କନକ ବ୍ୟୁରୋ : କ୍ରିକେଟ ହେଉଛି ଅନିଶ୍ଚିନ୍ତତାର ଖେଳ । କେତେବେଳେ କଣ ହୁଏ ତାହାର ଆକଳନ କରିବା ବେଶ କଷ୍ଟକର । ଗୁରୁବାର ଆଇପିଏଲରେ ଖେଳାଯାଇଥିବା ମ୍ୟାଚରେ ସେଭଳି କିଛି ଦେଖିବାକୁ ମିଳିଥିଲା । ପ୍ଲେ-ଅଫ୍ ଦୌଡରେ ତିଷ୍ଠି ରହିବା ପାଇଁ ବାଙ୍ଗାଲୋର ପାଇଁ ଏହା କର ବା ମର ମ୍ୟାଚ୍ ଥିଲା । ଆଉ ଏଥିରେ ବାଙ୍ଗାଲୋର ବାଜି ମାରି ନେଇଥିଲା । ଏହି ମ୍ୟାଚରେ  ବାଙ୍ଗାଲୋରକୁ ଭାଗ୍ୟ ବେଶ ସାଥ୍ ଦେଇଥିଲା ।

Advertisment

କୋହଲିଙ୍କ ବହୁ ପ୍ରତୀକ୍ଷିତ ଅର୍ଦ୍ଧଶତକ ସହ ଗ୍ଲେନ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ୧୮ ବଲରୁ ୪୦ ରନର ଇନିଂସ ବାଙ୍ଗାଲୋରକୁ ଏହି ବିଜୟ ଭେଟି ଦେଇଥିଲା । ଏହି ମ୍ୟାଚରେ ମ୍ୟାକ୍ସୱେଲଙ୍କୁ ଭାଗ୍ୟ ବେଶ ସାଥ୍ ଦେଇଥିଲା । କାରଣ ଏହି ବିଧ୍ୱଂସୀ ଇନିଂସ ଆରମ୍ଭ ପୂର୍ବରୁ ମ୍ୟାକ୍ସୱେଲ ଗୋଲଡେନ ଡକ୍ ହେବାର ସୁଯୋଗ ସୃଷ୍ଟି ହୋଇଥିଲା । କିନ୍ତୁ ମ୍ୟାକ୍ସୱେଲଙ୍କ ଉପରେ ବୋଧହୁଏ ଭାଗ୍ୟଦେବୀ ପ୍ରସନ୍ନ ଥିଲେ । ଯେଉଁଥିପାଇଁ ପ୍ରଥମ ବଲରେ ଷ୍ଟମ୍ପରେ ବଲ ବାଜିଥିଲେ ମଧ୍ୟ ଏହା ଖସିନଥିଲା । ଆଉ ଏହାପରେ ମ୍ୟାକ୍ସୱେଲ ଖେଳିଥିଲେ ବିସ୍ଫୋରକ ଇନିଂସ ।

ଅଧିନାୟକ ଡୁ-ପ୍ଲେସିସ ଆଉଟ ହେବା ପରେ କ୍ରିଜକୁ ଆସିଥିଲେ ମ୍ୟାକ୍ସୱେଲ । ରସିଦଙ୍କ ଖାନଙ୍କ ପ୍ରଥମ ବଲକୁ ବଡ ସଟ ଖେଳିବାକୁ ପ୍ରୟାସ କରିଥିଲେ ମ୍ୟାକ୍ସୱେଲ । କିନ୍ତୁ ଏହା ବ୍ୟାଟରେ ବାଜିନଥିବା ବେଳେ ଲେଗ୍ ଷ୍ଟମ୍ପରେ ବାଜିଥିଲା । ସମସ୍ତଙ୍କ ହୃଦସ୍ପଦନ ବଢି ଯାଇଥିଲା । ଏପରିକି ରସିଦ ଖାନ୍ ମଧ୍ୟ ସେଲିବ୍ରେସନ ଆରମ୍ଭ କରିଥିଲେ । ଗୁଜୁରାଟ ଟାଇଟନ୍ସ ଟିମର ଖେଳାଳୀ ଖୁସିରେ ଝୁମି ଉଠିଥିଲେ । କିନ୍ତୁ ସୌଭାଗ୍ୟବଶତଃ ଷ୍ଟମର ବେଲଟି ତଳକୁ ଖସିନଥିଲା । ଯାହା ଦେଖି ଆଶ୍ଚର୍ଯ୍ୟଚକିତ ହୋଇଯାଇଥିଲେ ଗୁଜୁରାଟ ଟାଇଟନ୍ସର ଖେଳାଳୀ । ଆଉ ଶୂନରୁ ଆଉଟ ହେବା ପୂର୍ବରୁ ହିଁ ବର୍ତ୍ତି ଯାଇଥିଲେ ମ୍ୟାକ୍ସୱେଲ । ଯାହାର ଫଟୋ ଓ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । କିଛି ୟୁଜର୍ସ ମ୍ୟାକ୍ସୱେଲଙ୍କୁ ଭାଗ୍ୟବାନ ବୋଲି କହିଥିଲେ । ଅନ୍ୟପଟେ ମ୍ୟାକ୍ସୱେଲଙ୍କ ଏହି ବିଧ୍ୱଂସୀ ଇନିଂସର ବାଙ୍ଗାଲୋର ବିଜୟ ପଛରେ ବଡ ଭୂମିକା ଗ୍ରହଣ କରିଥିଲା ।

