ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର ! ତୈଳ ବଜାରରେ ଡ୍ରୋନ ଆକ୍ରମଣ ପରେ ବଢିପାରେ ଦର

Advertisment
ମହଙ୍ଗା ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର ! ତୈଳ ବଜାରରେ ଡ୍ରୋନ ଆକ୍ରମଣ ପରେ ବଢିପାରେ ଦର

କନକ ବ୍ୟୁରୋ : ସାଉଦି ଆରବର ପୂର୍ବାଞ୍ଚଳରେ ଥିବା ଦୁଇଟି ବୃହତ ତୈଳ ପ୍ରକ୍ରିୟାକରଣ କାରଖାନା ଉପରେ ବଡ଼ଧରଣର ଡ୍ରୋନ୍ ଆକ୍ରମଣ ହୋଇଛି। ଫଳରେ କାରଖାନାରେ ଅଗ୍ନିକାଣ୍ଡ ଘଟିଛି। ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ କାରଖାନାରେ ଉତ୍ପାଦନକୁ ବନ୍ଦ କରିଦିଆଯାଇଛି। ସାଉଦି ଆରବରେ ଉତ୍ପାଦନ ହେଉଥିବା ପାଖାପାଖି ଅଧା ତେଲ ଏହି ଦୁଇ କାରଖାନରୁ ବାହାରୁଥିଲା। ଅତୀତରେ ଯେତେଥର କୌଣସି ତୈଳ କାରଖାନାରେ ବଡ଼ଧରଣର ଆକ୍ରମଣ ସବୁ ଥର ତେଲ ଦରରେ ବୃଦ୍ଧି ଘଟିଥାଏ। ତେଣୁ  ତେଲ ନିଶ୍ଚିତ ମହଙ୍ଗା ହେବ ବୋଲି କୁହାଯାଉଛି।

publive-imageଏହି ଆକ୍ରମଣ ଯୋଗୁ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଅଭାବ ଦେଖାଦେବ। ଫଳରେ ତେଲ ଦରରେ ୫-୭ ଡଲାର ବୃଦ୍ଧି ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅଶୋଧିତ ତେଲ ଦର ବଢ଼ିଲେ ଭାରତ ଅଧିକ ପ୍ରଭାବିତ ହେବ। କାରଣ ଭାରତ ଏହାର ଦ୍ବିତୀୟ ସର୍ବାଧିକ ତେଲ ଏବେ ସାଉଦି ଆରବରୁ କିଣୁଛି। ପୂର୍ବରୁ ଇରାନ ଏହାର ଅଧିକାଂଶ ତୈଳ ଆବଶ୍ୟକତା ପୂରଣ କରୁଥିଲା।

ମାତ୍ର ଆମେରିକା ପକ୍ଷରୁ ଅର୍ଥନୈତିକ କଟକଣା ଜାରି କରାଯିବା ପରେ ଭାରତ ପକ୍ଷରୁ ଇରାନ ତେଲ କିଣିବା କମାଇ ଦିଆଯାଇଛି। ସାଉଦି ତୈଳ କାରଖାନାରେ ଆକ୍ରମଣ ପରେ ତେଲ ଯୋଗାଣକୁ ନେଇ ଏକ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଛି। ବିଗତ ୧୦୦ ବର୍ଷ ଭିତରେ ଯୋଗାଣକୁ ନେଇ ଏଭଳି ସଙ୍କଟ ଦେଖିବାକୁ ମିଳିନଥିଲା। ବ୍ଲୁମ୍ବର୍ଗ ପକ୍ଷରୁ ଆକଳନ କରାଯାଇଛି ଯେ, ତେଲ ଯୋଗାଣ ଶୃଙ୍ଖଳ ଉପରେ ଏହି ଆକ୍ରମଣର ଗଭୀର ପ୍ରଭାବ ରହିବ। ଆଗାମୀ ଦିନରେ ସ୍ଥିତି ଆହୁରି ଜଟିଳ ହୋଇପାରେ ବୋଲି ଏହା ଆକଳନ କରିଛି।

