ସଙ୍କଟରେ ଶ୍ରୀଲଙ୍କା । ପେଟ୍ରୋଲ ଓ ଡିଜେଲ କିଣିବାକୁ ଟଙ୍କା ନାହିଁ, ଦେଶର ଅଧିକାଂଶ ପେଟ୍ରୋଲ ପମ୍ପରେ ପଡିଲାଣି ତାଲା ।

131

କନକ ବ୍ୟୁରୋ : ସଙ୍କଟରେ ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କାର ଅର୍ଥବ୍ୟବସ୍ଥା । ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାର ଅବସ୍ଥା ଏବେ ଅତି ଶୋଚନୀୟ । ଶ୍ରୀଲଙ୍କା ପାଖରେ ପର୍ଯ୍ୟାପ୍ତ ପରିମାଣରେ ବିଦେଶୀ ମୁଦ୍ରା ନାହିଁ ଯାହାଦ୍ୱାରା ଏବେ ପେଟ୍ରୋଲ ଓ ଡିଜେଲ କିଣିବାକୁ ମଧ୍ୟ ଶ୍ରୀଲଙ୍କା ପାଖରେ ଟଙ୍କା ନାହିଁ । ଏପରିକି ଅଧିକାଂଶ ପେଟ୍ରୋଲ ପମ୍ପରେ ଇନ୍ଧନ ଓ ପେଟ୍ରୋଲ ସମାପ୍ତ ହେବା କାରଣରୁ କ୍ୱଚିତ ଖୋଲାଥିବା ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ ଲାଗିଥିବା ଦେଖିବାକୁ ମିଳିଛି ।

ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏତେ ଶୋଚନୀୟ ହୋଇଛି ଯେ, ଇନ୍ଧନ ଟାଙ୍କି ମଧ୍ୟ ଭର୍ତ୍ତି କରିବାକୁ ପର୍ଯ୍ୟାପ୍ତ ପରିମାଣର ଆମେରିକୀୟ ଡଲାର ନାହିଁ । ଏପରିକି ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ କରାଯାଇଥିବା ଦରରେ ପେଟ୍ରୋଲ ଓ ଡିଜେଲ ବିକ୍ରି କାରଣରୁ ଶ୍ରୀଲଙ୍କାର ପେଟ୍ରୋଲିୟମ କମ୍ପାନି ସିପିସି ମଧ୍ୟ ଏହା ଭିତରେ ୪୧.୫ କୋଟି ଡଲାର କ୍ଷତି ସହିଲାଣି । ଶ୍ରୀଲଙ୍କା ମୁଖ୍ୟତଃ ପେଟ୍ରୋଲ ଓ ଇନ୍ଧନର ଆମଦାନୀ ଉପରେ ନିର୍ଭର କରିଥାଏ । କିନ୍ତୁ ଆର୍ଥିକ ଦୁର୍ବଳ କାରଣରୁ ଏବେ ଆବଶ୍ୟକୀୟ ପେଟ୍ରୋଲ ଓ ଇନ୍ଧନ କିଣି ପାରୁନାହିଁ ଶ୍ରୀଲଙ୍କା । ଯାହା ଦେଶରେ ଏକ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି ।

ତେବେ ଏହି ସଙ୍କଟ ଦୂର କରିବାକୁ ଶ୍ରୀଲଙ୍କା ଏବେ ପେଟ୍ରୋଲ ଓ ଇନ୍ଧନ ଆମଦାନୀ ଉପରେ ସୀମା ଶୁଳ୍କ କମ କରିବାକୁ ନିଷ୍ପତ୍ତି ନେଇଛି । ଯାହାଦ୍ୱାରା ଜନତାଙ୍କୁ ଏହାର ଫାଇଦା ମିଳିପାରିବ । ଚଳିତମାସ ଭାରତୀୟ କମ୍ପାନି ଇଣ୍ଡିଆନ ଅଏଲ କର୍ପୋରେସନ ଠାରୁ ୪୦୦୦୦ ଟନ୍ ଡିଜେଲ ଓ ପେଟ୍ରୋଲ କିଣିଥିଲା ଶ୍ରୀଲଙ୍କା । ଯାହାଦ୍ୱାରା ନିଜ ଦେଶର ଆବଶ୍ୟକତାକୁ ପୂରଣ କରାଯାଇପାରିବ । ଏହାସହ ଭାରତ ତରଫରୁ ୯୧୫ ମିଲିୟନ ଡଲାରର ବିଦେଶୀ ମୁଦ୍ରାର ସହାୟତା ମଧ୍ୟ ଦିଆଯାଇଛି । ପର୍ଯ୍ୟଟନ କ୍ଷେତ୍ରରୁ ଶ୍ରୀଲଙ୍କା ଆବଶ୍ୟକୀୟ ବିଦେଶୀ ମୁଦ୍ରା ପାଇଥାଏ । କିନ୍ତୁ କରୋନା କାରଣରୁ ଦେଶର ପର୍ଯ୍ୟଟନ କ୍ଷେତ୍ର ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଛି ।