କନକ ବ୍ୟୁରୋ : ବିଜେପୁର ଉପନିର୍ବାନ ପୂର୍ବରୁ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ପଦରେ ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ବଦଳି ହୋଇପାରେ। ୨୦୧୯ ସାଧାରଣ ନିର୍ବାଚନ ପରେ ସିଇଓ ପଦରୁ ଅବ୍ୟାହତି ନେବା ପାଇଁ ଶ୍ରୀ କୁମାର ନିର୍ବାଚନ କମିସନ ଓ ରାଜ୍ୟ ସରକାରଙ୍କୁ ଜଣାଇଥିଲେ। ନିର୍ବାଚନ କମିସନଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଶ୍ରୀ କୁମାରଙ୍କ ସ୍ଥାନରେ ସିଇଓ ପଦ ପାଇଁ ୩ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ନାମ ପଠାଇଛନ୍ତି। ବିଶ୍ବସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୧୯୯୯ ବ୍ୟାଚ୍ ଆଇଏଏସ୍ ଅଧିକାରୀ ତଥା ବାଣିଜ୍ୟିକ କମିସନର ଏବଂ ଅବକାରୀ ବିଭାଗ ଶାସନ ସଚିବ ଥିବା ସୁଶୀଲ କୁମାର ଲୋହାନି, ୧୯୯୯ବ୍ୟାଚ୍ ଆଇଏଏସ୍ ତଥା ଭୂ-ବନ୍ଦୋବସ୍ତ କମିସନର ଏନ୍.ବି.ଏସ୍ ରାଜପୁତ୍ ଓ ୧୯୯୯ ବ୍ୟାଚ୍ ଆଇଏଏସ୍ ତଥା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ନାମକୁ ମୁଖ୍ୟ ଶାସନ ସଚିବ ସୁପାରିସ କରିଛନ୍ତି। ତେଣୁ ଏହି ତିନି ଜଣଙ୍କ ମଧ୍ୟରୁ କେହି ଜଣେ ପରବର୍ତ୍ତୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ହେବେ ବୋଲି ଚର୍ଚ୍ଚା ହେଉଛି।

Advertisment

publive-image ??????????

ପ୍ରକାଶ ଥାଉ କି, ପୂର୍ବତନ ସିଇଓ ଡି.ଏନ୍.ଗୁପ୍ତାଙ୍କ ସ୍ଥାନରେ ପ୍ରମୁଖ ଶାସନ ସଚିବ ପାହ୍ୟାର ବରିଷ୍ଠ ଆଇଏଏସ୍ ଅଧିକାରୀ ସୁରେନ୍ଦ୍ର କୁମାର ୨୦୧୮ ମସିହା ଫେବ୍ରୁଆରି ମାସରେ ସିଇଓ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ କୌତୂହଳର କଥା ହେଉଛି, ୨୦୧୮ରେ ଅନୁଷ୍ଠିତ ହୋଇଥିବା ବିଜେପୁର ଉପନିର୍ବାଚନ ଠିକ୍ ପୂର୍ବରୁ ଶ୍ରୀ କୁମାର ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟରେ ଯୋଗ ଦେଇଥିଲେ। ଆଉ ବିଜେପୁର ଉପନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ତାରିଖ ଘୋଷଣା ହେବା ପରେ ଶ୍ରୀ କୁମାରଙ୍କ ବଦଳି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ସରକାର ସୁପାରିସ କରିଥିବା ୩ ଜଣ ଆଇଏଏସଙ୍କ ଭିତରୁ ଜଣକୁ ନିର୍ବାଚନ କମିସନ ବାଛିବେ। ଅକ୍ଟୋବର ୨୧ ତାରିଖରେ ବିଜେପୁର ଉପନିର୍ବାଚନ ପୂର୍ବରୁ ବର୍ତ୍ତମାନର ସିଇଓ ଥିବା ଶ୍ରୀ କୁମାରଙ୍କ ସ୍ଥାନରେ ନୂଆ ସିଇଓଙ୍କ ନାମ ଘୋଷଣା ହେବ କି ନାହିଁ ସେ ନିଷ୍ପତ୍ତି ନିର୍ବାଚନ କମିସନଙ୍କ ଉପରେ ନିର୍ଭର କରୁଛି।