publive-imageସାଉଦି ଆରବର ତେଲ କିଣୁଥିବା ଭାରତ ଭଳି ଦେଶଗୁଡ଼ିକ ପାଇଁ ଗୋଟିଏ ଆଶ୍ବାସନାର ବିଷୟ ହେଉଛି ଯେ ଗତ ଜୁଲାଇ ମାସରେ ସାଉଦି ଅଧିକ ତେଲ ଉତ୍ପାଦନ କରିଥିଲା। ଏବେ ସେହି ତେଲକୁ ବଜାର ଆବଶ୍ୟକତାକୁ ପୂରଣ କରିବା ଲାଗି ବ୍ୟବହାର କରିବ। ଆସନ୍ତା ୪୮ ଘଣ୍ଟା ଭିତରେ ଆକ୍ରମଣ ଦ୍ବାରା କ୍ଷତିଗ୍ରସ୍ତ ହୋଇଥିବା ଦୁଇ କାରଖାନା ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଯିବ ବୋଲି ସାଉଦି ଆରବର ସରକାରୀ ତେଲ କଂପାନି ‘ସାଉଦି ଆରାମ୍କୋ’ ପକ୍ଷରୁ କୁହାଯାଇଛି।

ଆନ୍ତର୍ଜାତିକ ବଜାରରେ ଏବେ ଅଶୋଧିତ ତେଲର ବ୍ୟାରେଲ ପିଛା ଦର ୬୦.୨୨ ଡଲାର ରହିଛି। ସୋମବାର ଏହି ଦର ୬୫-୬୭ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଅଶୋଧିତ ତେଲ ଦର ବଢ଼ିଲେ ଭାରତରେ ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ ବଢ଼ିବ। ଦେଶରେ ତେଲ କଂପାନିଗୁଡ଼ିକ ପ୍ରତିଦିନ ତେଲ ଦରର ସମୀକ୍ଷା କରୁଛନ୍ତି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲର ଦାମ୍ ଏବଂ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟ ବିଚାରକୁ ନେଇ ସେମାନେ ପେଟ୍ରୋଲ ଓ ଡିଜେଲ୍ର ଦର ଧାର୍ଯ୍ୟ କରୁଛନ୍ତି।

publive-imageସାଉଦି ଆରାମକୋର ଅବ୍କାଇକ୍ ଓ ଖୁରାଇସ୍ ତୈଳ ପ୍ରୋସେସିଂ କାରଖାନାରେ ୟେମେନର ହାଉତି ବିଦ୍ରୋହୀ ଗୋଷ୍ଠୀ ଡ୍ରୋନ୍ ଆକ୍ରମଣ କରିଛନ୍ତି। ଏହି ଦୁଇ କାରଖାନାର ଦୈନିକ କ୍ଷମତା ୮ ନିୟୁତ ବ୍ୟାରେଲ ଥିଲା। ଆକ୍ରମଣ ପରେ କାରଖାନାକୁ ବନ୍ଦ କରିଦିଆଯାଇଥିବାରୁ ତୈଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ସାଉଦି ଦୈନିକ ୯.୮ ନିୟୁତ ବ୍ୟାରେଲ୍ ତୈଳ ଉତ୍ପାଦନ କରିଥାଏ। ଏହି ଦୁଇ କାରଖାନାରେ ସର୍ବାଧିକ ତୈଳ ଉତ୍ପାଦିତ ହୋଇଥାଏ। ବିଶ୍ବ ବଜାରର ୫% ତୈଳ ଆବଶ୍ୟକତାକୁ ଏହି ଦୁଇ କାରଖାନା ପୂରଣ କରୁଥିଲେ। ଆମେରିକା ପକ୍ଷରୁ ଅଭିଯୋଗ କରାଯାଇଛି ଯେ ସାଉଦି ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପଛରେ ଇରାନର ହାତ ରହିଛି। ଆମେରିକାର ମନ୍ତବ୍ୟକୁ ଇରାନ କଡ଼ା ଭାଷାରେ ନିନ୍ଦା କରିଛି। ହାଉତିଙ୍କୁ ଆମେ କୌଣସି ସହାୟତା ପ୍ରଦାନ କରୁନାହୁଁ ବୋଲି ଇରାନ କହିଛି ଏବଂ ଆମେ ଯୁଦ୍ଧ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ ବୋଲି ଆମେରିକାକୁ ଧମକ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe