କୁଳପତିଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ । ବିଶ୍ୱବିଦ୍ୟାଳୟର ମାନ ବୃଦ୍ଧି ପାଇଁ ଆହ୍ୱାନ । କହିଲେ, ଫଳ ପ୍ରକାଶନରେ ବିଳମ୍ବକୁ କରାଯିବନି ଗ୍ରହଣ

84

କନକ ବ୍ୟୁରୋ : ପ୍ରଫେସରମାନଙ୍କ ଅବସର ବୟସ ବୃଦ୍ଧି କରିବା ସହ କୁଳପତିମାନଙ୍କ କାର୍ଯ୍ୟକାଳ ୩ ବର୍ଷରୁ ୫ ବର୍ଷକୁ ବୃଦ୍ଧି କରିବାକୁ କୁଳପତି ସମ୍ମିଳନୀରେ ଦାବି ହୋଇଛି । ଗତକାଲି ଅନୁଷ୍ଠିତ କୁଳପତି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଆଗରେ କୁଳପତିମାନେ ଏହି ଦାବି ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ପରାମର୍ଶ ମଧ୍ୟ ଦେଇଛନ୍ତି । ବିଶ୍ୱବିଦ୍ୟାଳୟଗୁଡିକର ମାନବୃଦ୍ଧି ଦିଗରେ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଶିକ୍ଷକ ନିଯୁକ୍ତିରେ ସ୍ୱଚ୍ଛତା, ଅନୁସନ୍ଧାନ ଓ ପ୍ରକାଶନ ପାଇଁ ଶିକ୍ଷକଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ।

ବିଶ୍ୱବିଦ୍ୟାଳୟରେ ବାହାର ଲୋକଙ୍କ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ ଏବଂ ଅଣଛାତ୍ର ଓ ଅନଧିକୃତ ବ୍ୟକ୍ତିଙ୍କଠାରୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ମୁକ୍ତ ରଖିବା ଜରୁରୀ ବୋଲି ସେ କହିଛନ୍ତି । ଫଳାଫଳ ପ୍ରକାଶନ ସହିତ ବିଶ୍ୱବିଦ୍ୟାଳୟ ପରୀକ୍ଷା ଠିକ୍ ସମୟରେ କରିବାକୁ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଆସନ୍ତା ଶିକ୍ଷା ବର୍ଷରୁ କୌଣସି ବିଳମ୍ବକୁ ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି । ଏଥି ସହ ନାକ୍ ରାଙ୍କିଂ ଏବଂ ଏନଆଇଆରଏଫ ରାଙ୍କିଂରେ ଉନ୍ନତି ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।