ମ୍ୟାକ୍ସୱେଲଙ୍କ ଇନିଂସ ବ୍ୟତୀତ କୋହଲିଙ୍କ ୭୪ ରନର ଇନିଂସ ମଧ୍ୟ ବାଙ୍ଗାଲୋର ବିଜୟରେ ସହାୟକ ହୋଇଥିଲା । ବାଙ୍ଗାଲୋରର ବିଜୟ ପରେ କୋହଲି କହିଥିଲେ, ମ୍ୟାଚର ଗୋଟିଏ ଦିନ ପୂର୍ବରୁ ନେଟସରେ ଦେଢ ଘଣ୍ଟାରୁ ଅଧିକ ସମୟ ଧରି ଅଭ୍ୟାସ କରିଥିଲି । ଆଉ ମ୍ୟାଚର ପ୍ରଥମ ବଲ ଖେଳିବା ପରେ ଲାଗୁଥିଲା ଆଜି କିଛି ଭିନ୍ନ ହେବ ନିଶ୍ଚୟ । ଏହି ମ୍ୟାଚ୍ ଆମ ପାଇଁ କର ବା ମର ମ୍ୟାଚ୍ ଥିଲା । ଆଉ ଏହି ମ୍ୟାଚରେ ଟିମକୁ ବିଜୟୀ କରିଥିବାରୁ ବହୁତ ଖୁସି ମଧ୍ୟ । ୨୦୧୪ରେ ମଧ୍ୟ କିଛି ଏଭଳି ହୋଇଥିଲା । ଏଭଳି ପ୍ରଂଶସକଙ୍କୁ ପାଇ ମୁଁ ବହୁତ ଖୁସି ଅନୁଭବ କରୁଛି । କାରଣ ପ୍ରଂଶସକ ମାନେ ମୋ ସହ ସବୁବେଳେ ରହିଛନ୍ତି ।

ଅନ୍ୟପଟେ ଗୁଜୁରାଟ ବିପକ୍ଷ ମ୍ୟାଚରେ ବିଜୟୀ ହେବା ପରେ ବାଙ୍ଗାଲୋର ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଛି ଏବଂ ପ୍ଲେ-ଅଫ୍ ପାଇଁ ଆଶା ଉଜ୍ଜିବୀତ ରହିଛି । କିନ୍ତୁ ଏଥିପାଇଁ ମୁମ୍ବାଇ ଓ ଦିଲ୍ଲୀର ମ୍ୟାଚ୍ ଉପରେ ବାଙ୍ଗାଲୋରର ନଜର ରହିବ । ମୁମ୍ବାଇ ବିପକ୍ଷରେ ଦିଲ୍ଲୀ ପରାଜିତ ହେଲେ ହିଁ ବାଙ୍ଗାଲୋର ପାଇଁ ପ୍ଲେ-ଅଫ୍ ରାସ୍ତା ଫିଟିବ । କିନ୍ତୁ ମୁମ୍ବାଇ ବିପକ୍ଷରେ ଦିଲ୍ଲୀ ବିଜୟୀ ହେଲେ ଉନ୍ନତ ରନ୍ ରେଟ ହାରରେ ଦିଲ୍ଲୀ ପ୍ଲେ-ଅଫରେ ଏଣ୍ଟ୍ରି କରିବ ଏବଂ ବାଙ୍ଗାଲୋର ପ୍ଲେ-ଅଫ୍ ରେସରୁ ବାଦ୍ ପଡିବ ।