କାଠଗଡ଼ାରେ ମାଉସୀ ମା’ଙ୍କ ପୋଡ଼ପିଠା: ଚଳିତ ବର୍ଷ ବି ପୁଣି ଦୁଇଜଣ ମହାପ୍ରଭୁଙ୍କୁ କରିବେ ପୋଡ଼ପିଠା ସମର୍ପଣ

269

କନକ ବ୍ୟୁରୋ: ବାହୁଡ଼ା ଯାତ୍ରା ସମୟରେ ଅନୁରୋଧ ରକ୍ଷା କରି ମାଉସୀ ମା’ଙ୍କ ହାତରୁ ପୋଡ଼ପିଠା ଖାଇବେ ମହାପ୍ରଭୁ। ଏଥିପାଇଁ ବଳଗଣ୍ଡି ଛକ ମାଉସୀ ମା’ଙ୍କ ମନ୍ଦିରଠାରେ ମହାପ୍ରଭୁଙ୍କ ରଥ ଅଟକିବ। କାହିଁ କେଉଁ ଯୁଗରୁ ଏହି ପରମ୍ପରା ରହିଆସିଛି। କିନ୍ତୁ ବଂଶାନୁକ୍ରମିକ ସେବାକୁ ନେଇ ମାଉସୀ ମା’ଙ୍କ ଏହି ପୋଡ଼ପିଠା ବିବାଦୀୟ ହୋଇପଡ଼ିଛି। ଚଳିତ ବର୍ଷ ଶ୍ରୀମନ୍ଦିର ପ୍ରଶାସନ ପୋଡ଼ପିଠା ସମର୍ପଣ ନେଇ ସେପରି ନିର୍ଦ୍ଦିଷ୍ଟ କାହାରିକୁ ସ୍ୱୀକୃତି ଦେଇନଥିବାରୁ ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି ଦୁଇଜଣ ମହାପ୍ରଭୁଙ୍କୁ ପୋଡ଼ପିଠା ସମର୍ପଣ କରିବେ। ଏଥିପାଇଁ ସେବା ଅଧିକାର ଦାବି କରୁଥିବା ଦୁଇଜଣ ବି ପୋଡ଼ପିଠା ପ୍ରସ୍ତୁତ କରୁଛନ୍ତି। ପୂର୍ବରୁ ମାଉସୀ ମା’ଙ୍କ ମନ୍ଦିର ନିକଟରେ ତିନି ରଥ ଅଟକି ଯେଉଁ ପୋଡ଼ପିଠା ଲାଗି ହେଉଥିଲା, ଚଳିତ ବର୍ଷ ସେପରି କିଛି ହେବନି ବୋଲି ଜଣାପଡ଼ିଛି। କେବଳ ତିନି ରଥ ଯିବା ସମୟରେ ମାଉସୀ ମା’ଙ୍କ ମନ୍ଦିରଠାରେ ପୋଡ଼ପିଠା ଚତୁର୍ଦ୍ଧାମୂର୍ତିଙ୍କ ଉଦ୍ଦେଶ୍ୟରେ ସମର୍ପଣ କରାଯିବ।

ଏହି ପୋଡ଼ପିଠା ସେବା ପାଇଁ ମାଉସୀ ମା’ଙ୍କ ଦୁଇ ସେବକ ପରିବାର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶ୍ୱାସ ରହିଛି, ସେତେବେଳର ମାଳିନୀ ନଦୀ ବଡ଼ଦାଣ୍ଡକୁ ଦୁଇଭାଗ କରୁଥିଲା। ଯେଉଁଥିପାଇଁ ମହାପ୍ରଭୁଙ୍କ ପାଇଁ ୬ଟି ରଥ ପ୍ରସ୍ତୁତ ହେଉଥିଲା। ତିନୋଟି ରଥରେ ମହାପ୍ରଭୁ ମାଳିନୀ ନଦୀର ଗୋଟିଏ ପାର୍ଶ୍ୱରେ ପହଞ୍ଚିବା ପରେ ଅପରପାର୍ଶ୍ୱକୁ ଡଙ୍ଗାରେ ନଦୀ ପାର ହୋଇ ଯାଉଥିଲେ। ପରେ ଅପରପାର୍ଶ୍ୱରେ ଥିବା ତିନି ରଥରେ ବିଜେ ହୋଇ ତିନି ଠାକୁର ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଉଥିଲେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିବାକୁ ମହାପ୍ରଭୁଙ୍କୁ ୭/୮ ଦିନ ଲାଗି ଯାଉଥିଲା। ଏହାଦେଖି ମାଉସୀ ମା’ ମାଳିନୀ ନଦୀର ଜଳକୁ ଶୋଷି ନେଇଥିଲେ। ସେ ସମୟରୁ ଅନୁରୋଧ ରକ୍ଷା କରି ମହାପ୍ରଭୁ ମାଉସୀ ମା’ଙ୍କଠାରୁ ପୋଡ଼ପିଠା ଖାଇ ଆସୁଛନ୍ତି।

