ଆଜି ଶ୍ରମିକ ଦିବସ: ସେଦିନର ସଂଘର୍ଷ… ଯେବେ ତାଲା ପଡିଥିଲା ସାରା ଦେଶରେ, ତତଲା ରାସ୍ତାରେ ଚାଲୁଥିଲା ଶ୍ରମିକ

230

କନକ ବ୍ୟୁରୋ: ସହର ପାଇଁ ଶ୍ରମିକ ନା ଶ୍ରମିକ ପାଇଁ ସହର ? ଶ୍ରମିକ ନଥିଲେ ହୁଏତ ଗଢା ହୋଇନଥାନ୍ତା ସହର, ଆଉ ବିନା ସହରରେ ବଞ୍ଚିବା ଶ୍ରମିକ ପାଇଁ ମୁସକିଲ ହୋଇପଡିଥାନ୍ତା । କାମଧନ୍ଦା ମିଳିନଥାନ୍ତା, ପେଟ ପୋଷି ହୋଇନଥାନ୍ତା । ସେଇଥି ପାଇଁ ତ ସହର ଓ ଶ୍ରମିକ ଉଭୟ ପରିପୂରକ । ଶ୍ରମିକ ସହର ସଜାଏ, ସହରକୁ ଗଢେ, ନିଜ ରକ୍ତକୁ ଝାଳ ପରି ନିଗାଡି ଦେଇ ସହରର କାନ୍ଥବାଡକୁ ସୁନ୍ଦର କରୁଥାଏ । ସହରର ରାସ୍ତାଘାଟ, ଗଳିକନ୍ଦି, ଛକବଜାର, ଝୁପୁଡିଠୁ କୋଠା ସବୁଠି ଥାଏ ଶ୍ରମିକର ସ୍ୱାକ୍ଷର । ଶ୍ରମିକର ଶ୍ରମ, ଶ୍ରମିକର ଅତୁଳନୀୟ ତ୍ୟାଗ ।

ହେଲେ ଥରେ ଭାବିଲେ, ସହର ଯେବେ ପର କରିଦିଏ । ସେବେ ଅଲୋଡା ହୁଏ ଶ୍ରମିକ । ସ୍ୱାର୍ଥ ସରିଗଲେ ତ ସହର ତୁଟାଇଦିଏ ଶ୍ରମିକଠୁ ସମ୍ପର୍କ । ହଁ ଶ୍ରମିକ ସ୍ୱାର୍ଥର ସହରେ ଜଳୁଥିବା ଗୋଟେ ଷ୍ଟ୍ରିଟ୍ ଲାଇଟ୍ । ଖରା, ବର୍ଷା, ଶୀତରେ ପର ପାଇଁ ଝାଳ ବୁହାଉଥିବା ଗୋଟେ ରକ୍ତମାଂସର ମେସିନ । ଶ୍ରମିକ ଆମ ସ୍ୱପ୍ନ ସଜାଡେ, ଆମ ଆଶାରେ ରଙ୍ଗ ବୋଳେ । ପରର ସ୍ୱପ୍ନ ଗଢୁ ଗଢୁ ସେ ଦେଖେ ନିଜ ପାଇଁ ସ୍ୱପ୍ନ । ମନେମନେ ଆଙ୍କେ ରଙ୍ଗୀନ ଚିତ୍ର । ସେ ବି ଦିନେ ବଡଲୋକ ହେବ, ସେ ବି ଦିନେ ଘର କରିବ । ଆଉ ତା ସାମ୍ରାଜ୍ୟରେ ସେ ହେବ ଅଘୋଷିତ ରାଜା । ଓଜନିଆ ବସ୍ତା ଓଠାଇଲା ବେଳେ ମୁଣ୍ଡରୁ ନିଗିଡି ପଡୁଥିବା ଲୁଣିଆ ଝାଳକୁ ଆଖିଠୁ ଦୂରେଇ ସେ ଦେଖୁଥାଏ ଏମିତି ସ୍ୱପ୍ନ । ସେଇଥିପାଇଁ ତ ତା ଶ୍ରମରେ ନଥାଏ ଭେଜାଲପଣ, ତା କାମରେ ନଥାଏ କୌଣସି ଛଳନା । ଶ୍ରମିକ ଗୋଟେ ବିଶ୍ୱାସର ଡାକ । କିନ୍ତୁ ଏଇ ସହର ସ୍ୱାର୍ଥ ସରିଗଲେ କି ବିପଦ ଆସିଲେ ଶ୍ରମିକକୁ ଆଡ ଆଖିରେ ଅନାଏନି । ଏଡେ ବଡ ସହର ପର କରିବା ପରେ କିଏ ବା ଥାଏ ଶ୍ରମିକର ନିଜର । ଆଉ ସେ ଫେରେ ନିଜ ଭିଟାମାଟିକୁ, ନିଜ ମାଟିମାଆ କୋଳକୁ ।

