ଯେତେବେଳେ ଯାଏଁ ଚାଲି ପାରୁଥିବି, ସେତେବେଳେ ଯାଏଁ ଆଇପିଏଲ ଖେଳିବି । ବିଶ୍ୱକପ ହିରୋ ଦେଲେ ବଡ ବୟାନ । 

315

କନକ ବ୍ୟୁରୋ : ଆସନ୍ତା ଡିସେମ୍ବର ୧୯ ତାରିଖରେ ଦୁବାଇରେ ଆଇପିଏଲ ନିଲାମୀ ହୋଇପାରେ । ନିଲାମୀ ପୂର୍ବରୁ ଅନେକ ଖେଳାଳୀଙ୍କୁ ଫ୍ରାଞ୍ଚାଇଜ ରିଲିଜ କରିଥିବା ବେଳେ ଭରସାଯୋଗ୍ୟ ଖେଳାଳୀଙ୍କୁ ରିଟେନ କରି ରଖିଛନ୍ତି । ଆସନ୍ତାବର୍ଷ ଆଇପିଏଲ ଖେଳାଯିବାକୁ ଥିବା ବେଳେ ଏହାପୂର୍ବରୁ ବିଶ୍ୱକପରେ ସଭିଙ୍କ ମନ ଜିଣିଥିବା ଅଷ୍ଟ୍ରେଲୀୟ କ୍ରିକେଟର ଗ୍ଲେନ ମ୍ୟାକ୍ସୱେଲ ବଡ ବୟାନ ଦେଇଛନ୍ତି । ବିସ୍ଫୋରକ ବ୍ୟାଟିଂ ପାଇଁ ପରିଚିତ ଥିବା ମ୍ୟାକ୍ସୱେଲ କହିଛନ୍ତି, ଯେତେବେଳେ ଯାଏଁ ଚାଲି ପାରୁଥିବି, ସେତେବେଳେ ଯାଏଁ ଆଇପିଏଲ ଖେଳିବି ।

ବିଶ୍ୱକପ ୨୦୨୩ରେ ଦମଦାର ପ୍ରଦର୍ଶନ କରିଥିଲେ ମ୍ୟାକ୍ସୱେଲ । ଆଫଗାନିସ୍ତାନ ବିପକ୍ଷରେ ଦ୍ୱିଶତକ ହାସଲ କରିବା ସହ ଫାଇନାଲରେ ଅଷ୍ଟ୍ରେଲିଆକୁ ବିଜୟୀ କରିବା ପଛରେ ମ୍ୟାକ୍ସୱେଲଙ୍କର ବଡ ଭୂମିକା ରହିଥିଲା । ଖାସକରି ଆଫଗାନିସ୍ତାନ ବିପକ୍ଷରେ ଯେଉଁ କଠିନ ପରିସ୍ଥିତିରେ ମ୍ୟାକ୍ସୱେଲ ଦମଦାର ବ୍ୟାଟିଂ କରି ଦଳକୁ ବିଜୟୀ କରାଇଲେ ତାହାକୁ ବେଶ ପସନ୍ଦ କରିଛନ୍ତି କ୍ରିକେଟପ୍ରେମୀ । ଅଷ୍ଟ୍ରେଲିଆକୁ ବିଶ୍ୱକପ ବିଜୟୀ କରାଇବା ପରେ ଭାରତ ବିପକ୍ଷ ଟି-୨୦ ସିରିଜରେ ମଧ୍ୟ ମ୍ୟାକ୍ସୱେଲଙ୍କ ବ୍ୟାଟରୁ ଧୂଆଁଧାର ଶତକ ଦେଖିବାକୁ ମିଳିଥିଲା । ତେବେ ସିରିଜ ଅଧାରୁ ମ୍ୟାକ୍ସୱେଲ ଅଷ୍ଟ୍ରେଲିଆ ଫେରି ଯାଇଥିଲେ । ଗୋଟିଏ ସପ୍ତାହର ବିଶ୍ରାମ ପରେ ଏବେ ପୁଣିଥରେ ପଡିଆକୁ ଫେରିବାକୁ ପ୍ରସ୍ତୁତି କରୁଛନ୍ତି ମ୍ୟାକ୍ସୱେଲ । ବିଗ ବାସ୍ ଲିଗରେ ମେଲବର୍ଣ୍ଣ ଷ୍ଟାର୍ସ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ମ୍ୟାକ୍ସୱେଲ । ଆଗାମୀ କିଛି ମାସ ଟି-୨୦ ମ୍ୟାଚ୍ ଉପରେ ଅଧିକ ଫୋକସ କରିବେ ମ୍ୟାକ୍ସୱେଲ । କାରଣ ଆସନ୍ତାବର୍ଷ ଖେଳାଯିବ ଟି-୨୦ ବିଶ୍ୱକପ । ଆଇପିଏଲ ପରେ ପରେ ୱେଷ୍ଟଇଣ୍ଡିଜ-ଆମେରିକାରେ ଟି-୨୦ ବିଶ୍ୱକପ ଖେଳାଯିବ ।