ସୂଚନା ମୁତାବକ, ୧୮୯୯ ମସିହାରୁ ରଥୀ ଦାଶ ମାଉସୀ ମା’ଙ୍କ ସେବା କରି ଆସୁଥିଲେ। ତାଙ୍କ ମୃତ୍ୟୁ ପରେ ପୁଅ ଲୋକନାଥ ଦାଶ ଏହି କାର୍ଯ୍ୟ ସମ୍ପାଦନ କରି ଆସୁଥିଲେ। ଲୋକନାଥଙ୍କର ଗୋଟିଏ ପୁଅ ଓ ତିନି ଝିଅ ଥିଲେ। ଅବିବାହିତ ଅବସ୍ଥାରେ ପୁଅ ଓ ଦୁଇ ଝିଅଙ୍କ ମୃତ୍ୟୁ ହୋଇସାରିଛି। ତିନି ଝିଅଙ୍କ ଭିତରୁ ଜଣେ ମାତ୍ର ଝିଅ ଅନ୍ନପୂର୍ଣ୍ଣା ମିଶ୍ରଙ୍କ ଦୁଇ ପୁଅ ମନୋରଞ୍ଜନ ମିଶ୍ର ଓ ଜ୍ୟୋତିରଞ୍ଜନ ମିଶ୍ର ଥିଲେ। ଦୁଇ ପୁଅରୁ ଜ୍ୟୋତିରଞ୍ଜନଙ୍କ ମୃତ୍ୟୁ ପରେ ବଂଶରେ ଏକମାତ୍ର ପୁଅ ମନୋରଞ୍ଜନ ହିଁ ରହିଛନ୍ତି। ଏଣୁ ମନୋରଞ୍ଜନ ବଂଶାନୁକ୍ରମିକ ସେବା ପାଇଁ ହକ୍‌ଦାର ବୋଲି ଦାବି କରି ଆସୁଛନ୍ତି।

ମନୋରଞ୍ଜନ ବି ବଂଶାନୁକ୍ରମିକ ସେବା ଭାବେ ମହାପ୍ରଭୁଙ୍କ ପୋଡ଼ପିଠା ପ୍ରସ୍ତୁତ କରି ଆସୁଥିଲେ ଓ ଏହାକୁ ମହାପ୍ରଭୁଙ୍କୁ ସମର୍ପଣ କରି ଆସୁଥିଲେ। କିନ୍ତୁ ଏହାକୁ ନେଇ ବିବାଦୀୟ ପରିସ୍ଥିତି ଦେଖା ଦେଇଥିଲା। ବିଶ୍ୱନାଥ ମିଶ୍ର ଏହି ସେବାର ଅଧିକାରୀ‌ ବୋଲି ଦାବି କରିଥିଲେ। ଯେଉଁଥିପାଇଁ ମନୋରଞ୍ଜନଙ୍କ ସହ ବିଶ୍ବନାଥ ବି ପୋଡ଼ପିଠା ସମର୍ପଣ କରି ଆସୁଛନ୍ତି। ଏହି ବାଦବିବାଦ ପରେ ଏ ଉପରେ ସିଭିଲ୍ ଜଜ୍ ଜୁନିୟର ଡିଭିଜନଙ୍କ ନିକଟରେ ମନୋରଂଜନ ଏକ ମାମଲା ଦାୟର କରିଛନ୍ତି। ତଥ୍ୟପ୍ରମାଣ ଉପସ୍ଥାପନ କରି ନିଜେ ବଂଶାନୁକ୍ରମିକ ସେବା ପାଇଁ ଯୋଗ୍ୟ ବୋଲି କୋର୍ଟଙ୍କୁ ଦର୍ଶାଇଛନ୍ତି। ଏହି ମାମଲା ବିଚାରାଧୀନ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଚଳିତ ବର୍ଷ କାହାରିକୁ ସ୍ୱୀକୃତି ପ୍ରଦାନ କରିନାହିଁ। କୋର୍ଟଙ୍କ ରାୟକୁ ଅପେକ୍ଷା ରହିଛି। ଏଭଳି ସ୍ଥିତିରେ ଦୁଇଜଣ ପୋଡ଼ପିଠା ସମର୍ପଣ କରିବେ ବୋଲି ଜଣାପଡ଼ିଛି।