ସଡକ ଦୁର୍ଘଟଣାର ସତ ।  କାହିଁକି ହେଉଛି ସଡକ ଦୁର୍ଘଟଣା, କାହାକୁ ଧରୁଛନ୍ତି ଟ୍ରାଫିକ ଅଧିକାରୀ?

593

କନକ ବ୍ୟୁରୋ : ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଜୋରଦାର ଆରମ୍ଭ ହୋଇଛି ଚେକିଂ । ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ଛକ ଛକରେ ଜଗି ବସିଛନ୍ତି ଟ୍ରାଫିକ କର୍ମଚାରୀ । ଆଉ ନିୟମ ଭାଙ୍ଗି ଧରାପଡିଲେ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା । ସଡକ ଦୁର୍ଘଟଣା ରୋକିବାକୁ ଏଭଳି କଡାକଡି ନିୟମ କରାଯାଇଛି ବୋଲି ଟ୍ରାଫିକ ଅଧିକାରୀ ମାନେ କହୁଛନ୍ତି । ଖାସକରି ମଦୁଆ ଡ୍ରାଇଭରଙ୍କ ପାଇଁ ଅଧିକାଂଶ ସମୟରେ ଦୁର୍ଘଟଣା ହେଉଥିବା କୁହାଯାଉଛି । ଯେଉଁଥିପାଇଁ ଟ୍ରାଫିକ ପୋଲିସର ଫାଇନ୍ ପଞ୍ଝାରେ ଅଧିକାଂଶ ସମୟରେ ମଦୁଆ ଡ୍ରାଇଭର ପଡୁଥିବାର ଖବର ସାମ୍ନାକୁ ଆସୁଛି । କିନ୍ତୁ ଅଧିକାଂଶ ସଡକ ଦୁର୍ଘଟଣା ଯେଉଁଥିପାଇଁ ହେଉଛି ସେଥିପ୍ରତି ଟ୍ରାଫିକ ଅଧିକାରୀ ସତେ ଯେମିତି ଆଖି ବୁଜି ଦେଇଛନ୍ତି ।

ମଦୁଆ ଚାଳକଙ୍କୁ ମାଫ୍ ନାହିଁ । ମଦୁଆ ଚାଳକଙ୍କ ପାଇଁ ଅଧିକ ଦୁର୍ଘଟଣା ହେଉଥିବାରୁ ଟ୍ରାଫିକ ପୋଲିସର ଟାର୍ଗେଟରେ ଏମାନେ । ଯେଉଁଥିପାଇଁ ମଦୁଆ ଚାଳକଙ୍କୁ ଧରିବାକୁ ଜାଲ ବିଛାଇଛି ଟ୍ରାଫିକ ପୋଲିସ । ସ୍ଥାନେ ସ୍ଥାନେ କଡା ଚେକିଂ କରାଯାଉଥିବା ବେଳେ ଧରାପଡିଲେ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଉଛି । ଏହାସତ୍ତେ୍ୱ ମଧ୍ୟ ଦୁର୍ଘଟଣା ବଢି ଚାଲିଛି । ତେବେ ଏହି ଦୁର୍ଘଟଣା ପଛର ବାସ୍ତବ ସତ କିନ୍ତୁ ଅଲଗା ।  ମଦୁଆ ଚାଳକଙ୍କ ପାଇଁ ନୁହେଁ ବରଂ ଦ୍ରୁତ ଗତିରେ ଗାଡି ଚାଳନା ହିଁ ଅଧିକାଂଶ ସଡକ ଦୁର୍ଘଟଣାର କାରଣ । ପରିବହନ ବିଭାଗ ପକ୍ଷରୁ ଏନେଇ ଟ୍ୱିଟ୍ କରି କୁହାଯାଇଛି ।

ଦାଉ ସାଜୁଛି ଦ୍ରୁତ ଗତି । ରାଜ୍ୟରେ ହେଉଥିବା ସଡକ ଦୁର୍ଘଟଣାର ୯୭ ପ୍ରତିଶତରୁ ୮୪ ପ୍ରତିଶତ ଦୁର୍ଘଟଣା ଦ୍ରୁତଗତିରେ ଗାଡି ଚାଳନା ପାଇଁ ହେଉଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ଦ୍ରୁତ ଗତିରେ ଗାଡି ଚାଳନା କରୁଥିବା ଚାଳକଙ୍କୁ ସବୁ ମାଫ୍ । ଦ୍ରୁତ ଗତିରେ ଚଳାଉଥିବା ଗାଡି ଚାଳକଙ୍କୁ ଧରିବା ପାଇଁ ଅତ୍ୟାଧୁନିକ ସିସିଟିଭି ଲାଗିଛି । କିନ୍ତୁ ଏହାପରେ ମଧ୍ୟ ଫଳ ଶୂନ । ରାଜଧାନୀର ରାଜରାସ୍ତାରେ ଏବେ ବି ଆତଙ୍କ ସୃଷ୍ଟି କରୁଛନ୍ତି ସ୍ପିଡ ବାଇକର୍ସ । କିନ୍ତୁ ଏମାନଙ୍କୁ ଧରିବା ପରିବର୍ତ୍ତେ ମଦୁଆ ଚାଳକ ଓ ବିନା ହେଲମେଟ ଚାଳକଙ୍କୁ ଧରିବାକୁ ଯେମିତି ପଣ କରିଛନ୍ତି ଟ୍ରାଫିକ ଅଧିକାରୀ । ମଦୁଆ ଚାଳକଙ୍କ ପାଇଁ ମାତ୍ର ୪ ପ୍ରତିଶତ ସଡକ ଦୁର୍ଘଟଣା ହେଉଥିବା ବେଳେ ରଙ୍ଗ ସାଇଡରେ ଗାଡି ଚାଳନା ପାଇଁ ୮ ପ୍ରତିଶତ, ଗାଡି ଚଲାଇବା ବେଳେ ମୋବାଇଲ ଫୋନ ବ୍ୟବହାର ପାଇଁ ୩ ପ୍ରତିଶତ ସଡକ ଦୁର୍ଘଟଣା ହୋଇଥାଏ ବୋଲି ରିପୋର୍ଟ କହୁଛି । କିନ୍ତୁ ଯେଉଁ କାରଣ ପାଇଁ ସର୍ବାଧିକ ସଡକ ଦୁର୍ଘଟଣା ହେଉଛି ସେଥିପ୍ରତି ଧ୍ୟାନ ନଦେଇ ମଦୁଆ ଓ ବିନା ହେଲମେଟ ଚାଳକଙ୍କୁ ଧରି ଫାଇନ୍ ଆଦାୟ କରିବାରେ ବ୍ୟସ୍ତ ଟ୍ରାଫିକ ଅଧିକାରୀ ।