କରୋନା ସମୟରେ ଶ୍ରମିକଙ୍କ ଅନେକ ସଂଘର୍ଷର କାହାଣୀ ଦେଖିଛି ଏ ଦେଶ । ଅନେକ କାହାଣୀ ଲେଖିଛି ଭାରତ । ତତଲା ତାତିରେ ଶ୍ରମିକ ଯାତ୍ରା, ଘୂରିଯାଇଥିବା ଚପଲ, ଫୋଟକା ପାଦ, ପୁଅ ପାଇଁ ଲଗେଜ ଟ୍ରେନ, ପାଣି ବିନା ତ୍ରାହି ତ୍ରାହି ଡାକୁଥିବା ମଣିଷ । ଏମିତି କେତେ କେତେ ଖବର ଲେଖିଛି ଏ ହାତ । ବର୍ତ୍ତମାନ ଫେରିଯାଇଛି ସେ ସମୟ, ସ୍ୱଭାବିକ ହୋଇଯାଇଛି ସବୁ କିଛି । ହେଲେ ଯାଇନି ଶ୍ରମିକଙ୍କ ଦୁଃଖ । ସେବେ ବି ସେମାନେ କଷ୍ଟ କରୁଥିଲେ ଆଉ ଏବେ ବି କରୁଛନ୍ତି ।

ସେ ସମୟ କଥା ମନେ ପଡିଲେ ଆଜି ବି ଆଖିରେ ଲୁହ ଚାଲି ଆସେ । ଯେତେବେଳେ ବଡ ବଡ ସହରର କଳକାରଖାନା ତାଲା ପଡିଗଲା ସେତେବେଳେ ପେଡିପୁଟୁଳା ଧରି ଗାଁମୁହାଁ ହୋଇଥିଲେ ଶ୍ରମିକ । ଗାଡି ମଟର ବନ୍ଦ ଥିବାରୁ ଶହ ଶହ କିଲୋ ମିଟର ଅତିକ୍ରମ କରି ନିଜ ଘରେ ପହଞ୍ଚିଥିଲେ । ଆଶା କରୁଛୁ ଆଉ ସେ ସମୟ ନଆସୁ, ନିଜ ଦୁଃଖ ଜଞ୍ଜାଳ ନେଇ ବଞ୍ଚୁଥିବା ଶ୍ରମିକ ପୁଣି କଷ୍ଟ ନପାଆନ୍ତୁ ।

ଆଜି ଶ୍ରମିକ ଦିବସ, ଶ୍ରମିକଙ୍କ ପାଇଁ ଦିନଟିଏ । ଶ୍ରମିକଙ୍କୁ ନେଇ ଆଜି କିଏ କେତେ କଥା ଲେଖିବ । ନେତା, ମନ୍ତ୍ରୀଠୁ ତାଙ୍କ ସରକାର । ଶ୍ରମିକର ବାଃବାଃ କରିବେ । କିନ୍ତୁ ଗୁଣଗାନ କରିବାଠୁ ଯଦି ଶ୍ରମିକଙ୍କ ପାଇଁ ନିଜ ରାଜ୍ୟରେ କାମର ବ୍ୟବସ୍ଥା କରାଯାଏ ତେବେ ତାହାହିଁ ହେବ ଶ୍ରମିକଙ୍କ ପାଇଁ ବଡ ଶୁଭେଚ୍ଛା, ବଡ ଉପହାର ।