ଅଧିକାଂଶ ଅଷ୍ଟ୍ରେଲୀୟ କ୍ରିକେଟର କୌଣସି ବଡ ସିରିଜ ଖେଳିବା ପୂର୍ବରୁ ଆଇପିଏଲରୁ ନିଜକୁ ଦୂରେଇ ରଖନ୍ତି । କିନ୍ତୁ ମ୍ୟାକ୍ସୱେଲଙ୍କ କ୍ଷେତ୍ରରେ ସେଭଳି ଦେଖିବାକୁ ମିଳେ ନାହିଁ । ମ୍ୟାକ୍ସୱେଲ କହିଛନ୍ତି, ଆଇପିଏଲ ହିଁ ମୋର ଶେଷ ଟୁର୍ଣ୍ଣାମେଣ୍ଟ ହେବ, ଯାହାକୁ ମୁଁ ଯେକୌଣସି ପରିସ୍ଥିତିରେ ମଧ୍ୟ ଖେଳିବି । ମୁଁ ଆଇପିଏଲ ସେବେ ପର୍ଯ୍ୟନ୍ତ ଖେଳିବି ଯେତେବେଳେ ଯାଏଁ ମୁଁ ଚାଲି ପାରୁଥିବି । ଆଇପିଏଲ ମୋ ପାଇଁ ସବୁବେଳେ ସ୍ୱତନ୍ତ୍ର । କାରଣ ଏହାଦ୍ୱାରା ଅନେକ ଖେଳାଳିଙ୍କ ସହ ଖେଳିବାକୁ ସୁଯୋଗ ମିଳୁଛି ଏବଂ ବିଭିନ୍ନ କୋଚଙ୍କ ଠାରୁ ବହୁତ କିଛି ଶିଖିବାକୁ ମିଳୁଛି । ଯାହା ମୋ କ୍ରିକେଟ କ୍ୟାରିୟର ପାଇଁ ବେଶ ଲାଭଦାୟକ । ଏହାସହ ମ୍ୟାକ୍ସୱେଲ କହିଛନ୍ତି, ଆଇପିଏଲ ପାଇଁ ଡିଭିଲିୟର୍ସ ଓ ବିରାଟ କୋହଲିଙ୍କ ସହ ୨ ମାସ ଏକାଠି ରହିବାକୁ ସୁଯୋଗ ମିଳୁଛି । ସେମାନଙ୍କ ସହ ଖେଳିବା ସହ କ୍ରିକେଟ ବାବଦରେ ଅନେକ କଥା ଶିଖିବାକୁ ମିଳୁଛି । ଯାହା ଅନ୍ୟ କେଉଁଠି ମିଳିବନି । ତେଣୁ ଏହି ସୁଯୋଗ କିଏ ବା ହାତଛଡା କରିବ ।

ଗ୍ଲେନ ମ୍ୟାକ୍ସୱେଲ ଏବେ ବାଙ୍ଗାଲୋର ଦଳରେ ରହିଛନ୍ତି । ଯେଉଁ ଦଳରେ ସାଥୀ ଖେଳାଳୀ ଭାବେ କୋହଲି, ଡୁପ୍ଲେସିସ, ସିରାଜ, କାର୍ତ୍ତିକଙ୍କ ଭଳି ଅର୍ନ୍ତଜାତୀୟ ଖେଳାଳୀ ରହିଛନ୍ତି । ଏହାଛଡା ବାଙ୍ଗାଲୋର ଟିମ ପକ୍ଷରୁ ଗତ ଆଇପିଏଲ ସିଜିନ ଗୁଡିକରେ ଦମଦାର ପ୍ରଦର୍ଶନ କରି ଆସିଛନ୍ତି ମ୍ୟାକ୍ସୱେଲ । ଯେଉଁଥିପାଇଁ ମ୍ୟାକ୍ସୱେଲଙ୍କୁ ନିଲାମୀ ପ୍ରକ୍ରିୟାକୁ ନ ଛାଡି ତାଙ୍କୁ ରିଟେନ କରି ରଖିଛି ବାଙ୍ଗାଲୋର ।