର୍ଥନ ଜଣାଇ ଏହାକୁ ସଫଳ କରି ଐତିହାସିକ ବିଜୟୀ ଭେଟିଦେବାକୁ ସେ ଦଳୀୟ କର୍ମକର୍ତ୍ତାଙ୍କୁ ଆହ୍ୱାନ ଦେଇଛନ୍ତି ।

ସେପଟେ ଜନ୍ମଦିନ ଅବସରରେ ମାୟାବତୀଙ୍କୁ ଭେଟି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ସପା ଅଧ୍ୟକ୍ଷ ଅଖିଳେଶ ଯାଦବ । ଏହି ଅବସରରେ ଦୀର୍ଘ ସମୟ ଧରି ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ତେବେ ଆସନ ଓ ପ୍ରାର୍ଥୀଙ୍କୁ ନେଇ ଅଖିଳେଶ ଓ ମାୟାବତୀଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି । ଦୁଇ ଦିନ ପୂର୍ବରୁ ହିଁ କଂଗ୍ରେସକୁ ବାଦ୍ ଦେଥ ସପା ଓ ବସପା ମେଂଟ ଘୋଷଣା କରିଛନ୍ତି । ଏବଂ ୩୮ଟି ଲେଖାଏଁ ଆସନରୁ ଲଢିବା ପାଇଁ ବୁଝାମଣା କରିଛନ୍ତି ।

ମାୟାବତୀଙ୍କ ଜନ୍ମଦିନ ପାଇଁ ତାଙ୍କ ବାସଭବନଠୁ ଆରମ୍ଭ କରି କାର୍ଯ୍ୟାଳୟ ସବୁଠି ଛାଇଯାଇଛି ବ୍ୟାନର ପୋଷ୍ଟର । କେବଳ ବହୁଜନ ସମାଜ ପାର୍ଟି ପକ୍ଷରୁ ନୁହେଁ ସମାଜବାଦି ପାର୍ଟି  ପକ୍ଷରୁ ମଧ୍ୟ ମାୟାବତୀଙ୍କ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ପାର୍ଟି କାର୍ଯ୍ୟାଳୟରେ ୬୩ କେଜିର କେକ୍ କାଟି ଜନ୍ମଦିନ ପାଳନ କରିଛନ୍ତି ବିଏସପି ସୁପ୍ରିମୋ । ଏଥିସହ ବ୍ଲୁ ବୁକର ଉନ୍ମୋଚନ ମଧ୍ୟ କରିଛନ୍ତି ।